ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ଜିଦ୍‌ରେ ପ୍ରଶାସନ ଅଟଳ

ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବ୍ଲୁ ପ୍ରିଣ୍ଟ: କମିସନର

ଭୁବନେଶ୍ବର/ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର କ’ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି, ତାହା ଦେଖାଇବା ପରେ ହିଁ ଉଚ୍ଛେଦ ହେବ ବୋଲି ପୁରୁଣା ଭୁବନେଶ୍ବରର ସ୍ଥାୟୀ ବାସିନ୍ଦା, ବ୍ୟବସାୟୀ ସଂଘ, ବିଭିନ୍ନ ଦଳର ରାଜନେତା ଜିଦ୍‌ ଧରିଥିଲେ। ଏପରିକି ମଙ୍ଗଳବାର ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କରାଇ ଦେଇନଥିଲେ। ବିଏମ୍‌ସି କମିସନର ଐତିହ୍ୟ ସହର ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ନେଇ କ’ଣ ଯୋଜନା ଅଛି, ତାହା ବୁଧବାର ଦେଖାଇବା ପରେ ହିଁ ଉଚ୍ଛେଦ କରିବାକୁ ଦିଆଯିବ ବୋଲି ମଙ୍ଗଳବାର ଯେଉଁମାନେ କହିଥିଲେ ଆଜି ସେମାନେ ବିଏମ୍‌ସି ଅଫିସରେ ବିଏମ୍‌ସି କମିସନରଙ୍କୁ ଭେଟିଥିଲେ। କିନ୍ତୁ କମିସନର ପ୍ରେମଚନ୍ଦ୍ର ଚୌଧରୀ ସେମାନଙ୍କୁ ସିଧାସିଧା କହିଥିଲେ ଯେ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହେବନି। ଜାରି ରହିବ। ଐତିହ୍ୟ ସହର ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ‌େହଉଛି। ଦିନେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନେଇ ‌େଘାଷଣା କରିବେ। ଏହାପରେ ସେମାନେ ବ୍ଲୁ ପ୍ରିଣ୍ଟ ଦେଖିପାରିବେ।

ବିଏମ୍‌ସି କମିସନର ପୁରୁଣା ଭୁବନେଶ୍ବର ଅଞ୍ଚଳର ପ୍ରତିନିଧି ମଣ୍ଡଳୀକୁ ବୁଝାଇ ବିଦା କରିବା ପରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ‌‌ରେ ଅପରାହ୍‌ଣ ୨ଟାରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଥିଲା। ଆଜି ୫ଟି କ୍ୟାବିନ୍, ଗୋଟିଏ ବାଉଁଶ ଚାଳିଆ (ଆଳୁ ଗୋଦାମ), ତାରିଣୀ ମନ୍ଦିର, ଗୋଟିଏ ହୋଟେଲ ଭଙ୍ଗା ହୋଇଥିଲା। ପ୍ରଥମେ ମନ୍ଦିର ସମ୍ମୁଖରେ ପଡ଼ିଥିବା ପଥରଗୁଡ଼ିକୁ ହଟାଯିବା ପରେ ଲିଙ୍ଗରାଜ ହାଟ ନିକଟରେ ଏହି ଉଚ୍ଛେଦ ହୋଇଥିଲା। ଲିଙ୍ଗରାଜ ହାଟ ନିକଟ ଏବଂ ଜଗନ୍ନାଥ ମଠ ରୋଡ୍‌ରେ ଏହି ଉଚ୍ଛେଦ ହୋଇଥିଲା।

ଆଜି ପୂର୍ବାହ୍ନରେ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ଯାଇଥିବା ପ୍ରତିନିଧି ମଣ୍ଡଳୀ ବିଏମ୍‌ସି କମିସନରଙ୍କ ନିକଟରେ ଦାବି ରଖିଥିଲା ଯେ ଯେଉଁ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଉଛି ସେମାନଙ୍କୁ ଥଇଥାନ କରାଯାଉ। ରାସ୍ତା କଡ଼ ଦୋକାନୀ, ସରକାରୀ ଜମି, ମନ୍ଦିର ଜମିରେ ଦୋକାନ କରିଛନ୍ତି ସେମାନଙ୍କୁ ବି ଭେଣ୍ଡିଂ ଜୋନ୍‌ କରି ଦୋକାନ ଦିଆଯାଉ, ଜମି ପଟ୍ଟା ଥିବା ଲୋକଙ୍କ ଘର ଭାଙ୍ଗିବା ପୂର୍ବରୁ ସେମାନଙ୍କ ସହ ଆଲୋଚନା କରାଯାଉ ଏବଂ ଠିକ୍ ସହାୟତା ଦେଇ ଭଙ୍ଗାଯାଉ, ଉଚ୍ଛେଦ ପୂର୍ବରୁ ବ୍ଲୁ ପ୍ରିଣ୍ଟକୁ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଉ, ଭଜନ ମଣ୍ଡପ ମରାମତି କରାଯାଉ।

ପଟ୍ଟା ଥିବା ଲୋକଙ୍କ ଘର ବି ଭଙ୍ଗା ହେବ
ପ୍ରକୃତ ବ୍ୟବସାୟୀଙ୍କୁ ଦୋକାନ ଘର ମିଳିବ
ଆଲୋଚନା ପରେ ଉଚ୍ଛେଦ ଆରମ୍ଭ
ତିନି ମହଲା କୋଠା ଭଙ୍ଗା ଆରମ୍ଭ

ଏହାର ଉତ୍ତରରେ ବିଏମ୍‌ସି କମିସନର କହିଥିଲେ ଯେ ନି‌ଷ୍ପତ୍ତି ନିଆଯାଇଛି, ଚିହ୍ନଟ ହୋଇଥିବା ପ୍ରକୃତ ବ୍ୟବସାୟୀଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ, ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ବ୍ଲୁ ପ୍ରିଣ୍ଟ ସମସ୍ତଙ୍କୁ ଦେଖାଯିବ, ବ୍ଲୁ ପ୍ରିଣ୍ଟ ଆସିବା ପରେ ଭଜନ ମଣ୍ଡପ ପୁନରୁଦ୍ଧାର କାମ ହେବ। ଯେଉଁ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରାଯିବ, ସେମାନଙ୍କୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ କେଉଁଠି ଅସ୍ଥାୟୀ ଭାବେ ବସି ବ୍ୟବସାୟ କରିବେ, ତାହା ଦେଖାଇ ଦିଆଯିବ। ଯଦି ଘରୋଇ ଜମି ଆବଶ୍ୟକ ପଡ଼ିବ, ତେବେ ଆଇନ ଅନୁଯାୟୀ ଉଚ୍ଛେଦ କରାଯିବ ଏବଂ ନିୟମ ଅନୁଯାୟୀ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଲିଙ୍ଗରାଜ ହାଟ ନିକଟସ୍ଥ ଗ୍ରିନ୍ ରୁମ୍‌କୁ ସ୍ଥାନାନ୍ତର ହେବ। ପୂର୍ତ୍ତ ବିଭାଗ ଏଥିପାଇଁ ତିନିଟି ବାତାନୁକୂଳ କଣ୍ଟେନର୍‌ ଯୋଗାଇ ଦେବ। ଅଫିସ୍‌ ସ୍ଥାନାନ୍ତର ଖର୍ଚ୍ଚ ବିଏମ୍‌ସି ବହନ କରିବ।

‌ଅପରପକ୍ଷେ ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଆଲୋଚନା ଚାଲିଥିବା ବେଳେ ଗ୍ୟାରେଜ୍‌ ଛକରୁ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ପଡ଼ିଥିବା ରାସ୍ତାରେ ଥିବା ତିନି ମହଲା ଏକ କୋଠାକୁ ମିଳିତ ଉଚ୍ଛେଦକାରୀ ଟିମ୍ ଭାଙ୍ଗିଥିଲା। ରାଜାରାଣୀ ମୌଜାର ଗ୍ୟାରେଜ ଛକ ନିକଟରେ ପ୍ଲଟ ନଂ ୩୯୬/୧୮୪୫ ଉପରେ ଥିବା ତିନି ମହଲା କୋଠାଟି ଆବାସିକ ଘର ପାଇଁ ପ୍ଲାନ୍ ପାଇଥିଲେ ହେଁ ଏଠାରେ ବ୍ୟାବସାୟିକ ପ୍ରତିଷ୍ଠାନ ହୋଇଥିବାରୁ ବିଡିଏ ୨୦୦୬ ମସିହାରେ ଏହାର ପ୍ଲାନ୍ ରଦ୍ଦ କରିଥିଲା। ଏନେଇ ଘର ମାଲିକ ବିଭିନ୍ନ ଆଡ଼ୁ ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଗତ ଜୁଲାଇ ୧୬ରେ କୋର୍ଟ ଏହି କୋଠାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମ‌ା ଅନୁଯାୟୀ ଆଜି ତିନି ମହଲା କୋଠାର ଉଚ୍ଛେଦ ଆରମ୍ଭ ହୋଇଛି। ଆଜି ଆଂଶିକ ଭାଙ୍ଗିଥିବା ବେଳେ ଗୁରୁବାର ବି ଏହି କୋଠା ଭଙ୍ଗା ହେବ ବୋଲି ଜଣାପଡ଼ିଛି।

ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେପି ନେତା ଅମୀୟ ଦାଶ, ସମୀର ମହାନ୍ତି, ବାବୁ ସିଂ, ମଦନ ମୋହନ ପ୍ରଧାନ, କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସମ୍ପାଦକ ସନତ ମିଶ୍ର, ବ୍ୟବସାୟୀ ସଂଘ ସଭାପତି ଟୁଟୁ ପଣ୍ଡା, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ, ଶିବ ବେହେରା, ଲୁଲୁ ମହାପାତ୍ର, ରାଜା ଗରାବଡ଼ୁ, ଛବି ମକଦମ, ଜଗତ ଗରାବଡ଼ୁ, ବାବୁ ବଡ଼ୁ, ନୀଳମଣି ମିଶ୍ର ପ୍ରମୁଖ କମିସନରଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ବିଏମ୍‌ସିର ବରିଷ୍ଠ ଅଧିକାରୀ ଓ ଭୁବନେଶ୍ବର ଏଡିଏମ୍‌ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର