ରାମେଶ୍ୱର ବିଜେ କଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ଦୁଇଦିନ ଧରି ଢେର୍‌ ସମାଲୋଚନା ପରେ ଆଜି ରଥକୁ ରାମେଶ୍ବର ମନ୍ଦିର ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଅପରାହ୍‌ଣ ୩ଟା ୨୦ ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିବା ବେଳେ ମାତ୍ର ୩୦ ମିନିଟ୍‌ରେ ଅର୍ଥାତ ୩ଟା ୫୦ ସୁଦ୍ଧା ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା। ରଥଟଣା ଆରମ୍ଭରୁ ଆଜି ବହୁ ସଂଖ୍ୟାରେ ପୁଲିସ୍‌ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଭକ୍ତଙ୍କ ଅପେକ୍ଷା ପ୍ରାୟ ୯୦ ଭାଗ ପୁଲିସ୍‌ ରଥ ଟାଣି ନେଇଥିଲେ। ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ଅପରାହ୍‌ଣରେ ରାମେଶ୍ୱର ମନ୍ଦିରକୁ ବିଜେ କରିଛନ୍ତି। ଭଉଣୀ ରୁକ୍ମିଣୀ ଓ ଶ୍ରୀଦୋଳ ଗୋବିନ୍ଦ ମଧ୍ୟ ମାଉସୀ ମା’ଙ୍କ ମନ୍ଦିରରେ ବିଜେ କରିଛନ୍ତି। ରୁକୁଣା ରଥ ସନ୍ଧ୍ୟାରେ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅଳତି ଓ ଅବକାଶ ନୀତି କରାଯାଇଥିଲା। ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ବେଶ ଓ ସକାଳ ଧୂପ କରାଯାଇଥିଲା। ରଥରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ରଥରେ ଦୁଇ ପାର୍ଶ୍ୱରେ ଲାଗିଥିବା ସିଡ଼ି ଯୋଗୁଁ ଭକ୍ତ ରଥ ଉପରକୁ ସହଜରେ ଯାଇ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ। ଆଜି ରଥ ଟଣା ପାଇଁ ପୁଲିସ ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତଗଣ ରଥ ପାଖକୁ ଅପରାହ୍‌ଣ ସାଢ଼େ ୨ଟାରେ ପହଞ୍ଚିଥିଲେ। ପ୍ରାୟ ୩ଟା ୨୦ମିନିଟ୍‌ରେ ରଥଟଣା ଆରମ୍ଭ ହୋଇ ଅପରାହ୍‌ଣ ୩ଟା ୫୦ରେ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲା। ରଥ ଉପରେ ନୀତି ପୂଜା ପରେ ଚାରମାଳ ବନ୍ଧା ଯାଇଥିଲା। ସାଢ଼େ ୪ଟାରେ ଘଣ୍ଟ ବାଦ୍ୟ, କାହାଳୀ ବଜାଇ ମାଙ୍ଗଳିକ ଧ୍ବନି ସହ ଦେବଦେବୀଙ୍କୁ ସେବାୟତମାନେ ରାମେଶ୍ୱର ମନ୍ଦିରକୁ ନେଇଥିଲେ। ମନ୍ଦିର ବିଜେ ପରେ ରାମେଶ୍ୱରଙ୍କ ସମ୍ମୁଖରେ ଭେଟ ଆଳତି, ନୀତି ପୂଜା ଓ ସନ୍ଧ୍ୟା ଆଳତି କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ରାମେଶ୍ବର ମନ୍ଦିରରେ ଭିଡ଼ ହୋଇଥିଲେ।

ସମ୍ବନ୍ଧିତ ଖବର