ସେଲଟର୍‌ ଫାଉଣ୍ଡେସନ ପକ୍ଷରୁ ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର: ସେଲ୍‌ଟର ଫାଉଣ୍ଡେସନ ପକ୍ଷରୁ ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କର୍ପୋରେଟର ନବକିଶୋର ବେହେରା ଉଦ୍‌ଘାଟନ କରିଥିଲେ। ଏହାର ପ୍ରଥମ ପର୍ଯ୍ୟାୟରେ ୮୦ ଜଣ ଶିଶୁ ଚିତ୍ରଶିଳ୍ପୀ ଗ୍ରାମ ପରିବେଶକୁ ନେଇ ଚିତ୍ର ଆଙ୍କିଥିଲେ। ଅଜୟ ରାଉତଙ୍କ ତତ୍ତ୍ୱାବଧାନରେ ସମ୍ରିତ, ଜୟଶ୍ରୀ, ରିତିକା, ମହାପ୍ରସାଦ, ଶୁଭମ୍‌, ବର୍ଷା, ଚିଣ୍ଟୁ, ତ୍ରିଶା, ପ୍ରୀତିପ୍ରଜ୍ଞା, ସତ୍ୟବ୍ରତ ଓ ଦିବ୍ୟଜ୍ୟୋତିଙ୍କ ପରି ଶିଶୁ କଳାକାରମାନେ ୬୦ ଫୁଟ୍‌ ଚଉଡ଼ାର ଏକ ବିରାଟକାୟ ପଦ୍ମ ପୁଷ୍କରିଣୀ ଚିତ୍ର ଆଙ୍କିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୪୦ ଜଣ ମା’ଙ୍କ ମଧ୍ୟରେ ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ରଜକୁ ନେଇ ସ୍ୱତନ୍ତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ଜୟଦେବ ଭବନ ପରିସରରେ ସଂଧ୍ୟା ୫ଟାରେ ଅନୁଷ୍ଠିତ ହେବ। ଏହାର ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ଜୁଲାଇ ୧ ତାରିଖରେ ଜୟଦେବ ଭବନଠାରେ ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବ ପାଳିତ ହେବ ବୋଲି ଏହି ଅନୁଷ୍ଠାନର ସମ୍ପାଦକ ଅଜୟ ରାଉତ ସୂଚନା ନେଇଛନ୍ତି। ପ୍ରିୟବ୍ରତ ନାୟକ, ଶିବପ୍ରସାଦ ରାଉତ, ସୁନିଲ କୁମାର ଭଞ୍ଜ, ମୋନିକା ବାନାର୍ଜୀ, ଦୀପିକା ପ୍ରିୟଦର୍ଶନୀ ସାହୁ, ଆରତୀ ନାୟକ, ଅବନ୍ତିକା ଭଞ୍ଜ, ଲିଙ୍ଗରାଜ ମିଶ୍ର ଓ ମଞ୍ଜୁ ଗୁନ୍‌ ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର