ଚନ୍ଦକାରେ ଥାଇ ରାଜଧାନୀଦେଖି ନଥିଲେ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠରେ ରହୁଥିଲେ। କିନ୍ତୁ ରାଜଧାନୀରେ ଯେ ଏତେ କଥା ଅଛି, କେବେ ଦେଖି ନଥିଲେ। ନନ୍ଦନକାନନ ତ ଦୂରର କଥା, କେବେ ଲିଙ୍ଗରାଜ ମନ୍ଦିର କି ଧଉଳି ମଧ୍ୟ ଦେଖିବାର ସୁ‌ଯୋଗ ପାଇ ନଥିଲେ। ଆଜି ସହରର ବିଭିନ୍ନ ମନ୍ଦିର ଓ ଧଉଳି ବୁଲିବା ପରେ ଖୁସିରେ ଗଦଗଦ ହୋଇପଡ଼ିଥିଲେ। ଚନ୍ଦକା ଡମପଡ଼ା ହସ୍ତୀ ଅଭୟାରଣ୍ୟସ୍ଥିତ କନ୍ଦଳେଇ ଗ୍ରାମରେ ରହୁଥିବା କିଛି ବାସିନ୍ଦା ଓ ପିଲାମାନେ ସହରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ବେଳେ ତାଙ୍କ ଆଖିରେ ଆଶ୍ଚର୍ଯ୍ୟର ଚିତ୍ର ବାରି ହୋଇପଡ଼ୁଥିଲା।

ସହରରୁ କନ୍ଦଳେଇର ଦୂରତା ୨୫ କିଲୋମିଟର। ‌ପ୍ରାୟ ୨ଶହ କୋହ୍ଲ ଆଦିବାସୀଙ୍କୁ ନେଇ ଜଙ୍ଗଲ ମଧ୍ୟରେ ଗଢ଼ି ଉଠିଛି ଏହି ଗାଁ’। ୧୯୭୮ ମସିହା‌ରୁ‌ ସେମାନେ ଏହି ଗାଁ’ରେ ରହୁଥିଲେ ହେଁ ସେମାନଙ୍କ ଜୀବନଜୀବିକା ଛତାବର ଓ ବିନ୍ଧ୍ୟଗିରି ଭଳି ଅଞ୍ଚଳମାନଙ୍କରେ ସୀମିତ ରହିଯାଇଛି। ଆଖପାଖ ଗାଁରେ କୃଷି ଶ୍ରମିକ ଭାବେ ଖଟି ଗୁଜୁରାଣ ମେଣ୍ଟାଉଥିବାରୁ କେବେ କେମିତି ରାଜଧାନୀରେ ବୁଲିବା ପାଇଁ ମନ ବଳିଛି, ହେଲେ ସୀମିତ ରୋଜଗାର ତାଙ୍କୁ ଏଥିରୁ ବଞ୍ଚିତ କରିଛି। ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ ଏ ସମ୍ପର୍କରେ କିଛି ପିଲାଙ୍କଠାରୁ ଶୁଣିବା ପରେ ଗାଁ ପିଲାଙ୍କ ଆଗ୍ରହ ଦେଖି କିଛି ବ୍ୟକ୍ତିଙ୍କୁ ଏ ବାବଦରେ ସହଯୋଗ ପାଇଁ ନିବେଦନ କରିଥିଲେ। ଗାଁ ଲୋକଙ୍କ ଆଗ୍ରହ ଦେଖି କିଛି ବ୍ୟକ୍ତି ଆର୍ଥିକ ସହ‌ଯୋଗ ଯୋଗାଇ ଦେଇଥିଲେ। ‌ଫଳରେ ପ୍ରାୟ ୫୦ଜଣ ବୟସ୍କ ଓ ପିଲାମାନଙ୍କୁ ଏକାଠି ଗାଡ଼ିରେ ଆଣି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର ଓ ଧଉଳି ବୁଲାଇଥିଲେ। ଲିଙ୍ଗରାଜ ମନ୍ଦିର ମଧ୍ୟରେ ଏକକାଳୀନ ଏତେ ମନ୍ଦିର ସାଙ୍ଗକୁ ଧଉଳିରେ ବୁଦ୍ଧଙ୍କ ମୂର୍ତି ଦେଖିବା ବେଳେ ଅଭିଭୂତ ହୋଇ ପଡ଼ିଥିବା ୫ମ ଶ୍ରେଣୀର ଛାତ୍ରୀ ନିତିମା କହିଛନ୍ତି।

ପରେ ସେମାନେ ରାଜଭବନ ବୁଲିବାର ସୁଯୋଗ ପାଇଥିଲେ। ୱାଟର ଫାଉଣ୍ଟେନ୍‌, ‌ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ ଏବଂ ରଙ୍ଗିନ ମାଛ ପ୍ରଥମଥର ପାଇଁ ଦେଖିପାରିଲେ ବୋଲି ଗ୍ରାମବାସୀମାନେ କହିଛନ୍ତି। ସନ୍ତୋଷ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ରଂଜନ କୁମାର ସାହୁ, ମାନସ ରଂଜନ ମିଶ୍ର ସହଯୋଗ ଯୋଗାଇ ଦେଇଥିଲେ। ପ୍ରିୟବ୍ରତ ପଣ୍ଡା, ପ୍ରଦୀପ୍ତ ରଂଜନ ରାଉତ, ଲକ୍ଷ୍ମୀଧର ସ୍ବାଇଁ, ନାରାୟଣ ପ୍ରଧାନ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ପ୍ରମୁଖ ଗ୍ରାମବାସୀ ଓ ପିଲାଙ୍କୁ ବୁଲାଇବା ସହ ବୁଝାଇବାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର