ଛାତ୍ରଛାତ୍ରୀଙ୍କୁ ଆକର୍ଷଣ କରିବା ପାଇଁ : ଆରମ୍ଭ ହେବ ସାଇନ୍ସ ଓ୍ଵାକ୍‌

ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଓ ଖଣ୍ଡିଗିରିରେ ଐତିହ୍ୟ ପଦଯାତ୍ରା ଭଳି ଖୁବ୍‌ ଶୀଘ୍ର ଆରମ୍ଭ ହେବ ସାଇନ୍ସ ଓ୍ଵାକ୍‌। ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଉଦ୍ଦିଷ୍ଟ ହେବ। ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସୁବିଧାରେ ଯେପରି ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରାହଳୟ, ପ୍ଲାନେଟୋରିୟମ୍‌ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବୁଲିପାରିବେ ସେଥିପାଇଁ ବିଡିଏ ପକ୍ଷରୁ ଏହିଭଳି ଯୋଜନା ପ୍ରସ୍ତୁତ ହେଉଛି। ଆସନ୍ତା ଶୀତ ଋତୁ ପୂର୍ବରୁ ଏହାକୁ ଆରମ୍ଭ କରାଯିବ।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀକୁ ଆସୁଥିବା ପର୍ଯ୍ୟଟକ, ରାଜଧାନୀବାସୀ, ଯୁବପିଢ଼ିଙ୍କ ପାଇଁ ବିଭିନ୍ନ ପ୍ରକାରର ପଦଯାତ୍ରା ଆୟୋଜନ କରାଯାଉଥିବାବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଦଯାତ୍ରା ଆୟୋଜନ ହେବ। ଏଥିରେ ଛାତ୍ରଛାତ୍ରୀ ଯେପରି ବ୍ୟବସ୍ଥିତ ଢଙ୍ଗରେ ତିନିଟି ଯାକ ସ୍ଥାନ ବୁଲିବେ ସେଥିପାଇଁ ବ୍ୟବସ୍ଥା କରାଯିବ। କେଉଁ କେଉଁ ଦିନରେ ଏହି ପଦଯାତ୍ରା ହେବ, କିପରି ଛାତ୍ରଛାତ୍ରୀ ଏଥିରେ ସାମିଲ୍‌ ହେବେ, ଏହା ଯେପରି ନିୟମିତ ହୋଇପାରିବ ସେଥିପାଇଁ ବିଭିନ୍ନ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ଏହାପରେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହେବ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଆଚାର୍ଯ୍ୟ ବିହାର ଛକର ଦୁଇ ପାର୍ଶ୍ୱରେ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରାହଳୟ, ପ୍ଲାନେଟୋରିୟମ୍‌ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ରହିଛି। ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ ବହୁ ଛାତ୍ରଛାତ୍ରୀ ଅଛନ୍ତି। ଏପରିକି ପିକ୍‌ନିକ୍‌ ଋତୁରେ (ନଭେମ୍ବରରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ) ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦୈନିକ ଶହ ଶହ ଛାତ୍ରଛାତ୍ରୀ ଆସୁଛନ୍ତି। ସମସ୍ତେ ଯେପରି ଏଥିରେ ସାମିଲ୍‌ ହେବେ, କମ୍‌ ସମୟରେ ଅଭିଜ୍ଞ ଗାଇଡ୍‌ଙ୍କ ସହାୟତାରେ ଏହି ସବୁ ସ୍ଥାନ ବୁଲି ପାରିବେ ସେଥିପାଇଁ ଏହି ଯୋଜନା ହେଉଛି। ପିଲାଙ୍କ ପାଇଁ ସୁବିଧାରେ ଟିକେଟ୍‌ କରିବାଠାରୁ ଆରମ୍ଭ କରି ଏହି ସବୁ ସ୍ଥାନର ଗୁରୁତ୍ୱ ବିଷୟରେ ଜଣାଇବା ପର୍ଯ୍ୟନ୍ତ ଗାଇଡ୍‌ମାନେ ସବୁଠି ସାହାଯ୍ୟ କରିବେ। ଏବେ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରାହଳୟ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଯଦିଓ କେତେକ ସ୍ଥାନରେ ଇନଷ୍ଟ୍ରକଟର୍‌ ଓ କ୍ୟୁରେଟର୍‌ମାନେ ଏହି କାର୍ଯ୍ୟ କରୁଛନ୍ତି ଏହାଦ୍ୱାରା କିନ୍ତୁ ପିଲାମାନେ ବିଶେଷ ଉପକୃତ ହେଉନାହାନ୍ତି। ତେଣୁ ବିଡିଏ ପକ୍ଷରୁ ଏହି ଯୋଜନା କରାଯାଇଛି। ଏହି ତିନିଟି ସ୍ଥାନରେ ଭିତ୍ତିଭୂମି ବଢ଼ାଇବା ସହିତ ନୂଆ ସୋ’ ଆରମ୍ଭ କରିବା, ନୂଆ ନୂଆ ସାମଗ୍ରୀ ରଖିବାକୁ କୁହାଯାଇଛି। ଏହାଦ୍ୱାରା ଏହି ତିନିଟି ସ୍ଥାନରେ ପର୍ଯ୍ୟଟକ ବଢ଼ିବା ସହ ପିଲାମାନେ ବହୁତ କିଛି ଜାଣିପାରିବେ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଯେଉଁ ସ୍କୁଲ କର୍ତ୍ତୃପକ୍ଷ ସାଇନ୍ସ ଓ୍ଵାକ୍‌ରେ ସାମିଲ୍‌ ହେବେ ସେମାନେ ବିଡିଏକୁ ଆଗୁଆ ସୂଚନା ଦେବେ। ଏହାଦ୍ୱାରା ପିଲାମାନେ ଏଠାରେ ପହଞ୍ଚିବା କ୍ଷଣି ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ସୁବିଧାରେ କରାଯାଇପାରିବ।

ସମ୍ବନ୍ଧିତ ଖବର