ପଡ଼ିଲା ହାତଗଣ୍ଠି, ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

ପୁରୁଣା ଭୁବନେଶ୍ୱର : ଆଗେ ଆଗେ ବରଯାତ୍ରୀ, ପଛେ ପଛେ ଦୋଳବିମାନରେ ଝୁଲି ଝୁଲି ଯାଉଥିଲେ ବର। ନିରାଡ଼ମ୍ବର ସହକାରେ ଚାଲିଥିଲେ ବରଯାତ୍ରୀ । ଗହଳ ଚହଳ କି ହୋ-ହଲ୍ଲା କିଛି ନଥିଲା। ପୂର୍ବଭଳି ବାଜା ବାଣ ‌ରୋଶଣି ନଥିଲା। କେବଳ ଗୋଟିଏ ଘଣ୍ଟ, ଗୋଟିଏ କାହାଳୀ ଓ ଗୋଟିଏ ଶଙ୍ଖ ବାଜୁଥିଲା। ତେବେ ସେହି ପାରମ୍ପରିକ ଘଣ୍ଟ, କାହାଳୀ ଓ ଶଙ୍ଖ ଧ୍ବନିର ସମାହାର ବରଯାତ୍ରୀଙ୍କୁ ଏକ ଭକ୍ତି ରସାତ୍ମକ ନୂଆ ଅନୁଭବ ଦେଉଥିଲା। ଅନ୍ୟ ପକ୍ଷରେ ବରଯାତ୍ରୀଙ୍କ ଦେଖେଣାହାରୀମାନେ ମଧ୍ୟ ଏହି ନିଆରା ବର ଶୋଭାଯାତ୍ରରୁ ଭିନ୍ନ ଭିନ୍ନ ଅନୁଭବ ପାଉଥିଲେ। କିଏ ଆନନ୍ଦାଶ୍ରୁ ଗଡ଼ାଉଥିଲା ତ କିଏ ମହାମାରୀ କରୋନାର ଅନ୍ତ ପାଇଁ ପ୍ରଭୁଙ୍କୁ ହାତଯୋଡ଼ି ପ୍ରାର୍ଥନା କରୁଥିଲା। ଭକ୍ତିଭାବରେ କନ୍ୟାଘର ପକ୍ଷରୁ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ବିଧି ଅନୁସାରେ ବାଟ ବରଣ ହେଲା ଓ ଶେଷରେ ପଡ଼ିଲା ପ୍ରତିକ୍ଷୀତ ହାତଗଣ୍ଠି। ଆଜି ଏମିତି ଏକ ନୂଆ ମାହୋଲ୍‌ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। କରୋନା କଟକଣା ପାଇଁ ଏହି ପ୍ରସିଦ୍ଧ ବିବାହ କାର୍ଯ୍ୟକ୍ରମ ଆଜି ବିଳମ୍ବିତ ରାତିରେ ଏମିତି ନିରାଡ଼ମ୍ବରଭାବେ ଅନୁଷ୍ଠିତ ହୋଇଯାଇଛି।

ଆଜି ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ବସାଇ କେଦାରଗୌରୀ ମନ୍ଦିରକୁ ନିଆଯାଇଥିଲା। ଲିଙ୍ଗରାଜ ମନ୍ଦିରରେ ବିବାହ ପୂର୍ବ ଆବଶ୍ୟକ ନୀତି ସମାହିତ ହେବା ପରେ ବିଳମ୍ୱିତ ରାତିରେ ବରଯାତ୍ରୀ ଦଳ କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ । ବରଯାତ୍ରୀ ମନ୍ଦିରରୁ ବାହାରିବା ପରେ ବଢେଇବାଙ୍କ ଛକ, ତିନି ମୁଣ୍ଡିଆ ଛକ ଓ ଏକାମ୍ର ବନ ପାଖ ଦେଇ ଯାତ୍ରା କରିଥିଲେ। କେଦାରଗୌରୀ ମନ୍ଦିରରେ ବରଯାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ବାଟ ବରଣ କରି ଶ୍ରୀ ଲିଙ୍ଗରାଜଙ୍କୁ ପାଛୋଟି ନିଆଯାଇଥିଲା। ଏହା ପରେ ବରଯାତ୍ରୀଙ୍କୁ କେଦାରଗୗରୀ ମନ୍ଦିର ସେବାୟତମାନେ ଆପାୟତ କରିଥିଲେ। ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କେବଳ ପାଳିଆ ସେବାୟତମାନେ ବିବାହ ବେଳେ ଉପସ୍ଥିତ ଥିଲେ। ବିଧି ଅନୁସାରେ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ବରକନ୍ୟାଙ୍କ ହାତରେ ହାତଗଣ୍ଠି ପଡିଥିଲା। ‌ତେବେ କରୋନା କଟକଣା ନିୟମାନୁସାରେ ମନ୍ଦିର ପ୍ରଶାସନ ପକ୍ଷରୁ ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରର ସେବାୟତଙ୍କର ସ୍କ୍ରିନିଂ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଘଟଣା ଥିଲା ବରଯାତ୍ରୀଙ୍କୁ ଦେଖୁଥିବା ଦେଖେଣାହାରୀଙ୍କ କଥା। ଆଜି ବରଯାତ୍ରୀ ଦଳ ବର ଶ୍ରୀ ଲିଙ୍ଗରାଜଙ୍କୁ ନେଇ ଯାଉଥିବାବେଳେ ଉକ୍ତ ରାସ୍ତାରେ ପୁରୁଣା ଭୁବନେଶ୍ବରର ହଜାର ହଜାର ଶ୍ରଦ୍ଧାଳୁ ସେମାନଙ୍କ ଘର ବାରଣ୍ଡାରୁ ଓ କୋଠା ଉପରୁ ଠାକୁରଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା। ବହୁ ଦର୍ଶକଙ୍କ ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ। ମହାମାରୀ କରୋନା ପାଇଁ ସେମାନଙ୍କ ଆରାଧ୍ୟ ଦେବତା ବି ଶେଷରେ ଏମିତି ଗୁମ୍‌ସୁମ୍‌ ପରିବେଶରେ ବିବାହ ପାଇଁ ଯାଉଥିବାରୁ ସେମାନେ ଦୁଃଖ କରୁଥିଲେ ଓ ତୁରନ୍ତ ଏହି ମହାମାରୀର ଅନ୍ତ ପାଇଁ ଆକୁଳ ପ୍ରାର୍ଥନା କରୁଥିଲେ।

ଆଡ଼ମ୍ବର ଶୂନ୍ୟ ହେବ ଶୀତଳଷଷ୍ଠୀ
ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା। ନବଦମ୍ପତି କେଦାରଗୌରୀ ମନ୍ଦିରରୁ ବାହାରି ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରାସ୍ତା, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ଦେଇ ନଗର ପରିକ୍ରମା କରିବେ । ଆଜି ଯେମିତି ଆଡ଼ମ୍ବର ଶୂନ୍ୟ ଥିଲା ବର ଶୋଭାଯାତ୍ରା, ଠିକ୍‌ ସେମିତି ହେବ ଶୀତଳଷଷ୍ଠୀ। ପ୍ରଥମେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସକାଳ ୬ଟାରେ ଅନୁଷ୍ଠିତ ହେବ। ଏହା ପରେ କେଦାରଗୌରୀ ମନ୍ଦିରରେ ୭ଟାରୁ ସାଢ଼େ ୭ଟା ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବ । ସେହିପରି ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା ଧୂପ ହେବା ପରେ କେଦାରଗୌରୀ ମନ୍ଦିରରେ ସନ୍ଧ୍ୟା ଧୂପ ହେବ । ରାତି ସାଢ଼େ ୧୦ଟା ପରେ ନବ ଦମ୍ପତି ବିଦାୟ ନେବାର କାର୍ଯ୍ୟକ୍ରମ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ଚଳିତ ବର୍ଷ ଦେବ ଦମ୍ପତିଙ୍କ ସ୍ବଗୃହ ପ୍ରତ୍ୟାବର୍ତନ ପୁରା କଡ଼ା କଟକଣା ମଧ୍ୟରେ ସମାହିତ ହେବ। କୌଣସି ଭକ୍ତ ଏଥିରେ ସାମିଲ ହେବ ନାହିଁ। ରାସ୍ତାରେ ଠାକୁରଙ୍କୁ ନେବା ‌ବେଳେ କର୍ଫ୍ୟୁ ଜାରି କରାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର