ଭୁବନେଶ୍ବର : ରାଜଧାନୀରେ ଆଉ ମାତ୍ର ୨ଦିନ ପରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଭୋଟ୍ ହାତେଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ନିର୍ବାଚନ ପୂର୍ବରୁ ମାତ୍ର ୨ ରାତି ଥିବାରୁ ରାତିରେ ଅଧିକାଂଶ ଅପରାଧ ଓ ଅଘଟଣ, ଟଙ୍କା କାରବାର, ଚୋରାମଦ, ଭୋଜିଭାତ ଆଦି କାର୍ଯ୍ୟକଳାପ ହେବାର ଆଶଙ୍କା କରାଯାଉଛି। ତେଣୁ ନିର୍ବାଚନକୁ କିଭଳି ସୁରୁଖୁରୁରେ କରାଯିବ, କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି। ପୁଲିସ କମିସନର ସତ୍ୟଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡିସିପି ଅନୁପ ସାହୁ, ସମସ୍ତ ଜୋନ୍ ଏସିପି ଓ ଥାନା ଆଇଆଇସିଙ୍କୁ ଡକାଇ ଘନଘନ ବୈଠକ କରାଯାଉଛି। ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ଯଦି କୌଣସି ପ୍ରକାର ବିଶୃଙ୍ଖଳା ଉପୁଜେ, କିଭଳି ତାକୁ ନିୟନ୍ତ୍ରଣ କରାଯିବ, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ଏଥିପାଇଁ ରାଜଧାନୀର କେତେକ ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ସେହି ବୁଥ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କେତେ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସରିଛି। ବିଶେଷକରି ଭୁବନେଶ୍ବରରେ ୪୯୫ ଭୋଟ ଗ୍ରହଣ କେନ୍ଦ୍ରରେ ୧୧୫୬ଟି ବୁଥ୍ ରହିଛି। ସେଥିମଧ୍ୟରୁ ୧୮୧ବୁଥ୍ ସମ୍ବେଦନଶୀଳ ଓ ୪୪ଟି ଅତ୍ୟନ୍ତ ସମମ୍ବେଦନଶୀଳ ବୁଥ୍ ରହିଛି। ଏଥିପାଇଁ ୪୪ଟି ମୋବାଇଲ ଟିମ୍ ସହରରେ ପଇଁତରା ମାରିବା ଆରମ୍ଭ କରିଦେଇଛି। ୨୦ଜଣ ସେକ୍ଟର ଅଫିସର, ୧୧ଏସିପି, ୫ଟି ଫ୍ଲାଇଂ ସ୍କ୍ବାଡ୍ ଓ ୨୫ଶହ ପୁଲିସ ଫୋର୍ସ ନିଜର ପ୍ରସ୍ତୁତି କରିସାରିଛନ୍ତି। ଏହାଛଡ଼ା ଭୁବନେଶ୍ବରେ ଥିବା ବିଭିନ୍ନ ହୋଟେଲ, ଲଜ୍ ଆଦିରେ ଯାଞ୍ଚ କରାଯାଉଛି। ବିଳମ୍ବିତ ରାତିରେ ବିଭିନ୍ନ ଛକ, ସହରର ପ୍ରବେଶ ପଥରେ ବ୍ଲକିଂ କରାଯାଉଛି। ସେହିପରି ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଦଫାରେ ଗିରଫ କରିବାକୁ ସମସ୍ତ ଥାନା ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।