ସୁରକ୍ଷା କର୍ମୀ ଗଦାଧର ହତ୍ୟା ମାମଲା: ହତ୍ୟା ନା ଆତ୍ମହତ୍ୟା?

ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ବର: ବାଲିଅନ୍ତା ଥାନା ଅଧୀନ ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ ସୋ’‌ରୁମ୍‌ ସୁରକ୍ଷା କର୍ମୀ ଗଦାଧର ସ୍ବାଇଁ ହତ୍ୟା ଘଟଣା ଉପରୁ ପୁଲିସ ଏକପ୍ରକାର ରହସ୍ୟ ଉନ୍ମୋଚନ କରିସାରିଛି। କେବଳ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଆସନ୍ତାକାଲି ରିପୋର୍ଟ ଆସିବା ପରେ ଗଦାଧରଙ୍କ ହତ୍ୟାର କାରଣ ସ୍ପଷ୍ଟ ହୋଇଯିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବାଲିଅନ୍ତା ଥାନା ପୁଲିସ ଅଟକ ରଖିଥିବା ବୁବୁନାକୁ ଜେରା କରିବା ପରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ବୁବୁନା ଯୋଗୁଁ ସିକ୍ୟୁରିଟି ଗାର୍ଡ ଗଦାଧରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କାରଣ ବୁବୁନା ବିଭିନ୍ନ ସମୟରେ ସେହି ସୋ’‌ରୁମ୍‌ରୁ ମାର୍ବଲ ଚୋରି କରୁଥିଲେ। ଏଥିରେ ସିକ୍ୟୁରିଟି ଗଦାଧରଙ୍କର ମଧ୍ୟ ହାତ ରହୁଥିଲା। ପରବର୍ତୀ ସମୟରେ ଯେତେବେଳେ ମାଲିକ ଜାଣିଲେ, ସେ ସିଧାସଳଖ ଗଦାଧରଙ୍କୁ ଦାୟୀ କରିଥିଲେ। ଏହା ପରେ ଗଦାଧର ସର୍ତକ ହୋଇ ଯାଇଥିଲେ। କିନ୍ତୁ ଏସବୁ ସତ୍ତ୍ବେ ବୁବୁନା ସୋରୁମରୁ ମାର୍ବଲ ଚୋରି କରିବାକୁ ଗଦାଧରଙ୍କୁ ବାଧ୍ୟ କରୁଥିଲା। ଏହି କାରଣରୁ ଏଭଳି ଏକ ଭୟଙ୍କର ଘଟଣା ଘଟିଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଘଟଣା ଦିନ କେ‌ତେକ ପାରିପାର୍ଶ୍ବିକ ପରିସ୍ଥିତି ପୁଲିସକୁ ଅକଳରେ ପକାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ପୁଲିସ ଏକ ହତ୍ୟା ମାମଲା ମଧ୍ୟ ରୁଜୁ କରିଛି। କିନ୍ତୁ ଏହା ଏବେ ଭିନ୍ନ ମୋଡ଼ ନେଇଛି। କାରଣ ଘଟଣା ଦିନ ରୋ‌ଷଇ ଘରେ ଗଦାଧରଙ୍କ ମୃତଦେହ ପଡ଼ିଥିଲା, ସେହି ଘରର ଭିତର ପଟୁ କବାଟ ବନ୍ଦ ଥିଲା। ଜବତ ହୋଇଥିବା ରକ୍ତ ଭିଜା ଛୁରି ତାଙ୍କ ସାର୍ଟ ଓ ଗଞ୍ଜି ଭିତରୁ ମିଳିଥିଲା। ବଡ଼ କଥା ହେଉଛି, ଗଦାଦରଙ୍କ ପକେଟରୁ ଜବତ ହୋଇଥିବା ଏକ ନୋଟ। ଯେଉଁଥିରେ ସ୍ପଷ୍ଟ ଭାବେ ସେ ବୁବୁନାଙ୍କୁ ଦାୟୀ କରିଥିଲେ। ଯେଉଁ ସ୍ଥାନରେ ଗଦାଧରଙ୍କ ମୃତଦେହ ପଡ଼ିଥିଲା, ଠିକ୍‌ ମୁଣ୍ଡ ଉପରେ ଏକ ଗାମୁଛା ମଧ୍ୟ ଟଙ୍ଗା ଯାଇଥିଲା। ଗାମୁଛାରେ ଗଣ୍ଠି ପଡ଼ିଥିବା ଦାଗ ଥିଲା। ସେହିପରି ଗଦାଧରଙ୍କ ତଣ୍ଟିରେ ଯେଉଁ ଗର୍ତ ହୋଇଛି, ତାକୁ ନେଇ ମଧ୍ୟ ଡାକ୍ତରଙ୍କ ମାଧ୍ୟମରେ ତଜର୍ମା ଚଳାଇଛି ପୁଲିସ। ଜବତ ଛୁରିର ମଧ୍ୟ ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି ପୁଲିସ। ସେଥିରେ ଯେଉଁ ବ୍ୟକ୍ତିର ଫିଙ୍ଗରପ୍ରିଣ୍ଟ ରହିଛି ତାକୁ ଦେଖି ମଧ୍ୟ ପୁଲିସ ଘଟଣାକୁ ନେଇ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ତେଣୁ ଗଦାଧରଙ୍କ ମୃତ୍ୟ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା, ତାହା ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟ ସ୍ପଷ୍ଟ ହୋଇଯିବ। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ସହିତ ସୂଚନା ଦିଆଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ପ୍ରକାଶଯୋଗ୍ୟ, ଭୁବନେଶ୍ବର-କଟକ ଜାତୀୟ ରାଜପଥ କଡ଼ରେ ଥିବା ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ୍‌ ସୋ’ ରୁମ୍‌ର ସୁରକ୍ଷାକର୍ମୀ ଗଦାଧରଙ୍କୁ ୨୭ ତାରିଖରେ ହତ୍ୟା କରାଯାଇଥିଲା। ପୂର୍ବରୁ ଏଠାରେ ସେଲ୍ସମ୍ୟାନ୍‌ ଭାବେ କାମ କରୁଥିବା ବୁବୁନାର ସାନଭାଇ ପ୍ରିୟବ୍ରତ ଭୂୟାଁ ଓ ଏଠାରେ ସୁଇପର ଭାବେ କାମ କରୁଥିବା ଏରସମା ଥାନା ରଶଗଡ଼ାପୁର ଗ୍ରାମର ସୁଇପର ବିଦୁର ମଲ୍ଲିକଙ୍କୁ ପୁଲିସ ହେପାଜତ୍‌କୁ ନେଇଥିଲା। ଏ ସମସ୍ତଙ୍କୁ ପଚରାଉଚରା ପରେ ଏଭଳି ରୋଚକ ତଥ୍ୟ ପଦାକୁ ଆସିଥିଲା। କଟକ ଜିଲ୍ଲା ସାଲେପୁର ଥାନା ମିର୍ଜାପୁର ଗ୍ରାମର ବୁବୁନା ଓରଫ ଦିବାକର ଭୂୟାଁ ସୋ’ରୁମ୍‌ର ଜଣେ ପୂର୍ବତନ କର୍ମଚାରୀ। କୌଣସି କାରଣରୁ ମାଲିକଙ୍କର ସନ୍ଦେହ ହେବାରୁ ସେ କିଛି ମାସ ତଳେ ସୋ’ରୁମରୁ ତଡ଼ା ଖାଇ ଅନ୍ୟତ୍ର କାମ କରୁଥିଲେ। ଚାକିରିରୁ ବାହାରି ଯାଇଥିଲେ ହେଁ ବୁବୁନାର ମାର୍ବଲ ସୋ’ରୁମକୁ ଯିବା ଆସିବା ଲାଗି ରହିଥିଲା। ଏପରିକି ସୋ’ରୁମରୁ ମାର୍ବଲ ମଧ୍ୟ ଚୋରି କରୁଥିଲା।

ସମ୍ବନ୍ଧିତ ଖବର