ପୂର୍ତ୍ତ, ସ୍ବେରେଜ୍ ବୋର୍ଡ ନାଁରେ କେବେ ହେବ ଏଫ୍‌ଆଇଆର୍‌

ରାସ୍ତାରେ ଖାଲ, ଡ୍ରେନ୍ ମୁକୁଳା, ସ୍ବେରେଜ୍ ଖାଲ ପାଇଁ କେବେ ହେବ କାର୍ଯ୍ୟାନୁଷ୍ଠାନ, ବିଏମ୍‌ସିର ପଦକ୍ଷେପକୁ ଚାରିଆଡ଼ୁ ପ୍ରଶଂସା

ଭୁବନେଶ୍ବର : ସାଲିଆ ସାହିରେ ଦୀର୍ଘଦିନ ଧରି ପାଇପ୍ ବିଛାଇବା ଆଳରେ ରାସ୍ତାକୁ ଖୋଳିବା ଏବଂ ଲୋକଙ୍କୁ ଅସୁବିଧା ପକାଇବା କାରଣରୁ ୱାଟ୍‌କୋ (ଜଳ ଯୋଗାଣ ନିଗମ)ର ଡିଭିଜନ-୧ ମହାପ୍ରବନ୍ଧକ ସରୋଜ କୁମାର ପାତ୍ରଙ୍କ ନାମରେ ବିଏମ୍‌ସି କର୍ତ୍ତୃପକ୍ଷ ଥାନା‌ରେ ଏଫ୍‌ଆଇଆର୍‌ ଦେଲେ। ବିଏମ୍‌ସିର ଏହି ପଦକ୍ଷେପକୁ ରାଜଧାନୀବାସୀ ପ୍ରଶଂସା କରୁଛନ୍ତି। କିଛି ବିଭାଗର ଅପାରଗ ଅଧିକାରୀଙ୍କ ଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବିଏମ୍‌ସିର ଏହି ପଦକ୍ଷେପ ଏହିଭଳି ଅଧିକାରୀଙ୍କୁ ସାବାଡ୍ କରିବ ବୋଲି କୁହାଯାଉଛି।

ରାଜଧାନୀବାସୀଙ୍କୁ ସମସ୍ତ ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଇବା କାର୍ଯ୍ୟ ବିଏମ୍‌ସିର। ଏପରିକି ରାଜଧାନୀରେ ‌େଯ କୌଣସି କାର୍ଯ୍ୟ ହେବ ସେଥିପାଇଁ ବିଏମ୍‌ସିରୁ ଏନ୍‌ଓସି ଆଣିବାକୁ ପଡ଼ିଥାଏ। ତେଣୁ ଲୋକ କୌଣସି ଅସୁବିଧାରେ ପଡ଼ିଲେ ବିଏମ୍‌ସି ଉପରେ ଅଙ୍ଗୁଳି ଉଠେ। ବିଭିନ୍ନ ବିଭାଗର ଅପାରଗତା ଯୋଗୁଁ ବିଏମ୍‌ସି ବି ଦୋଷ ମୁଣ୍ଡାଏ। ଏବେ ବିଏମ୍‌ସି ତା’ର ଦାୟିତ୍ବବୋଧକୁ ସାବ୍ୟସ୍ତ କରିବାକୁ ଯାଇ ୱାଟ୍‌କୋ ଉପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ବିଏମ୍‌ସିର ଏହି ପଦକ୍ଷେପ ପରେ ଲୋକମାନେ ଏବେ କହିଲେଣି ଯେ, ବିଏମ୍‌ସିର ଏହି ଆଭିମୁଖ୍ୟ ଏତିକିରେ ରହିଯିବ ନା ଆଗକୁ ଆହୁରି କଡ଼ା ହେବ।

ରାଜଧାନୀର ସବୁ ଗଳିକନ୍ଦିରେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିପାଇଁ ପୂର୍ତ୍ତ, ସ୍ବେରେଜ୍ ବୋର୍ଡ ଓ ବିଏମ୍‌ସି ଦାୟୀ। ବର୍ଷ ବର୍ଷ ଧରି ରାସ୍ତାରେ ଖାଲ ସୃଷ୍ଟି ହୋଇଥିଲେ ହେଁ ପୂର୍ତ୍ତ ବିଭାଗ ଏହାର ମରାମତି କରୁନି। ଲୋକ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ବିଏମ୍‌ସି ରାସ୍ତାଗୁଡ଼ିକର ଏହିଭଳି ଶୋଚନୀୟ ସ୍ଥିତି ପାଇଁ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ବିରୋଧରେ କେବେ ଏଫ୍‌ଆଇଆର୍ ଦେବ ବୋଲି ପ୍ରଶ୍ନ ଉଠିଲାଣି।

ସ୍ବେରେଜ୍ ବୋର୍ଡ ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ରାସ୍ତାଗୁଡ଼ିକୁ ଖୋଳି ପକାଇଛି। ଏପରକି ଯେଉଁ କାମ ସପ୍ତାହରେ ହେବା କଥା ସେଥିପାଇଁ ମାସମାସ ସମୟ ନେଉଛି। ମନଇଚ୍ଛା ରାସ୍ତା ଖୋଳିବା ସହ ଦିନ ଦିନ ଧରି କାମ ବନ୍ଦ କରିଦେଉଛି। ବିଏମ୍‌ସି କର୍ତ୍ତୃପକ୍ଷ ଏନେଇ ବି ସ୍ବେରେଜ୍ ବୋର୍ଡକୁ ବାରମ୍ବାର ତାଗିଦ୍ କଲେଣି। ହେଲେ ସ୍ଥିତି ସୁଧୁରୁନି। ତେଣୁ ବିଏମ୍‌ସି କେବେ ସ୍ବେରେଜ୍ ବୋର୍ଡ ଯନ୍ତ୍ରୀଙ୍କ ନାମରେ ଥାନାରେ ଏଫ୍‌ଆଇଆର୍ ଦେବ ସେନେଇ ଲୋକ ପ୍ରଶ୍ନ କଲେଣି।

ବିଏମ୍‌ସି ଅନ୍ୟ ବିଭାଗକୁ ଦାୟୀ କରୁଛି। ଅଥଚ ନିଜ ରାସ୍ତା ମରାମତି କରୁନି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଅଳିଆ ଗଦା ହେଉଛି। ଡ୍ରେନ୍ ପାଣି ଲୋକଙ୍କ ଘରେ ପଶୁଛି। ଏଥିପାଇଁ କେବେ ନିଜ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରଶ୍ନ ଉଠିଲାଣି।

କେବଳ ଏତିକି ନୁହେଁ ସ୍ମାର୍ଟ ଜନପଥ କାମ ଦୁଇ ବର୍ଷ ହେଲା ଚାଲୁଥିଲେ ହେଁ କେବେ ସରିବ ଜଣାପଡ଼ୁନି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷଙ୍କ ଏହି ପ୍ରକଳ୍ପ ଯେଉଁ ଘ‌େରାଇ ସଂସ୍ଥା କରୁଛି ସେ ଚୁକ୍ତିି ଅନୁଯାୟୀ ଧାର୍ଯ୍ୟ ସମୟରେ କାମ ସାରିପାରୁନି। ରାସ୍ତାକୁ ମାସ ମାସ ଧରି ଖୋଳି ଛାଡ଼ି ଦିଆଯାଇଛି। ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏମ୍‌ସି କମିସନର ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ତେଣୁ ସେ କେବେ ଘରୋଇ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେଇ କାମକୁ ତ୍ବରାନ୍ବିତ କରୁଛନ୍ତି ସେନେଇ ବି ଲୋକ ପ୍ରଶ୍ନ ଉଠାଇଲେଣି।

ସମ୍ବନ୍ଧିତ ଖବର