ସହାୟିକାଙ୍କ ଉନ୍ମତ୍ତକାଣ୍ଡ, ଘର ମାଲିକଙ୍କୁ ଛୁରାମାଡ଼

ପୁଲିସର ତନାଘନା ଘରୋଇ ସହାୟିକାଙ୍କ ସଂପୂର୍ଣ୍ଣ ତଥ୍ୟ ରଖନ୍ତୁ: ପୁଲିସ କମିସନର

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର: ଘରୋଇ ସହାୟିକା ଭାବେ କାମ କରିବାକୁ ଆସିଥିବା ଜଣେ ମହିଳାଙ୍କ ଉନ୍ମତ୍ତକାଣ୍ଡ ଆଜି ରାଜଧାନୀରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ମହିଳାଙ୍କ ଛୁରାମାଡ଼ରେ ଘର ମାଲିକ ତଥା ଜଣେ ବରିଷ୍ଠ ନାଗରିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ନାଁ ଧରଣୀଧର ରାଉତରାୟ (୯୦)। ଘର ଏୟାରଫିଲଡ୍‌ ଥାନା ନିକଟ ପ୍ଲଟ ନମ୍ବର ଏଚଆଇଜି ୧/୬ରେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଧରଣୀଧରଙ୍କ ଘରକୁ ପୂର୍ବରୁ ଜଣେ ସହାୟିକା କାମ କରିବାକୁ ଆସୁଥିଲେ। କିନ୍ତୁ କିଛି ଦିନ ହେବ ସେ କାମକୁ ନ ଆସିବାରୁ ଧରଣୀଧର ଆଉ ଜଣେ ସହାୟିକାଙ୍କୁ କାମ କରାଇବାକୁ ଡକାଇଥିଲେ। ସେ ମଧ୍ୟ ଦୁଇ/ତିନି ଦିନ କାମ କରିଥିଲା। କିନ୍ତୁ ଆଜି ସକାଳୁ ସେହି ପୁରଣା‌ ସହାୟିକା ଆସିବା ପରେ ଧରଣୀଧର ନୂଆ ସହାୟିକାଙ୍କୁ କାମ କରିବାକୁ ମନା କରି ଦେବା ସହିତ ଦୁଇ ଦିନର ମଜୁରି ଦେଇ ଦେଇଥିଲେ। କିନ୍ତୁ ନୂଆ ସହାୟିକାଜଣଙ୍କ ଆଜି ମଧ୍ୟାହ୍ନରେ ଧରଣୀଧରଙ୍କ ଘରେ ଜୋରଜବରଦସ୍ତ ପଶି କାମ କରିବାକୁ ଜିଦ୍‌ କରିଥିଲା। ସାନବୋହୂଙ୍କ ବେଡ଼୍‌ ରୁମ ସଫା ହେବା ବୋଲି କହିଥିଲେ। ସାନ ବୋହୂ ଏବେ ଆସିବେ ଅପେକ୍ଷା କରିଥାଅ ବୋଲି କହି ବଡ଼ ବୋହୂ ଗାଧୁଆ ଘରକୁ ଯାଇଥିଲେ। ଏହାର ଫାଇଦା ନେଇ ଉକ୍ତ ମହିଳାଜଣକ ବଡ଼ ବୋହୂଙ୍କୁ ଗାଧୁଆ ଘର କବାଟ କିଳି ସାନ ବୋହୂଙ୍କ ବେଡ଼୍‌ ରୁମ୍‌ରେ ପ୍ରବେଶ କରିଥିଲା। ଏହାପରେ ବଡ଼ବୋହୂ ଚିତ୍କାର କରିବାରୁ ଧରଣୀଧର ଶିଡ଼ିରେ କୋଠା ଉପରୁ ତଳକୁ ଆସି ଉକ୍ତ ମହିଳାଙ୍କୁ ପାଟି କରିଥିଲେ। ଘଟଣାସ୍ଥଳରେ ଉକ୍ତ ମହିଳା ଜଣକ ଏକ ଧାରୁଆ ଛୁରିରେ ଧରଣୀଧରଙ୍କ ନାକ ଓ ବେକକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ସେ ଚିତ୍କାର କରି ତଳେ ପଡ଼ି ଯିବାରୁ ମହିଳା ଜଣକ ଫେରାର୍‌ ହୋଇଯାଇଥିଲା। ଖବର ପାଇ ଧରଣୀଧରଙ୍କ ବଡ଼ପୁଅ ଅଶ୍ବିନୀ ରାଉତରାୟ ଓ ସ୍ଥାନୀୟ ପୂର୍ବତନ କପୋର୍ରେଟର ଧରଣୀଧରଙ୍କୁ ଚିକିତ୍ସା କରାଇବା ସହ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଚଳାଇଛି। ଯେଉଁ ପ୍ଲଟରେ ଏହି ଘଟଣା ଘଟିଛି, ତାହା ଥାନାଠାରୁ ମାତ୍ର ୩୦ ମିଟର ଦୂରରେ। ତେଣୁ ଏଭଳି ଘଟଣା ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜଣେ ସହାୟିକା ଘର ମାଲିକଙ୍କୁ ଏଭଳି ଆକ୍ରମଣ କରିବା ଘଟଣାକୁ ପୁଲିସ ଗୁରୁତ୍ବର ସହିତ ନେଇଛି। ଏ ନେଇ ଏୟାରଫିଲଡ ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଆକ୍ରମଣ କରିଥିବା ମହିଳାଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ତେବେ ସଂପୃକ୍ତ ମହିଳାଙ୍କ କୌଣସି ତଥ୍ୟ ନ ଥିବା କାରଣରୁ ପୁଲିସ ଏବେ ଅଡୁଆରେ ପଡ଼ିଛି। ତେବେ ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏୟାରଫିଲଡ୍‌ ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁ କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଯେଉଁମାନେ ଘରୋଇ ସହାୟିକା ରଖୁଛନ୍ତି, ସେମାନେ ସେମାନଙ୍କ ସଂପୂର୍ଣ୍ଣ ନାଁ, ଗାଁ ଠିକଣା, ଫଟୋ ରଖିବା ସହିତ ଫଟୋ ପରିଚୟପତ୍ର ଓ ଆଧାରକାର୍ଡର ନକଲ କପି ରଖନ୍ତୁ। ଫଳରେ ଭବିଷ୍ୟତରେ କୌଣସି ପ୍ରକାରର ଅଘଟଣ ଘଟିଲେ ପୁଲିସ ତଦନ୍ତରେ ଅନେକ ସହଯୋଗ ହେବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ରାଜଧାନୀବାସୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଏହି ଘଟଣାରେ ଯେଉଁ ସହାୟିକା ସଂପୃକ୍ତ ଅଛନ୍ତି, ତାଙ୍କ ଘର ସୁନ୍ଦରପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ ସୁନ୍ଦରପଦା ଅଞ୍ଚଳରେ ଚଢ଼ଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର