ସ୍କୁଲ କ୍ୟାମ୍ପସ୍‌ ପାଲଟିଛି ଓପନ୍‌ ବାର୍‌

ନିଶାଡ଼ିଙ୍କ କବ୍‌ଜାରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଅସୁରକ୍ଷିତ, ଅଭିଯୋଗ ଶୁଣୁନି ପୁଲିସ

ଭୁବନେଶ୍ୱର: ସନ୍ଧ୍ୟା ପରେ ରାଜଧାନୀର କେତେକ ସରକାରୀ ସ୍କୁଲ୍‌ ପରିସର ନିଶାଡ଼ି, ଡକାୟତ, ହତ୍ୟାକାରୀଙ୍କ ଆଡ଼ାସ୍ଥଳୀ ପାଲଟିଯାଉଛି। ଏହିଠାରୁ ହିଁ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ସରକାରୀ ସ୍କୁଲ କ୍ୟାମ୍ପସ୍‌ ଏବଂ ଖେଳ ପଡ଼ିଆ ନିକଟରେ ପୁଲିସ ପାଟ୍ରୋଲିଂ ହେଉ ନଥିବାରୁ ଅପରାଧୀଙ୍କ ପାଇଁ ଏହା ସବୁଠାରୁ ସୁରକ୍ଷିତ ସ୍ଥାନ ପାଲଟିଛି।ସଞ୍ଜ ନଇଁଲେ ସ୍କୁଲ କ୍ୟାମ୍ପସଗୁଡ଼ିକ ଓପନ୍‌ ବାର୍‌ ପାଲଟୁଛି। ପାଚେରି ଡେଇଁ ହେଉ ନଚେତ୍‌ ଖେଳ ପଡ଼ିଆରେ ଏହିଭଳି ଆସର ଜମୁଛି। ଏଠାରେ ସ୍ଥିତି ଏପରି ଉପୁଜୁଛି ଯେ, ସକାଳେ ସ୍କୁଲ ଖୋଲିଲା ବେଳକୁ ବାରଣ୍ଡାରେ ମଦ ବୋତଲ, ଗ୍ଲାସ୍‌, ପାଣି ବୋତଲ, ଗଞ୍ଜେଇ ଚିଲମ, ଛୁଞ୍ଚି, ଅଇଁଠା ଚିକେନ୍‌, ମଟନ୍‌ ଗଦା ହୋଇ ରହୁଛି। କେତେବେଳେ ତ କ୍ଲାସ୍‌ରୁମ୍‌ ଭିତରେ ଏହିସବୁ ସାମଗ୍ରୀ ପଡ଼ୁଛି। ଏତିକି ନୁହେଁ କେଉଁ ଦିନ ସ୍କୁଲରେ ଲାଗିଥିବା କବାଟ, ଝରକା, ଚେୟାର, ଟେବୁଲ୍‌ ଚୋରି ହୋଇଯାଉଛି ତ କେତେବେଳେ ଲୁହା ଗ୍ରିଲ, ଷ୍ଟିଲ ରେଲିଂ ଚୋରି ହୋଇଯାଉଛି। କେବଳ ସ୍କୁଲ କର୍ତ୍ତୃପକ୍ଷ ଏମିତି ପରିସ୍ଥିତିର ସମ୍ମୁଖୀନ ହେଉନାହାନ୍ତି ସ୍କୁଲ ନିକଟରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କଲୋନିର ବାସିନ୍ଦା ବି ଭୟରେ ପାଟି ଫିଟାଇବାକୁ ସାହସ କରୁନାହାନ୍ତି। ପୁଲିସକୁ ଅଭିଯୋଗ କଲେ ବି ପାଟ୍ରୋଲିଂ ଗାଡ଼ି ଅଧିକାଂଶ ସମୟରେ ଆସୁନି। ବରଂ ଥାନାକୁ ଫୋନ୍‌ କଲେ ପୁଲିସ ବାବୁ କହୁଛନ୍ତି ଆପଣ ସେଠାକୁ ଯାଆନ୍ତୁନି। ଆମେ ସିନା ଆଜି ପାଟି କରି ଉଠାଇଦେବୁ କାଲି ତ ଆଉ ଆମେ ଉଠାଇବୁନି। ଆପଣମାନେ ସେଠାରେ ସବୁଦିନ ରହିବେ ତେଣୁ ଯାହା ହେଉଛି ତାହା ଚାଲୁ। ଏଭଳି ଉତ୍ତରରେ ସ୍ଥାନୀୟ ବାସିନ୍ଦା କାହା ନିକଟରେ ଅଭିଯୋଗ ନକରି ମୁଣ୍ଡପୋତି ସବୁ ସହି ନେଉଛନ୍ତି।

ସରକାରୀ ସ୍କୁଲ କ୍ୟାମ୍ପସ କିପରି ଅପରାଧୀଙ୍କ ଚରାଭୂଇଁ ପାଲଟିଛି ତାହାର ସଦ୍ୟ ଉଦାହରଣ ହେଉଛି କିଛିଦିନ ତଳେ ଆଇଆର୍‌ସି ଭିଲେଜ୍‌ ସ୍କୁଲ ପରିସରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା। ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଥିବା ସ୍କୁଲ କ୍ୟାମ୍ପସର ସ୍ଥିତି ଏୟା। ଆଉ ଗୋଟିଏ ଉଦାହରଣ ହେଲା କ୍ୟାପିଟାଲ ହାଇସ୍କୁଲ। ରାଜଧାନୀର କେନ୍ଦ୍ରସ୍ଥଳୀରେ ଥିବା ଏହି ସ୍କୁଲର ଖେଳ ପଡ଼ିଆ ନିକଟରେ ନିର୍ମାଣ ହୋଇଥିବା ନୂଆ ସ୍କୁଲ ଗୃହକୁ ଏବେ ଅସାମାଜିକ ଯୁବକମାନେ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଦିନ ରାତି ୨୪ଘଣ୍ଟା ସେଠାରେ ଅସାମାଜିକ ଯୁବକଙ୍କ ଆଡ଼ା ଜମୁଛି। କାଳେ କାହା ନଜର ପଡ଼ିଯିବ ଏଥିପାଇଁ ସ୍କୁଲର କେତେ ଜଣ ଛାତ୍ରଙ୍କୁ ସ୍କୁଲ ସମୟରେ ଏହି ଘର ଆଗରେ ଛିଡ଼ା କରିଦିଆଯାଉଛି। ସ୍କୁଲ ଆଗରେ ଛାତ୍ରମାନେ ପହରା ଦେଉଛନ୍ତି ଏବଂ ଭିତରେ ଆସର ଜମୁଛି। କେତେକ ଛାତ୍ରଙ୍କୁ ବି ଏହି ନିଶାଡ଼ିମାନେ ନିଜ ନିୟନ୍ତ୍ରଣକୁ ନେଇଗଲେଣି। ନିଶାଡ଼ିମାନେ ଚତୁରତାର ସହ ଛାତ୍ରମାନଙ୍କୁ ସେମାନଙ୍କ ଗ୍ୟାଙ୍ଗ୍‌ରେ ସାମିଲ କରିବା ପାଇଁ ବିଭିନ୍ନ ଆଳରେ ସେମାନଙ୍କ ସହ ମିଶୁଛନ୍ତି। ପ୍ରଥମେ ମାଗଣାରେ ନିଶା ଅଭ୍ୟସ୍ତ କରାଉଛନ୍ତି। ନିଶା ଅଭ୍ୟସ୍ତ ହେବା ପରେ ପିଲାଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ନିଶା ଖାଇବାକୁ ବାଧ୍ୟ କରୁଛନ୍ତି। ଯଦି କେହି ସେମାନଙ୍କ କଥାରେ ରାଜି ହେଉନି ସେମାନଙ୍କ ଫଟୋ ଉଠାଇ ବ୍ଲାକ୍‌ମେଲିଂ ବି କରୁଛନ୍ତି। ଏମିତିକି ସ୍କୁଲ ପିଲାମାନଙ୍କୁ ସେମାନଙ୍କ ପାଲରେ ପକାଇ କେତେକ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। କେବଳ କ୍ୟାପିଟାଲ ହାଇସ୍କୁଲ ନୁହେଁ ଭିଏସ୍‌ଏସ୍‌ ନଗର ହାଇସ୍କୁଲ, ଆଇଆର୍‌ସି, ଲକ୍ଷ୍ମୀସାଗର, ରେଣ୍ଟାଲ୍‌ କଲୋନି, ବରମୁଣ୍ଡାରେ ଥିବା ସରକାରୀ ସ୍କୁଲ୍‌ କ୍ୟାମ୍ପସରେ ଏବେ ବି ନିଶାଡ଼ି ଆଡ଼ା ଜମାଉଛନ୍ତି। ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଚିନ୍ତାରେ। ଏନେଇ ଡିସିପି ଅନୁପ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁଲିସ ସବୁବେଳେ ଗୁରୁତ୍ୱ ଦେଇଛି। ସେଠାରେ କୌଣସି ଅସାମାଜିକ କାମକୁ ବରଦାସ୍ତ କରାଯିବ ନାହିଁ। ଯଦି କୌଣସି କ୍ୟାମ୍ପସରେ ନିଶାଡ଼ି ବା ଅସାମାଜିକ ବ୍ୟକ୍ତି ଖଟି ଜମାଉଛନ୍ତି ତେବେ ନିକଟସ୍ଥ ଥାନା କିମ୍ବା କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରନ୍ତୁ। ଆମେ ପିସିଆର୍‌ ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ। ଆମେ ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ପିସିଆର ପଠାଉଛୁ। କୌଣସି ପରିସ୍ଥିତିରେ ବି ଶିକ୍ଷାନୁଷ୍ଠାନ ପରିସରରେ ଅପରାଧୀ କିମ୍ବା ଅପରାଧିକ କାର୍ଯ୍ୟକଳାପକୁ ପ୍ରଶୟ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର