ସିରିଜ୍‌ ଦୁର୍ଘଟଣା, ଗାଡ଼ି ଚାଳକକୁ ନିର୍ଧୁମ ଛେଚି ପୁଲିସ ଜିମା ଦେଲେ

ଭୁବନେଶ୍ୱର: ଏକ ମାଲବାହୀ ଅଟୋ ସିରିଜ୍‌ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଖସି ଯାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଛି। ଉତ୍ତ୍ୟକ୍ତ ଲୋକେ ଗାଡ଼ି ଭଙ୍ଗାରୁଜା କରିବା ସହ ଚାଳକକୁ ନିଧୁର୍ମ ଛେଚି ପୁଲିସ ଜିମା ଦେଇଛନ୍ତି। ଏହି ଦୁର୍ଘଟଣାରେ ୪ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ଆଜି ଅପରାହ୍‌ଣରେ କଟକ ଆଡ଼ୁ ଆସୁଥିବା ଏକ ମାଲବାହୀ ଅଟୋ ପଳାସୁଣୀ ଛକରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ଥିବା ଦୁଇଜଣ ରାସ୍ତାରେ ଛିଟିକି ପଡ଼ିଥିଲେ। ଏହା ଦେଖି ଅଟୋ ଚାଳକ ଦ୍ରୁତଗତିରେ ସେଠାରୁ ପଳାଇଗଲା। କିଛି ଯୁବକ ବାଇକ୍‌ରେ ପିଛା କରିବାରୁ ଗାଡ଼ି ମୁଖ୍ୟ ରାସ୍ତାରେ ନ ଯାଇ ପଳାସୁଣୀ, ଜିଜିପି କଲୋନି ଦେଇ ରସୁଲଗଡ଼ ଛକରେ ବାହାରିଥିଲା। ଏହା ଭିତରେ ଦୁଇଜଣ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ସେଠାରେ ନ ରହି ପଳାଉଥିବାରୁ ତାକୁ ଦୁଇଜଣ ଯୁବକ ବାଇକ୍‌ରେ ପିଛା କରିଥିଲେ। ରସୁଲଗଡ଼ରୁ ବାଣୀବିହାର ଯିବା ରାସ୍ତାରେ ଅଟୋ ଆଉ ଦୁଇଜଣଙ୍କୁ ମଧ୍ୟ ଧକ୍କା ଦେଇଥିଲା। ସେଠାରେ ତାକୁ ପିଛ କାରିବାରୁ ସେ ସହିଦ ନଗର ଭିତରେ ଗାଡ଼ି ଭର୍ତ୍ତି କରିଥିଲା। ମାତ୍ର ରାସ୍ତା ଜାମ୍‌ ଥିବାରୁ ଧରା ପଡ଼ିଯାଇଥିଲା। ପିଛା କରୁଥିବା ୪ ଜଣ ଯୁବକ ଓ ସେଠାରେ ଜମା ହୋଇଥିବା ୨୦ରୁ ଊର୍ଧ୍ବ ଯୁବକ ତାକୁ ନିର୍ଧୁମ ଛେଚିଥିଲେ। ଗାଡ଼ିର କାଚ ମଧ୍ୟ ଭାଙ୍ଗି ଦେଇଥିଲେ। ଶେଷରେ ତାକୁ ସହିଦ ନଗର ଥାନା ଜିମା ଦେଇଥିଲେ। ଅନ୍ୟପଟେ ଆହତ ୪ ଜଣଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପଳାସୁଣୀରୁ ସହିଦ ନଗର ପର୍ଯ୍ୟନ୍ତ ୪୦ ମିନିଟ୍‌ ଧରି ଏଭଳି ଧାଁ-ଧପଡ଼ ଚାଲିଥିଲେ ମଧ୍ୟ ପୁଲିସ ସୁରାକ ପାଇନାହିଁ।

ସମ୍ବନ୍ଧିତ ଖବର