ଶ୍ରୀଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦ୍ରି ବିଜେ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ସନ୍ଧ୍ୟାରେ ସ୍ୱର୍ଣ୍ଣାଦ୍ରି ବିଜେ କରିଛନ୍ତି। ଦିନ ତମାମ ରଥ ଉପରେ ଶ୍ରୀଜିଉ ଭକ୍ତମାନଙ୍କୁ ଦର୍ଶନ ଦେଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆତସବାଜୀ ଓ ରୋଶଣି କରାଯାଇ ଶ୍ରୀଲିଙ୍ଗରାଜଙ୍କ ସହ ମା’ ରୁକ୍ମିଣୀ, ଦୋଳ ଗୋବିନ୍ଦଙ୍କୁ ସେବାୟତମାନେ ପହଣ୍ଡି କରି ମନ୍ଦିରକୁ ନେଇଥିଲେ। ମାତ୍ର ଅଭିମାନ କରିଥିବା ମା’ ପାର୍ବତୀ ମହାପ୍ରଭୁଙ୍କୁ ମନ୍ଦିର ଭିତରକୁ ଛାଡ଼ି ନଥିଲେ। ମହାପ୍ରଭୁ ମା’ ପାର୍ବତୀଙ୍କ ମାନଭଞ୍ଜନ କରିବାକୁ ଯାଇ ବିନ୍ଦୁସାଗରରେ ଚାପ ଖେଳିବାର ପ୍ରତିଶ୍ରୁତି ଦେବା ପରେ ମା’ ପହୁଡ଼ ଖୋଲିଥିଲେ। ସେବାୟତମାନଙ୍କ ଦ୍ୱାରା ଏପରି ନୀତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମନ୍ଦିରର ପରମ୍ପରା ଅନୁଯାୟୀ, ପୂର୍ବାହ୍ନରେ ରଥ ଉପରେ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପରେ ଶୁଖୁଲି ଭୋଗ, ମଧ୍ୟାହ୍ନ ଧୂପରେ ପଣା ଭୋଗ କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ରଥ ଉପରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ସଂଧ୍ୟାରେ ଚାହାଣି ମଣ୍ଡପଠାରେ ମା’ ପାର୍ବତୀ ଓ ଶ୍ରୀଲିଙ୍ଗରାଜଙ୍କ ଭେଟ ଆଳତି କରାଯାଇଥିଲା। ମହାପ୍ରଭୁଙ୍କ ନୀତି ପୂଜା ପରେ ଦେବଦେବୀଙ୍କୁ ସେବାୟତମାନେ ରଥ ଉପରୁ ପହଣ୍ଡି କରି ନେଇଥିଲେ। ତେବେ ନୀତି ପରେ ସାମାନ୍ୟ କିଛି ସମୟ ବିଳମ୍ବ ହୋଇଥିଲା। ରାସ୍ତା କଡ଼ରେ ଆଲୋକସଜ୍ଜା ସହ ମୃଦଙ୍ଗ, ଢୋଲ, କାହାଳୀ, ବନାଟି, ନାଗା ନୃତ୍ୟ ସହ ସମର୍ଥାଙ୍କ ଘଣ୍ଟ ମାଡ଼ରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ସେବାୟତମାନଙ୍କ ପକ୍ଷରୁ ଶହଶହ ସଂଖ୍ୟାରେ ରସଗୋଲା ବଣ୍ଟନ କରାଯାଇଥିଲା।

ମା’ ପାର୍ବତୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ
ମହାପ୍ରଭୁ ରାମେଶ୍ୱର ଯାତ୍ରାରେ ମା’ ପାର୍ବତୀଙ୍କୁ ସାଙ୍ଗରେ ନେଇ ନଥିଲେ। ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଆଜି ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ବେଳେ ମା’ ଅଭିମାନରେ କବାଟ ବନ୍ଦ କରିଥିଲେ। ତେବେ ମା’ଙ୍କ ଅଭିମାନକୁ ଭଙ୍ଗ କରିବାକୁ ଯାଇ ତାଙ୍କୁ ୨୨ଦିନ ଚନ୍ଦନ ଯାତ୍ରାରେ ସାଙ୍ଗରେ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମା’ କବାଟ ଖୋଲିଥିଲେ।

ସମ୍ବନ୍ଧିତ ଖବର