ତଡ଼ିଦେଲା ପୁଅ, ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ବୃଦ୍ଧ ଦମ୍ପତି

ଭୁବନେଶ୍ୱର: ମାନବିକତା ହରାଇଲା ପୁଅ। ଯେଉଁ ବୟସରେ ଯତ୍ନ ନେବା କଥା, ସେହି ବୟସରେ ବାପା ମା’ଙ୍କୁ ଘରୁ ତଡ଼ି ଦେଲା। କେବଳ ତଡ଼ି ଦେଲା ନାହିଁ ବରଂ ଘରକୁ ଆସିଲେ ପରିଣାମ ଭୟାବହ ହେବ‌ ବୋଲି ଚେତାବନୀ ଦେଇଛି। ଜୀବନ ପ୍ରତି ବିପଦ ଥିବାରୁ ବୃଦ୍ଧ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମାନେ ହେଉଛନ୍ତି ବ୍ରହ୍ମପୁର ପ୍ରେମନଗରର ଜାମୁଲା କେଶବ ରାଓ(୮୨) ଓ ତାଙ୍କ ପତ୍ନୀ ଜାମୁଲା ଯଶୋଦା(୭୭)। ସେମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ସୁରକ୍ଷା ଲୋଡ଼ିଛନ୍ତି। ପୁଅକୁ ଘରୁ ବାହାର କରିବା ସହ ଉଭୟ ଦମ୍ପତିଙ୍କୁ ନିଜ ଘରେ ସୁରକ୍ଷିତ ରହିବାର ସୁଯୋଗ ଦେବାକୁ ଗୁହାରି କରିଛନ୍ତି। ଅଭିଯୋଗକୁ ଗୁରୁତ୍ବର ସହ ନେଇ ଉଭୟଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ବ୍ରହ୍ମପୁର ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ନିର୍ଦ୍ଦେଶ ଦିଆଯାଇଛି।

ତାଙ୍କର ଅଭିଯୋଗ ମୁ୍ତାବକ ଉଭୟଙ୍କର ଏକମାତ୍ର ପୁଅକୁ ବ୍ୟବସାୟରେ ପ୍ରତିଷ୍ଠିତ କରାଇବାରେ ଉଭୟ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ପୁଅ ବ୍ୟବସାୟରେ ପ୍ରତିଷ୍ଠିତ ହୋଇଥିଲା। ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦମ୍ପତି ପୁଟପର୍ତି ଚାଲି ଯାଇଥିଲେ। ସେମାନେ ଫେରିବା ବେଳକୁ ପୁଅ ବ୍ୟବସାୟକୁ ମାଟିରେ ମିଶାଇ ଦେଇଥିଲା। ୩ଟି ବିବାହ କରିଥିଲା। ଘରେ ବାପ ମା’ଙ୍କୁ ପୂରାଇ ଦେଇନଥିଲା। ବରଂ ବାପାଙ୍କ ନାମରେ ପାଲଟା ଅଭିଯୋଗ କରି ହତାଶ କରିଥିଲା। ଏଣୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ।

ସମ୍ବନ୍ଧିତ ଖବର