ବ୍ୟକ୍ତିତ୍ୱ ବିକାଶ ପାଇଁ ଆଧ୍ୟାତ୍ମିକ ଜ୍ଞାନ ଜରୁରୀ

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରଥମ ବ୍ୟକ୍ତିତ୍ୱ ଶିବିର

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରଥମ ବ୍ୟକ୍ତିତ୍ୱ ଶିବିର ନୂଆପଲ୍ଲୀସ୍ଥିିତ ଫକୀର ମୋହନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଯୋଗ ଦେଇ ଛାତ୍ର ଜୀବନରେ ଯୋଗ ଓ ଆଧ୍ୟାତ୍ମିକତାର ଆବଶ୍ୟକତା ଆଜିର ସମାଜରେ ଅତ୍ୟନ୍ତ ଜରୁରୀ ବୋଲି ମତ ଦେଇଥିଲେ। ପୁରାତନ ଯୁଗରେ ଗୁରୁକୁଳ ଆଶ୍ରମରେ ଏହି ଶିକ୍ଷାଦାନ ଫଳରେ ସମାଜରେ ଉତ୍ତମ ନାଗରିକ ସୃଷ୍ଟି ହୋଇ ପାରୁଥିଲେ ମାତ୍ର ବର୍ତ୍ତମାନ ଏହାର ଘୋର ଅଭାବ ଯୋଗୁ ଏହିଭଳି କର୍ମଶାଳାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସଭାରେ ପ୍ରଭୁଜୀ ଇଂରାଜୀ ମିଡିୟମ୍‌ ସ୍କୁଲର ଅଧ୍ୟକ୍ଷ ଶଙ୍କରାନନ୍ଦ ଗିରି, ଦିବ୍ୟଜୀବନ ସଂଘର ବରିଷ୍ଠ ସନ୍ଥ ଶିବଚିଦାନନ୍ଦ ସରସ୍ୱତୀ ଓ ଜଗତସିଂହପୁର ନାଉଗାଁ ଆଶ୍ରମର ମୁଖ୍ୟ ସତ୍ୟାନନ୍ଦ ଦାସ ମହାରାଜ ଏହି ୫ଦିନିଆ ତାଲିମ୍‌ ଶିବିରର ପିଲାମାନଙ୍କୁ ସଫଳ ବ୍ୟକ୍ତିଙ୍କ ଉଦାହରଣ ଦେଇ ଆଧ୍ୟାତ୍ମିକ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଦ୍ୱାରା ପ୍ରକାଶିତ ‘ଶ୍ରୀଜଗନ୍ନାଥଙ୍କୁ ଜାଣିବା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶିବିରରେ ବ୍ୟକ୍ତିତ୍ୱ ବିକାଶ ପାଇଁ ଆଧ୍ୟାତ୍ମିକ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରିବାର ଯୋଜନା ରହିଛି। ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କ ଦ୍ୱାରା ଗୋପବନ୍ଧୁଙ୍କ ଜୀବନୀ, ଦାଶରଥୀ ସାମନ୍ତରାୟଙ୍କ ଦ୍ୱାରା ଭକ୍ତ ଚରିତ ବନ୍ଧୁ ମହାନ୍ତିଙ୍କ ଜୀବନୀ, ପ୍ରଭାତ ନନ୍ଦ ଓ ନିରଞ୍ଜନ ପଣ୍ଡାଙ୍କ ପରିଚାଳନାରେ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ସୂଚନା ଦେଇଛନ୍ତି।  ଏହି ଅନୁଷ୍ଠାନର ସଭାପତି ଗୋପୀନାଥ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଦେବେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ପୀତବାସ ରାଉତରାୟ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର