୧୩ ଶିକ୍ଷକ ୩ ଘଣ୍ଟା ଅଟକ

ସ୍କୁଲରେ ଛାତ୍ର ଦାନାଦାର ଖାଇବା ଘଟଣା

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର ସ୍ଥିତ ଜୟଦେବ ସରକାରୀ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟରେ ରାଜେଶ ପରିଡ଼ା (ସନ୍ତୁ) ଦାନାଦାର ଖାଇ ଆତ୍ମହତ୍ୟା କରିବା ଘଟଣା ଆଜି ଉଗ୍ରରୂପ ନେଇଛି। ଆଜି ସ୍କୁଲ ପରିସରରେ ଏନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରାଜେଶର ମୃତ୍ୟୁ ପାଇଁ ସ୍କୁଲର ଶିକ୍ଷକମାନଙ୍କୁ ସଂପୂର୍ଣ୍ଣ ଦାୟୀ କରି ସ୍ଥାନୀୟ ଅଞ୍ଚଳର ଶତାଧିକ ଅଭିଭାବକ ପୂର୍ବାହ୍ନରେ ସ୍କୁଲ ସମ୍ମୁଖରେ ପହଞ୍ଚି ହୋହଲ୍ଲା କରିଥିଲେ। ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛିଡ଼ା ହୋଇ କାର୍ଯ୍ୟରତ ଥିବା ୧୩ ଜଣ ଶିକ୍ଷକଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଅଟକ ରଖିଥିଲେ। ଶନିବାର ଯୋଗୁ ମଧ୍ୟାହ୍ନ ସାଢ଼େ ୧୨ଟାରେ ସ୍କୁଲ ଛୁଟି ହେବା ପରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଛାଡ଼ି ଦେଇଥିଲେ। କିନ୍ତୁ ଭିତରେ ଥିବା ୧୩ ଜଣ ଶିକ୍ଷକଙ୍କୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଏହି ଘଟଣାକୁ ୩ଦିନ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ନିରପେକ୍ଷ ତଦନ୍ତ କରି ସଂପୃକ୍ତ ଶିକ୍ଷକମାନଙ୍କୁ ନିଲମ୍ବିତ କରିବା ସହ ମୃତ ସନ୍ତୁର ପରିବାରକୁ ୧୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦୃଢ଼ ଦାବି କରିଥିଲେ। ଦାୟିତ୍ୱରେ ଥିବା ଡିଇଓ (ଖୋର୍ଧା) ଓ ବିଇଓ (ବାଲିଅନ୍ତା) ଘଟଣାସ୍ଥଳକୁ ନଆସିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଜିଦ୍‌ ଧରିଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଏବଂ ସ୍ଥାନୀୟ ସରପଞ୍ଚ ବାମନ ଚରଣ ଭୋଇ, ବିଶ୍ୱନାଥ ପଣ୍ଡାଙ୍କ ସହିତ ଅନେକ ଭଦ୍ରବ୍ୟକ୍ତି ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ। ମୃତ ଛାତ୍ରର ୫ ଜଣ ସହପାଠୀଙ୍କୁ ଡକାଇ ପୁଲିସ ପଚରାଉଚରା କରିଥିଲା। ଖେଳଛୁଟି ବେଳେ ପିଲାଙ୍କ ଜଗାରଖା ଦାୟିତ୍ୱରେ ଥିବା ଦୁଇ ଶିକ୍ଷକଙ୍କ ବୟାନ ବି ପୁଲିସ ରେକର୍ଡ କରିଥିଲା। ସେମାନଙ୍କ ବୟାନ ଆଧାରରେ ସ୍କୁଲ ପରିସରରେ ଥିବା ବାତ୍ୟା ଆଶ୍ରୟ ସ୍ଥଳର ଦୋମହଲା କୋଠାରେ ପହଞ୍ଚି ସେଠାରେ ପଡ଼ିଥିବା ଦାନାଦାର ଗୁଣ୍ଡର ଫଟୋ ଉଠାଇ ଏହାକୁ ଜବତ କରିଥିଲା। ନୂଆସାହିର କରୁଣାକର ପରିଡ଼ାଙ୍କର ଏକମାତ୍ର ପୁଅ ରାଜେଶ ପରିଡ଼ା ଗତ ୧ ତାରିଖରେ ଦାନାଦାର ଖାଇ ଆତ୍ମହତ୍ୟା କରିଥିଲା।

ସମ୍ବନ୍ଧିତ ଖବର