ବାହୁଡ଼ିଲେ ଶ୍ରୀଲିଙ୍ଗରାଜ, ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ

ଶୁକ୍ରବାର ସ୍ୱର୍ଣ୍ଣାଦ୍ରି ବିଜେ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ପାଇଁ ଆଜି ଭୋର୍‌ରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଇଥିଲା। ଭୋର୍‌ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରୁ ସକାଳ ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ପରେ ଚାରି ଘୋଡ଼ା ଲାଗିବା ସହ ଚାରମାଳ ବନ୍ଧା ଯାଇଥିଲା। ମଧ୍ୟାହ୍ନ ୧ଟା ପରେ ଅଧରପଣା ଅନୁଷ୍ଠିତ ହୋଇଥିଲା। ଅସହ୍ୟ ଖରା ଯୋଗୁଁ ଅପରାହ୍‌ଣ ସାଢ଼େ ୩ଟାରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିବା ବେଳେ ୩ଟା ୪୫‌ରେ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯାଇଥିଲା। ଅପରାହ୍‌ଣ ୪ଟା ୫୦ରେ ରଥଟଣା ଆରମ୍ଭ ହୋଇଥିଲା। ହରହର ମହାଦେବ, ଜୟ ଶ୍ରୀଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ ସାଙ୍ଗକୁ ହୁଳହୁଳି ସାଙ୍ଗକୁ ସମର୍ଥାଙ୍କ ଘଣ୍ଟ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ରଥ ଦାଣ୍ଡ। ଶ୍ରଦ୍ଧାଳୁମାନେ ରଥକୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ। ତେବେ ଗୋସାଗରେଶ୍ବର ଛକରେ ସନ୍ଧ୍ୟା ହୋଇଯିବାରୁ ସାଢ଼େ ୬ଟାରେ ରଥ ଟଣା ବନ୍ଦ ରହିଥିଲା। ଆସନ୍ତାକାଲି ଅପରାହ୍‌ଣ ୩ଟାରେ ପୁଣି ରଥଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ଶୁକ୍ରବାର ପାରମ୍ପରିକ ନୀତି ଅନୁଯାୟୀ ମହାସମାରେହରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସ୍ବର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର