ଶ୍ରୀଜଗନ୍ନାଥ ଓଡ଼ିଆ ଜାତିକୁ ଏକତା ସୂତ୍ରରେ ବାନ୍ଧି ରଖିଛନ୍ତି

ଶ୍ରୀଜଗନ୍ନାଥ ଜ୍ଞାନକୋଷ ଆଲୋଚନାଚକ୍ର ଓ ପୁସ୍ତକ ଉନ୍ମୋଚନ ଉତ୍ସବ

ଭୁବନେଶ୍ୱର: ଓଡ଼ିଆ ଜାତିକୁ ଏକତା ସୂତ୍ରରେ ବାନ୍ଧି ରଖିଛନ୍ତି କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଯୋଗୁଁ ହିଁ ଓଡ଼ିଶା ବିଶ୍ୱ ଦରବାରରେ ପରିଚିତ। ଏଣୁ ରହସ୍ୟମୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମ୍ପର୍କିତ ପୁସ୍ତକ ନିହାତି ଭାବେ ଗ୍ରହଣୀୟ। ‘ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ’ ଓ ‘ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜ୍ୟ ଅଭିଲେଖାଗାର ପରିସରରେ ଆୟୋଜିତ ଶ୍ରୀଜଗନ୍ନାଥ ଜ୍ଞାନକୋଷ ଆଲୋଚନାଚକ୍ର ଓ ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ବିଜୟାନନ୍ଦ ସିଂହ, ସଂସ୍କୃତି ଗବେଷକ ରାଜକିଶୋର ମିଶ୍ର ଓ ବିଶିିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଡାକ୍ତର ଭାସ୍କର ମିଶ୍ରଙ୍କ ରଚିତ ତଥା ଏକେ ମିଶ୍ର ପ୍ରକାଶନୀ ସଂସ୍ଥା ପକ୍ଷରୁ ‘ଶ୍ରୀଜଗନ୍ନାଥ ଜ୍ଞାନକୋଷ’ ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା। ସାଧାରଣ ପାଠକ ହେଉ କିମ୍ବା ଗବେଷକଙ୍କ ପାଇଁ ଏହି ପୁସ୍ତକ ବହୁ ଉପାଦେୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୁସ୍ତକ ସମ୍ବନ୍ଧରେ ଆଲୋଚନା କରି ଶ୍ରୀ ମହାନ୍ତି କହିଲେ, ୯ଟି ପରିଚ୍ଛେଦ ଓ ୮୦୦ ପୃଷ୍ଠା ସମ୍ବଳିତ ଏହି ଗ୍ରନ୍ଥ ମହାପ୍ରଭୁଙ୍କ ରୀତି, ନୀତି, ଜାନିଯାତ, ବେଶ, ପରମ୍ପରା, ଶ୍ରୀମନ୍ଦିର ଦେବାଦେବୀ, ନବକଳେବର, ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିରର ଶବ୍ଦାବଳୀ ଆଦି ବିଷୟରେ ବିସ୍ତୃତ ଜ୍ଞାନ ପ୍ରଦାନ କରୁଛି। ଏହାସହ ମହାପ୍ରଭୁ ତଥା ଶ୍ରୀମନ୍ଦିର ସମ୍ପର୍କରେ କିଛି ରୋଚକ ତଥ୍ୟ ଯଥା ଶ୍ରୀଦେବୀ ଓ ଭୂଦେବୀଙ୍କ ବ୍ୟାଖ୍ୟାନ, ଭୋଇ ଓ ଧୋବାଙ୍କ ଗାଥା ସହ ନବକଳେବର ବିଷୟରେ ବହୁ କଥା ସରଳ ଓ ପରିଚ୍ଛନ ଭାଷାରେ ପାଠକ ଏହି ଗ୍ରନ୍ଥରୁ ପାଇପାରିବେ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି ଅବସରରେ ଗ୍ରନ୍ଥ ରଚନାରେ ସକ୍ରିୟ ସହଯୋଗ, ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିବା ୨୦ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ’ ସଭାପତି ପୀତବାସ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ’ର ରାମଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟର ସମ୍ପାଦକ ବିଶ୍ୱନାଥ ସାମନ୍ତରା , ମାନସ ମଲ୍ଲିକ, ରାମଚନ୍ଦ୍ର ଦାସ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର