ରାଜଧାନୀରେ ଶ୍ରୀରାମନବମୀ: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ରାଜଧାନୀ

ଭୁବନେଶ୍ବର: ଖରାର ମାତ୍ରା ପ୍ରଚଣ୍ତ ଥିଲା। ଝାଞ୍ଜି ପବନରେ ଦେହ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲା। ତଥାପି ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା ଶ୍ରୀୟା ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ। ରାମ ନାମ ଜପିବାରେ ଭକ୍ତମାନେ ବ୍ୟସ୍ତ ଥିଲେ। ଜନ୍ମୋତ୍ସବରେ ଶିଶୁ ରୂପୀ ମର୍ଯ୍ୟାଦା ପୁରୁଷଙ୍କୁ ଆଖି ପୂରେଇ ଦେଖି ନେବାର ଉନ୍ମାଦନା ଭକ୍ତଙ୍କୁ ଟାଣିଥିଲା। ସେଥିପାଇଁ ‘ରାମ ନବମୀ ଉତ୍ସବ’ ଅବସରରେ ଚଳଚଞ୍ଚଳ ହୋଇ ଉଠିଥିଲା ଆଜି ମଠ ଆଉ ମନ୍ଦିର। ରାମଚରିତ ମାନସ ନବାହ୍ନ ପାରାୟଣର ଗୁଞ୍ଜରିତ ପ˚କ୍ତି ମନରେ ଭରି ଦେଉଥିଲା ଆବେଗିକ ପୁଲକ। ୟୁନିଟ୍‌-୩ସ୍ଥିତ ରାମ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନିର୍ଧାରିତ ନୀତିକାନ୍ତି ଅନୁଯାୟୀ ପ୍ରାତଃ ସାଢେ଼ ୫ଟାରେ ମଙ୍ଗଳ ଆଳତି ପରେ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ସକାଳ ୭ଟାରେ ଶୃଙ୍ଗାର ଆଳତି ହୋଇଥିଲା। ସକାଳ ପ୍ରାୟ ୯.୩୦ରୁ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଠାକୁରଙ୍କ ଜନ୍ମୋତ୍ସବ ଆଳତି ତଥା ଅଭିଷେକ କରାଯାଇଥିଲା। ଅପରାହ୍‌ଣ ସାଢେ଼ ୧ଟାରୁ ୪ଟା ପର୍ଯ୍ୟନ୍ତ ପହୁଡ଼ ପଡ଼ିବା ପରେ ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇଯାଇଥିଲା ଦ୍ବିତୀୟ ପର୍ଯ୍ୟାୟ ଦର୍ଶନ। ସଞ୍ଜ ଯେତେ ପାଖଉଥିଲା ଭକ୍ତଙ୍କ ସ˚ଖ୍ୟା ସେତେ ବଢ଼ି ବଢ଼ି ଚାଲିଥିଲା। ସଂଧ୍ୟା ୭ଟାରେ ଶୃଙ୍ଗାର ଆଳତି କରାଯାଇଥିଲା। ରାତି ସାଢେ଼ ୧୦ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ସନ୍ଧ୍ୟାରେ ଟ୍ରାଫିକ୍‌ ଜାମ୍‌କୁ ଏଡ଼ାଇବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରାଙ୍ଗଣ ଭିତରେ ଓ ବାହାରେ ୧୬ଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିଲା।

ଫୁଲରେ ସୁସଜ୍ଜିତ ଇସ୍କନ
ସହରର ସମସ୍ତ ମଠ ମନ୍ଦିରରୁ ରାମ ଧୁନ୍‌ ଗୁଞ୍ଜରିତ ହୋଇଥିଲା। ଶ୍ରୀରାମଙ୍କ ଆବାହନ ପାଇଁ ସିଆର‌୍‌ପି ଛକସ୍ଥିତ ଇସ୍କନ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଫୁଲରେ ଛାଇ ହୋଇଥିଲା। ସେଠାରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତି ତଥା ଅଭିଷେକ କରାଯାଇଥିଲା। ଏହାପରେ ଉପବାସ କରିଥିବା ଶ୍ରଦ୍ଧାଳୁଙ୍କୁ ସ୍ବତନ୍ତ୍ର ଭାବେ ଫଳ ଓ ସିଝା ପରିବା ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯାଇଥିଲା। ପ୍ରାୟ ୫ ହଜାର ଶ୍ରଦ୍ଧାଳୁ ଏହି ପ୍ରସାଦ ସେବନ କରିଥିଲେ ବୋଲି ମନ୍ଦିର ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି। ସ˚ଧ୍ୟାରେ ଭଜନ କୀର୍ତ୍ତନ ସହ ରାତି ସାଢେ଼ ୧୦ ଯାଏଁ ଠାକୁର ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି ସହରର ଅନ୍ୟ ସମସ୍ତ ମଠ ମନ୍ଦିର ବିଶେଷ କରି ୧ ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ତାଲା ପଛ ପାର୍ଶ୍ବରେ ଥିବା ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ସମେତ ବହୁ ମନ୍ଦିରରେ ପ୍ରଭୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ସ˚କୀର୍ତନ ଓ ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର