ଥାଲାସେମିଆ କେୟାର ସୋସାଇଟ୍‌ ଆଲୋଚନାଚକ୍ର

ସଠିକ୍‌ ମାନର ରକ୍ତ ଓ ସଚେତନତା ଥାଲାସେମିଆକୁ ରୋକି ପାରିବ

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବାକୁ ହେଲେ ରୋଗୀଙ୍କୁ ସଠିକ୍‌ମାନର ରକ୍ତ ଓ ସଚେତନତା ଆବଶ୍ୟକ ରହିଛି। ରବିବାର ରେଡ୍‌କ୍ରସ ଭବନଠାରେ ଥାଲାସେମିଆ କେୟାର ସୋସାଇଟ୍‌ ପକ୍ଷରୁ ଶୀର୍ଷକ ‘ୱି କ୍ୟାନ୍‌ କଙ୍କର ଥାଲାସେମିଆ’ ଉପରେ ଆୟୋଜିତ ଆଲୋଚନାଚକ୍ରରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଥିଲେ। ଅତିଥିମାନେ କହିଥିଲେ ଯେ, ଥାଲାସେମିଆ ଏକ ବଂଶାନୁଗତ ରୋଗ। ଏହାର ପ୍ରତିକାର ପାଇଁ ଲୋକମାନଙ୍କ ମଧ୍ୟରେ ସ‌ଚେତନତା ଆବଶ୍ୟକ। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ସେମାନେ ବିଶେଷଜ୍ଞଙ୍କ ପରାମର୍ଶ କରବା ଉଚିତ୍‌। ବିଶେଷ କରି ଏହି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ‌ବିବାହ ପୂର୍ବରୁ କେତେକ ପରାମର୍ଶ ନେବା ଆବଶ୍ୟକ। ରୋଗରେ ଆକ୍ରାନ୍ତ ମହିଳାମାନେ ଗର୍ଭାବସ୍ଥା ସମୟରେ ଶିଶୁର ଥାଲାସେମିଆର ପରୀକ୍ଷଣ କରାଇବା ଆବଶ୍ୟକ। ସେହିପରି ଥାଲାସେମିଆ ରୋଗୀଙ୍କୁ ବାରମ୍ବାର ରକ୍ତ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ହେଲେ ଆଜିକାଲି ରୋଗୀଙ୍କୁ ସଠିକ୍‌ ମାନର ରକ୍ତ ଦିଆଯାଉ ନାହିଁ। ଫଳରେ ସେମାନେ ବିଭିନ୍ନ ରୋଗ‌ର ଆକ୍ରାନ୍ତ ହେଉଛନ୍ତି। ସରକାର ଏଥିପ୍ରତି ଗୁରୁତ୍ବ ଦେବା ସହ ରୋଗୀଙ୍କୁ ସଠିକ୍‌ ମାନର ରକ୍ତ, ଔଷଧ ଏବଂ ଉନ୍ନତ ମାନର ଚିକିତ୍ସାକେନ୍ଦ୍ର ପ୍ରତିଷ୍ଠା କଲେ ଏ ସବୁର ସମାଧାନ ସମ୍ଭବ ବୋଲି ଅତିଥିମାନେ ମତପୋଷଣ କରିଥିଲେ। ଅନୁଷ୍ଠାନର ସଭାପତି ବିଜୟ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମ୍ମାନିତ ଅତିଥିଭାବେ ଡା. ସୁନୀଲ ଭଟ୍ଟ, ପ୍ରଶାସକ ସନ୍ୟାସୀ ବେହେରା, ଦେବାଶିଷ ମିଶ୍ର, ଜୟଦୀପ ଘୋଷ ଏବଂ ସ୍ବରୂପ ଦାସ ଯୋଗଦେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଶତାଧିକ ଥାଲାସେମିଆ ‌ରୋଗୀ ଯୋଗଦେଇ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି ପତିତପାବନ ସାହାଣି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର