ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଅପରାହ୍‌ଣ ୪ଟାରୁ ରଥଟଣା

ପୁରୁଣା ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା। ରଥଟଣା ଅପରାହ୍‌ଣ ୪ଟାରେ ଆରମ୍ଭ ହେବ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଶୃଙ୍ଖଳିତ ଯାତ୍ରା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ‌ତେବେ ସମନ୍ବୟ ବୈଠକରେ ରଥଟଣାର ନିର୍ଦିଷ୍ଟ ସମୟ ନିର୍ଧାରିତ ହେବ ବୋଲି କୁହାଯାଇଛି। ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇ ଭୋର ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ୧ଘଣ୍ଟା ସାହାଣମେଲା ଦର୍ଶନ ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପୂର୍ବାହ୍ନ ୮ଟା ମଧ୍ୟରେ ଶେଷ ହୋଇ ଧୂପ କରାଯିବ। ଏହାପରେ ବଲ୍ଲଭ, ଭୋଗ ମଣ୍ଡପ କରାଯାଇ ପୁଣି ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ, ବେଶ କରାଯାଇ ୧୨ଟାରୁ ଯାତ୍ରା ପୂଜା କରାଯିବ। ମଧ୍ୟାହ୍ନ ସାଢ଼େ ୧୨ଟା ପରେ ପ୍ରଭୁଙ୍କ ପହଣ୍ଡି କରାଯିବା ପରେ ରଥରେ ପୂଜା କରାଯିବ। ଏହା ପରେ ଘୋଡ଼ା ବନ୍ଧାଯିବ। ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହେବ। ରଥ ରାମେଶ୍ବର ପାଟଣାରେ ପହଞ୍ଚିବା ପରେ ସେଠାରେ ସନ୍ଧ୍ୟା ସାଢ଼େ ୭ଟାରେ ଠାକୁର ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ କରିବେ। ଏହାପରେ ଅନ୍ୟାନ୍ୟ ନୀତି କରାଯିବ। ସେହିପରି ଆସନ୍ତା ୧୭ ଏପ୍ରିଲ୍‌ରେ ବାହୁଡ଼ା ଯାତ୍ରା ଦିନ ଭୋର ୫ଟାରେ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ। ସାଢ଼େ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ କରାଯିବା ସହ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହାପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲିବ। ସକାଳ ଧୂପ, ଭୋଗ ମଣ୍ଡପ ନୀତି ସାଢ଼େ ୧୧ଟା ମଧ୍ୟରେ ସରିବ। ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅଧରପଣା କରାଯିବ। ସାଢ଼େ ୧୨ଟାରୁ ଅପରାହ୍‌ଣ ୨ଟା ମଧ୍ୟରେ ପହଣ୍ଡି କରାଯିବ। ସାଢ଼େ ୨ଟାରେ ରଥଟଣା ଆରମ୍ଭ ହେବ। ଚଳିତ ବର୍ଷ ରଥ କାମ ହେଉଥିବା ସ୍ଥାନରେ ୨ଟି ଓ ମହାଖଳା ଉପରେ ନଜର ରଖିବା ପାଇଁ ୨ଟି ସିସିଟିଭି କ୍ୟାମେରା ଲଗାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ସମନ୍ବୟ ବୈଠକରେ ରଥଟଣା ସମୟ‌େର ପରିବର୍ତନ ହୋଇପାରେ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ବଦଳିବ ୨୨ ବର୍ଷର ନାହାକା
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ପାଇଁ ରଥଖଳାରେ ଚକ କାମ ଚାଲିଛି। ୪୫ ମହାରଣା ଓ ୧୨ଜଣ ବେହେରା ଏଥିରେ ନିୟୋଜିତ ହୋଇଛନ୍ତି। ଏବେ ୪ଟି ଚକ ପାଇଁ ମହାରଣା ସେବାୟତମାନେ ଲାଗି ପଡ଼ିଛନ୍ତି। ତେବେ ଚଳିତବର୍ଷ ରଥରେ ୨୨ବର୍ଷ ତଳର ନାହାକା ଓ ଓରାକୁ ପରିବର୍ତ୍ତନ କରାଯିବ। ୧୯୯୭ରେ ନିର୍ମାଣ ହୋଇଥିବା ନାହାକାଗୁଡ଼ିକ ଦୁର୍ବଳ ହୋଇଯାଇଥିବାରୁ ଗତବର୍ଷ ଓରା ଓ ନାହାକା ପ୍ରସ୍ତୁତ କରାଯାଇଥିଲା। ରଥରେ ବ୍ୟବହୃତ ହେଉଥିବା ୨୦ଟି ନାହାକା ମଧ୍ୟରୁ ୧୨ଟି ନାହାକାକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଦୁଇଟି ଓରାକୁ ସମ୍ପୂର୍ଣ୍ଣ ନୂଆକରି ନିର୍ମାଣ କରି ରଥରେ ଲଗାଯିବ। ଏଗୁଡ଼ିକ ଶାଳ କାଠରେ ତିଆରି କରାଯିବ ବୋଲି ମହାରଣା ସେବାୟତ ବଟକୃଷ୍ଣ ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର