ରାଜଧାନୀରେ ସିରିଜ୍‌ ଲୁଟ ଘଟଣା: ଲୁଟେରାଙ୍କ ସ୍ପିଡ୍‌ ବାଇକ୍‌ ପୁଲିସର ଧତଡ଼ା ଭ୍ୟାନ୍‌

ଲୁଟେରାଙ୍କ ସ୍ପିଡ୍‌ ବାଇକ୍‌, ପୁଲିସର ଧତଡ଼ା ଭ୍ୟାନ୍‌

ଭୁବନେଶ୍ବର: ଲୁଟେରା ଗ୍ୟାଙ୍ଗ୍ ଚଢ଼ୁଛନ୍ତି ହାଇସ୍ପିଡ୍ ବାଇକ। ଆଖି ପଛୁଳାକେ ଚେନ୍ ଓ ମୋବାଇଲ ଫୋନ୍‌ ଝାମ୍ପି ନେଉଛନ୍ତି। କିନ୍ତୁ ସେମାନଙ୍କୁ ଗୋଡ଼ାଉଥିବା କମିସନରେଟ ପୁଲିସର ପିସିଆରଗୁଡ଼ିକର ଅବସ୍ଥା ସଂଘାତିକ। କେଉଁ ଭ୍ୟାନ୍‌ ଧତଡ଼ା ହୋଇ ଗଲାଣି ତ ଆଉ କାହାର ଚକା ହୁଗଳି ଗଲାଣି। କାହାର ସିଟ୍‌ ଧଡ଼ଧଡ଼ ହେଉଛି। ବେଳେ ବେଳେ ଷ୍ଟାର୍ଟ ମଧ୍ୟ ହେଉନାହିଁ। କେବଳ ପିସିଆର ଭ୍ୟାନ କାହିଁକି, ବିଟ୍‌ ପାଟ୍ରୋଲିଂ ପାଇଥିବା ପିସିଆର ବାଇକ ମଧ୍ୟ ଅନେକ ଥାନାରେ ଖତ ଖାଉଛି। ଏହା ହେଉଛି କମିସନରେଟ ପୁଲିସ ଅଧୀନରେ ଚାଲୁଥିବା ପିସିଆର୍‌ ଭ୍ୟାନ୍‌ ଓ ବାଇକର ବାସ୍ତବିକ ଅବସ୍ଥା। ଏଭଳି ପିସିଆର୍‌ ଭ୍ୟାନ୍‌ ଓ ବାଇକରେ ପିଛା କଲେ ଲୁଟେରା ଧରାପଡ଼ିବେ କି ଲୁଟ୍‌ ସାମଗ୍ରୀ ଉଦ୍ଧାର ହେବ ତାହା ଜଳଜଳ ହେଇ ଦେଖାଯାଉଛି। ଗତ ୪ ଦିନ ହେବ ରାଜଧାନୀରେ ଚେନ୍‌ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି। ବୁଲି ବୁଲି ବିଭିନ୍ନ ଅଞ୍ଚଳରେ ସରିଜ୍‌ ଲୁଟପାଟ୍‌ କରୁଛନ୍ତି। ଲୁଟ୍‌ ସମୟରେ ଆକ୍ରମଣ ମଧ୍ୟ କରିବାକୁ ପଛାଉ ନାହାନ୍ତି। ଯେଉଁମାନେ ଲୁଟ୍‌ର ଶିକାର ହୋଇଛନ୍ତି, ସେମାନଙ୍କ କହିବା ଅନୁଯାୟୀ ୬ ଜଣ ଯୁବକ ଦୁଇଟି ହାଇସ୍ପିଡ୍‌ ବାଇକରେ ଆସି ଏଭଳି ଲୁଟପାଟ୍‌ କରି ଆରାମରେ ଖସି ଗଲେ। ପୁଲିସକୁ ଖବର ଦେଲେ ପୁଲିସର ପିସିଆର ଭ୍ୟାନ ପ୍ରଥମେ ଆସୁଛି। ଯେଉଁ ପିସିଆର୍‌ ଆସୁଛି ସେଥିରେ ଲୁଟେରାମାନଙ୍କୁ ପିଛା କରିବା ସମ୍ଭବ ନୁହେଁ। ଏହା ହେଉଛି ଆମ କମିସନରେଟ ପୁଲିସର ଥାନା ଓ ଫାଣ୍ଡିରେ ବାସ୍ତବିକ ଚିତ୍ର। ରିଜର୍ଭ ଗ୍ରାଉଣ୍ଡ ଭିତରେ ଏଭଳି ମାଳମାଳ ପିସିଆର୍‌ ଭ୍ୟାନ ଓ ବାଇକ ଖତ ଖାଉଛି। ଲକ୍ଷାଧିକ ଟଙ୍କାର ଏହି ସବୁ ଗାଡ଼ି ଏବେ କବାଡ଼ି ହେବାକୁ ଯାଉଛି। ଯେଉଁ ଲକ୍ଷ୍ୟ ନେଇ ପିସିଆର୍‌ ଭ୍ୟାନ ଓ ବାଇକ ଆସିଥିଲା ତାହା ଏବେ ପୂରଣ ହୋଇ ପାରୁନାହିଁ।

ଯାହା ସୂଚନା ମିଳିଛି ୨୦୦୮ରେ କମିସନରେଟ ପୁଲିସ ବ୍ୟବସ୍ଥା ଲାଗୁ ହେବା ପରେ ପ୍ରଥମ ପର୍ଯ୍ୟାୟରେ ପିସିଆର୍‌ ଭ୍ୟାନ ଯୋଗାଇ ଦିଆଯାଇଥିଲା। ପ୍ରଥମେ ପ୍ରଥମେ ପିସିଆର ଭ୍ୟାନର ଜୋରଦାର ପ୍ରଭାବ ପଡ଼ିଥିଲା। କିନ୍ତୁ ଲୁଟେରାମାନେ ମୁଖ୍ୟ ରାସ୍ତା ଛାଡ଼ି ଗଳିକନ୍ଦିରେ ଲୁଟିବା ଆରମ୍ଭ କଲେ। ଫଳରେ ୨୦୧୨ରେ ବିଟ୍‌ ପାଟ୍ରୋଲିଂ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ କମିସନରେଟ ପୁଲିସକୁ ପ୍ରଥମ ପର୍ଯ୍ୟାୟରେ ୩୧ଟି ପିସିଆର ବାଇକ ଯୋଗାଇ ଦିଆଯାଇଥିଲା। ବିଳମ୍ବିତ ରାତିରେ ଗଳିକନ୍ଦିରେ ପୁଲିସ ଅଫିସରମାନେ ଏହି ପିସିଆର ବାଇକରେ ପଇଁତରା ମାରିବା ଆରମ୍ଭ କରିଥିଲେ। ପରେ ୨୦୧୩ ରେ ୧୭ଟି ଓ ୨୦୧୭-୧୮‌ ମସିହାରେ ୫୬ଟି ବାଇକ ଯୋଗାଇ ଦିଆଯାଇଥିଲା। କିନ୍ତୁ ଏବେ ଏହି ସବୁ ମଧ୍ୟରୁ ଅଧିକାଂଶ ବାଇକର ଆଉ ଦେଖା ମିଳୁନି। ଏଗୁଡ଼ିକ ଏବେ ରାଜଧାନୀ ବିଭିନ୍ନ ଥାନା ଓ ରିଜର୍ଭ ପଡ଼ିଆ ପଡ଼ି ରହିଛି। ଥାନା ଅଧିକାରୀ ଓ ଅଫିସରଙ୍କ ଖାମ ଖିଆଲି ଯୋଗୁ ଭଲ ଭଲ ବାଇକଗୁଡ଼ିକର ଅବସ୍ଥା ଏଭଳି। ସାମାନ୍ୟ ଟିକେ ମରାମତି ଅଭାବରୁ ଗାଡ଼ିଗୁଡ଼ିକ ନଷ୍ଟ ହେଉଛି। ଯାହାର ପ୍ରଭାବ ରାଜଧାନୀର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପଡୁଛି। ଫଳରେ ଲୁଟେରାମାନେ ଏହାର ଫାଇଦା ଉଠାଇ ପୁଲିସକୁ ଚ୍ୟାଲେଞ୍ଜ କରୁଛନ୍ତି।

୩ ଦିନ ପରେ ବି ପୁଲିସ ହାତ ଖାଲି
ଏବେ ବି ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ। ଗତ ୪ ଦିନ ତଳେ ଯେଉଁ ଭଳି ଭା‌ବେ ଲୁଟେରାମାନେ ହାଇସ୍ପିଡ ବାଇକରେ ନନ୍ଦନକାନନ, ଇନଫୋସିଟି, ଚନ୍ଦ୍ରଶେଖରପୁର, ସହିଦନଗର ଓ ଖଣ୍ଡଗିରି ଥାନା ଅଞ୍ଚଳରେ ସିରିଜ ଲୁଟ୍‌ କଲେ, ତାହା ପୁଲିସ ପାଇଁ ଚ୍ୟାଲେଞ୍ଚ ସଦୃଶ। କିନ୍ତୁ ଏଯାଏ ପୁଲିସ ଲୁଟେରା ଗ୍ୟାଙ୍ଗର ସନ୍ଧାନ ପାଇ ପାରିଲା ନାହିଁ। ଓଲଟି ସେମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ରାଜଧାନୀରେ ଲୁଟପାଟ ଜାରି ରଖିଛନ୍ତି। ୪ ଦିନ ମଧ୍ୟରେ ରାଜଧାନୀରେ ଏକାଧିକ ସ୍ଥାନରେ ସମାନ ଢଙ୍ଗରେ ଲୁଟ୍‌ ହୋଇଛି। ଥାନାରେ ଏ ନେଇ ଅଭିଯୋଗ ମଧ୍ୟ ହୋଇଛି। କେତେକ ଘଟଣାରେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ ମଧ୍ୟ କରିବାକୁ ଆସୁନାହାନ୍ତି। ବଡ଼ କଥା ହେଉଛି ଏହି ଚେନ୍‌ ଲୁଟେରା ଗ୍ୟାଙ୍ଗ ଯୁବତୀ ଓ ମହିଳାମାନଙ୍କ ଛଡ଼ା ଯୁବକମାନଙ୍କଠାରୁ ମଧ୍ୟ ଲୁଟ୍‌ପାଟ୍‌ କରୁଛନ୍ତି। ଯାହା ନନ୍ଦନକାନନ, ଇନ୍‌ଫୋସିଟି, ଚନ୍ଦ୍ର‌େଶେଖରପୁର ଓ ଗତକାଲି ଖଣ୍ଡଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ସେହିପରି ନୂଆ କରି ଥାନାଗୁଡ଼ିକରେ ଯୋଗ ଦେଇଥିବା ଇନ୍ସପେକ୍ଟରମାନଙ୍କର ମଧ୍ୟ ରାଜଧାନୀର ଅପରାଧୀମାନଙ୍କ ସମ୍ପର୍କରେ ଏତେଟା ସୂଚନା ନାହିଁ। ସେମାନଙ୍କ ଅଞ୍ଚଳରେ କେଉଁ କେଉଁ ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ ସେ ସମ୍ପର୍କରେ ଇନ୍ସପେକ୍ଟରମାନଙ୍କ ପାଖରେ ତଥ୍ୟ ନାହିଁ।

ଆଡଭାଇଜରି ଜାରି କଲା କମିସନରେଟ ପୁଲିସ
ରାଜଧାନୀରେ ଚେନ୍ ଲୁଟେରାମାନେ ସିରିଜ ଲୁଟ ଓ ଆକ୍ରମଣ କରିବା ପରେ ଆଜି କମିସନରେଟ ପୁଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପୁଲିସ କମିସନର ସତ୍ୟଜିତ ମହାନ୍ତି ଜୋନାଲ ଏସିପି ଓ ସମସ୍ତ ଥାନା ଇନ୍ସପେକ୍ଟରଙ୍କ ଉଦ୍ଦେଶ୍ୟରେ ଏକ ଆଡଭାଇଜରି ଜାରି କରିଛନ୍ତି। ସେଗୁଡ଼ିକୁ ପାଳନ କରିବାକୁ ମଧ୍ୟ ପୁଲିସ କମିସନର ଶ୍ରୀ ମହାନ୍ତି ନିର୍ଦେ ଦେଇଛନ୍ତି।
ଥାନା ଅଞ୍ଚଳରେ ଥିବା ଅପରାଧପ୍ରବଣ ଅଞ୍ଚଳ ଚିହ୍ନଟ କର
ଫୁଟ୍‌ ପାଟ୍ରୋଲିଂକୁ ଅଧିକ ମଜଭୁତ କର
ପିସିଆର‌୍ ବାଇକ ଅପରାଧ ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ନିର୍ଦେଶ
ପିସିଆର ବାଇକ୍‌ରେ ଥିବା ଅଫିସରମାନେ ଆତ୍ମରକ୍ଷା ପାଇଁ ବନ୍ଧୁକ ରଖି ପାରିବେ
ରାତି ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବ୍ଲକିଂ କରିବାକୁ ଥାନା ଇନ୍ସପେକ୍ଟରଙ୍କୁ ନିର୍ଦେଶ

ସମ୍ବନ୍ଧିତ ଖବର