ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଅବସରରେ ବୁଧବାର ଏକାମ୍ର କ୍ଷେତ୍ର ଜନସମୁଦ୍ରରେ ପାଲଟିଛି। ଲକ୍ଷାଧିକ ଭକ୍ତ ଭଗବାନ ଶିବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶିବାଳୟଗୁଡ଼ିକ କେବଳ ଶିବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିଛି। ଶ୍ରୀଲିଙ୍ଗରାଜଙ୍କ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଛି। ମହାଦୀପ ଉଠିବା ସମୟରେ ମନ୍ଦିର ପରିସର ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି। ହରିବୋଲ, ହୁଳହୁଳି ଏବଂ ହରହର ମହାଦେବ ଧ୍ୱନିରେ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଛି। ମନ୍ଦିର ପରିସରରେ ଥିବା ଶ୍ରଦ୍ଧାଳୁମାନେ ଭାବୁଥିଲେ ଯେ, ମହାଦୀପ ରାତି ୧୦ଟା ପରେ ଉଠିବ ମାତ୍ର ଶ୍ରଦ୍ଧାଳୁଙ୍କ କଳ୍ପନା ପୂର୍ବରୁ ଏହି ନୀତି ସମ୍ପନ୍ନ ହୋଇଛି।

ଲକ୍ଷାଧିକ ବ୍ରତଧାରୀ ମହାଦୀପ ଦର୍ଶନ କରିବା ପରେ ପ୍ରସାଦ ସେବନ କରି ଉପବାସ ଶେଷ କରିପାରିବେ। ଭକ୍ତ ଓ ଶ୍ରଦ୍ଧାଳୁ ଆଜି ରାଜଧାନୀର ଅନ୍ୟ ଶିବାଳୟରେ ମଧ୍ୟ ଭିଡ଼ ଲଗାଇଛନ୍ତି। ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆଜି ସକାଳୁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବାକୁ ପଡ଼ିଥିଲା। ଶାନ୍ତିଶୃଙ୍ଖଳା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପକେଟମାର ଓ ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ସାଧା ପୋଷାକରେ ନଜର ରଖିଥିଲା।

ସମ୍ବନ୍ଧିତ ଖବର