ସୁରକ୍ଷାକର୍ମୀ ଗଦାଧର ହତ୍ୟା ମାମଲା: ତଥ୍ୟ ଯୋଗାଡ଼ କରୁଛି ପୁଲିସ

0

ବାଲିଅନ୍ତା: ଜାତୀୟ ରାଜପଥ କଡ଼ରେ ଥିବା ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ ସୋରୁମର ସୁରକ୍ଷା କର୍ମୀ ଗଦାଧର ସ୍ବାଇଁଙ୍କ ହତ୍ୟା ମାମଲା‌ର ୬ ଦିନ ବିତିଯାଇଥିଲେ ମଧ୍ୟ ବାଲିଅନ୍ତା ଥାନା ପୁଲିସ ହତ୍ୟାକାରୀମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିନି। ଏପରିକି ସବୁ ତଥ୍ୟ ପ୍ରମାଣ ବି ହସ୍ତଗତ କରିପାରିନି ପୁଲିସ। ହତ୍ୟାକାରୀଙ୍କୁ ଗିରଫ ଦର୍ଶାଇବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟ ,ଫୋରେନସିକ ଲାବରେଟୋରି ରିପୋର୍ଟ ଏବଂ ମୃତ ଗଦାଧରଙ୍କ ପକେଟରୁ ମିଳିଥିବା ନୋଟ୍‌ରେ ଲେଖା ଅକ୍ଷର ଗଦାଧରଙ୍କର କି ଅପରାଧୀମାନଙ୍କର ତାହା ମେଳ କରିପାରିନି। ଫଳରେ ପୁଲିସ ତଦନ୍ତ କେଉଁ ଦିଗରେ ଯାଉଛି ତାହା ଏଯାଏ ସ୍ପଷ୍ଟ ହୋଇ ପାରୁନାହିଁ।

ଘଟଣାସ୍ଥଳରୁ ମିଳିଥିବା ହାତ ଲେଖା ନୋଟ୍‌ କାହାର ତାହା ଚିହ୍ନଟ କରାଯିବ। ଏଥିପାଇଁ ଆସନ୍ତାକାଲି ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଆକାଉଣ୍ଟ୍‌ରେ ଥିବା ଜମାରାଶି ଓ ଗଦାଧରଙ୍କ ଦସ୍ତଖତ ମିଳା ହେବ ବୋଲି ଜୋନ୍‌ – ୪ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ସେହିପରି ସାଇଣ୍ଟିଫିକ ଟିମ ଫିଙ୍ଗରପ୍ରିଣ୍ଟ ରିପୋର୍ଟ ପୁଲିସ ସଂଗ୍ରହ କରିପାରିନି କି ଶବ ବ୍ୟବଚ୍ଛେଦ ରିପୋର୍ଟ ବି ହସ୍ତଗତ ହୋଇପାରିନି । ବିଭିନ୍ନ ଦିଗରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ସୁଦ୍ଧା ପୁଲିସ ଶେଷ ସିଦ୍ଧାନ୍ତରେ ପହଞ୍ଚିପାରୁନଥିବାରୁ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରୁନି। ଶ୍ରୀ ପଣ୍ଡାଙ୍କ ସୂଚନା ମୁତାବକ ହତ୍ୟା ଘଟଣା ସହିତ ଜଡ଼ିତ କିଛି ତଥ୍ୟ ଓ ପ୍ରମାଣ ମିଳିସାରିଛି ରୋ‌ଷେଇ ଘର ଭିତରୁ ଗଦାଧରଙ୍କ ମୃତଦେହ ନିକଟରୁ ପୁଲିସ ଜବତ କରିଥିବା ‌ତାଙ୍କ ମୋବାଇଲ ଫୋନ୍‌ର କଲ ଡିଟେଲ୍ସ ରିପୋର୍ଟ ଏହା ମଧ୍ୟରେ ପୁଲିସ ପାଇ ସାରିଛି । ଗଦାଧରଙ୍କୁ ହତ୍ୟା କରିବା ପୂର୍ବରୁ କିଏ କେଉଁ ସମୟରେ କ’ଣ ପାଇଁ ଫୋନ କରିଥିଲେ ସେ ସଂପର୍କରେ ପୁଲିସ ସବୁ ଜାଣି ସାରିଛି। ମୋବାଇଲ କଲ ଡିଟେଲ୍ସ ରିପୋର୍ଟରେ ଯେଉଁ ଆସାମୀମାନେ ଥାନାରେ ଅଟକ ଅଛନ୍ତି ତାଙ୍କ ମଧ୍ୟରୁ କେତେଜଣଙ୍କର ସଂପୃକ୍ତି ଥିବା ଜଣାପଡ଼ିଛି। ବାକି ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟ ସଂଗ୍ରହ ହେଲେ ପ୍ରମାଣ ଅଧିକ ବଳିଷ୍ଠ ହେବ ଭାବି ପୁଲିସ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.