ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର: ବାଣୀବିହାର ରେଳ ଓଭରବ୍ରିଜ୍‌ ଉପରେ ଆଜି ସନ୍ଧ୍ୟା ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ସିରିଜ୍‌ ଦୁର୍ଘଟଣା ଘଟିଛି। ରାଜପଥ ଅତିକ୍ରମ କରୁଥିବା ଜଣେ ସାଇକେଲ୍‌ ଆରୋହୀଙ୍କୁ ବଞ୍ଚାଇବା ପାଇଁ ରସୁଲଗଡ଼ ପଟୁ ଆସୁଥିବା ଏକ କାର୍‌ ହଠାତ୍‌ ବ୍ରେକ୍‌ ମାରିବାରୁ ଏପରି ଅଘଟଣ ଘଟିଛି। ପଛପଟୁ ଦ୍ରୁତ ଗତିରେ ଆସୁଥିବା ଆଉ ତିନୋଟି କାର୍‌ ପଛକୁ ପଛ ପିଟି ହୋଇଯାଇଥିଲେ। ମଝିରେ ଥିବା ଦୁଇଟି ଗାଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଗରେ ଓ ପଛରେ ଥିବା ଗାଡ଼ି ୨ଟିର ସାମାନ୍ୟ କ୍ଷତି ହୋଇଛି। ମଝିରେ ଥିବା ଏକ ଗାଡ଼ିର ଜଣେ ଚାଳକ ଆହତ ହୋଇଥିବା ବେଳେ ତାଙ୍କ ଏକ ଘରୋଇ ହସ୍ପିିଟାଲ୍‌ରେ ଭର୍ତି କରାଯାଇଛି। ଅନ୍ୟ ଗାଡ଼ିର ଚାଳକ ଓ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାସ୍ତା ମଝିରେ ଦୁର୍ଘଟଣା ଘଟିଥିବାରୁ ଅଧ ଘଣ୍ଟା ଧରି ରସୁଲଗଡ଼-ବାଣୀବିହାର ମଧ୍ୟରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ସହିଦ୍‌ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ସୂଚନା ମୁତାବକ, ରସୁଲଗଡ଼ ପଟୁ ଏକ କାର୍‌(ଓଡି ୦୨ ୱାଇ ୭୪୮୫) ଆସୁଥିଲା। ବାଣୀବିହାର ଓଭର ବ୍ରିଜ୍‌ ଉପ‌ରେ ଜଣେ ସାଇକେଲ୍‌ ଆରୋହୀ ବାଣୀବିହାର ଷ୍ଟେସନ୍‌ ପଟୁ ସତ୍‌ସଙ୍ଗ ବିହାର ଆଡ଼କୁ ଯିବା ପାଇଁ ରାଜପଥ ଅତିକ୍ରମ କରୁଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ବ୍ରେକ୍‌ ଲଗାଇବାରୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌(ଓଡି ୦୨ ଜି୨୩୪୮) ଏହି ଗାଡ଼ିକୁ ପିଟିଥିଲା। ଏହା ପଛରେ ଆସୁଥିବା କାର୍‌(ଓଡି ୦୨ ଏଟି ୧୩୩୪), (ଓଡି ୦୨ ୱାଇ ୧୯୯୯) ପଛକୁ ପଛ ପିଟି ହୋଇଥିଲେ। ମଝିରେ ଥିବା କାର୍‌ (ଓଡି ୦୨ ଜି୨୩୪୮) ଉଭୟପଟୁ ମାଡ଼ ହୋଇଥିବାରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର