ସେକ୍ସ ର‍୍ୟାକେଟ୍‌ ଠାବ, ୨ ଗ୍ରାହକ ଗିରଫ

ଦୁଇ ଯୁବତୀ ଉଦ୍ଧାର

ପୁରୁଣା ଭୁବନେଶ୍ୱର : ସହରବାସୀ ଜିରୋ ନାଇଟ୍‌ ସେଲିବ୍ରେସନ୍‌ କରୁଥିବା ବେଳେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମ ନଗର ପ୍ଲଟ୍‌ ନଂ ୧୯୬୨ରେ ଲିଙ୍ଗରାଜ ଥାନା ପୁଲିସ ଓ କ୍ୟୁଏଟି ପକ୍ଷରୁ ଚଢ଼ାଉ କରାଯାଇ ଏକ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଗ୍ରାହକଙ୍କୁ ଗିରଫ କରିଛି। ଗ୍ରାହକ ଦ୍ୱୟ ହେଲେ ପଶ୍ଚିମବଙ୍ଗର ସୁଲେମାନ ଶେକ୍‌ (୨୯) ଓ କେନ୍ଦ୍ରାପଡ଼ା ରାଜକନିକାର ସୁବାସ ବେହେରା (୪୦)।

ପୁଲିସ ସୂଚନା ଅନୁଯାୟୀ ଉକ୍ତ ପ୍ଲଟ୍‌ରେ ଦୀର୍ଘଦିନ ହେଲା ସେକ୍ସ ର‍୍ୟାକେଟ୍‌ ଚାଲିଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ପୁଲିସ ଓ କ୍ୟୁଏଟି ଟିମ୍‌ ସେଠାରେ ଚଢ଼ଉକରିଥିଲା। ଚଢ଼ଉ ବେଳେ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଦୁଇ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୁଲିସ ସେମାନଙ୍କଠାରୁ ଏକ କାର (ଓଆର-୦୨ଏ -୯୩୫୫), ୪ଟି ମୋବାଇଲ ଫୋନ୍‌, ୧୩୦୦ଟଙ୍କା ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ର‍୍ୟାକେଟ୍‌ରେ କିଛି ବଡ଼ବଡ଼ିଆ ଲୋକ ସାମିଲ ଅଛନ୍ତି ବୋଲି ପୁଲିସ ଅନୁମାନ କରୁଛି। ଅଧିକ ତଦନ୍ତ କଲେ ଘଟଣା ପଦାକୁ ଆସିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର