ନୂଆ ସ୍ପର୍ଶ ପାଇବ ଧଉଳି : ପ୍ରସ୍ତୁତ ହେବ ୧୦ ପିଣ୍ଡି, କାର୍ଯ୍ୟକାରୀ ହେବ ମାର୍କେଟ୍‌ କମ୍ପ୍ଲେକ୍ସ

ଭୁବନେଶ୍ୱର : ଧଉଳିରେ ଲାଗିବ ଆଧୁନିକତାର ଛାପ। ନୂଆ ରୂପରେ ଉଭା ହେବ ଶାନ୍ତିସ୍ତୂପ କ୍ଷେତ୍ର। ବଣଭୋଜି ପାଇଁ ଧୀରେଧୀରେ ଧଉଳିର ସବୁଜ ପରିବେଶ ଲୋକାରଣ୍ୟ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ପିଣ୍ଡି। ନିର୍ମିତ ହେଉଛି ଶୌଚାଳୟ। ବିଶ୍ରାମ ଗୃହ ସହ ସମୟ ଅତିବାହିତ ପାଇଁ ଖଞ୍ଜାଯିବ ବୈଠକୀ। ପାର୍କିଂ ସ୍ଥଳରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ ବି ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏନେଇ ତତ୍ପରତା ଦେଖାଇଛି ପର୍ଯ୍ୟଟନ ବିଭାଗ।

ଧଉଳିରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ନିକଟରେ ବସ୍‌ ପାର୍କିଂ ସ୍ଥଳୀ କାର୍ଯ୍ୟକାରୀ ହେବା ସହ ୬ଟି ୨୬ ସିଟ୍‌ ବାଲା ସଟଲ୍‌ ବସ୍‌ ଚଳାଚଳ କରିଥିବା ବେଳେ ଆଗାମୀ ଦିନରେ ଆଉ ୬ଟି ବସ୍‌ ଚଳାଇବାକୁ ଉଦ୍ୟମ କରାଯାଉଛି। ସେହିଭଳି ବସ୍‌ ପାର୍କିଂ ସ୍ଥଳରେ ଥିବା ପୋଖରୀ ନିକଟରେ ବଣଭୋଜିର ମଜା ନେବା ପାଇଁ ୧୦ଟି ପିଣ୍ଡି ପ୍ରସ୍ତୁତ କରାଯାଉଛି। ସମସ୍ତ ପିଣ୍ଡିକୁ ବଣଭୋଜି ଅନୁକୂଳ କରିବା ପାଇଁ ପାଣି ବ୍ୟବସ୍ଥା ମଧ୍ୟ କରାଯିବ। ଏତଦବ୍ୟତୀତ ୧କୋଟି ୧୬ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ପାର୍କିଂ ସ୍ଥଳ ସଂଲଗ୍ନ ମାର୍କେଟ୍‌ କମ୍ପ୍ଲେକ୍ସକୁ କାର୍ଯ୍ୟକାରୀ କରାଯିବା ପାଇଁ କାମ ଆରମ୍ଭ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ସହାୟତାରେ ମାର୍କେଟ୍‌ କମ୍ଲେକ୍ସର ଘରଗୁଡ଼ିକୁ ଆବଣ୍ଟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିପାଇଁ ଏକ ସବ୍‌ କମିଟି ଗଠନ କରାଯାଇଥିବା ବେଳେ ଖୋର୍ଧା ବିଡିଓ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଓଟିଡିସିର ସିଭିଲ୍‌ ଓ ଇଲେକ୍ଟ୍ରିକାଲ୍‌ କନିଷ୍ଠ ଯନ୍ତ୍ରୀ, ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ରହିଛନ୍ତି। କମ୍ପ୍ଲେକ୍ସ ମଧ୍ୟରେ ୪୦ଟି ଗୃହ ରହିଥିବା ବେଳେ ବ୍ୟବସାୟୀମାନେ ଲଟେରି ମାଧ୍ୟମରେ ଘର ନେବେ। ଏନେଇ ବିଭାଗ ପକ୍ଷରୁ ୧ ହଜାର ଟଙ୍କା ଭଡ଼ାରେ ଗୃହ ଯୋଗାଇ ଦିଆଯିବ। ଏଇଠି ଏକକାଳୀନ ୫୦ଟି ବସ୍‌ ପାର୍କିଂ ହେବାର ବ୍ୟବସ୍ଥା ରହିଥିବା ବେଳେ ବଣଭୋଜି ପାଇଁ ପିଣ୍ଡି ରହୁଥିବାରୁ ଏହାର ରକ୍ଷଣାବେକ୍ଷଣ ସହ ଇକୋ ଫ୍ରେଣ୍ଡ୍‌ଲି କରିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ୪୦ଟି ଶୌଚାଳୟର ନିର୍ମାଣ କାର୍ଯ୍ୟ ଶେଷ ହେବ। ଶୀତ ଋତୁ (ବଣଭୋଜି ଋତୁ) ବେଳକୁ ପର୍ଯ୍ୟଟକମାନେ ଏଠାରେ ଏ ସମସ୍ତ ଆନୁସଙ୍ଗିକ ସୁବିଧା ପାଇପାରିବେ ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର