ସଟ୍‌ଡାଉନ୍‌ ପ୍ରଭାବ: ପୋଛି ନେଇଗଲେ ପଚା ପରିବା, ଅଣ୍ଡା ବଜାରରେ ଭିଡ଼

ଭୁବନେଶ୍ବର: ଶୁକ୍ରବାର ଅପରାହ୍‌ଣରେ ସଟ୍‌ଡାଉନ୍‌ ଘୋଷଣା ଖବର ପ୍ରଚାରିତ ହେବା ପରେ ରାଜଧାନୀର ପରିବା ବଜାରରେ ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ହାଟରେ ବେପାରୀମାନେ ସଜ ପରିବା ସବୁକୁ କିଲୋ ପିଛା ମାତ୍ର ୧୦ ଟଙ୍କାରେ ବିକ୍ରି କରିଥିବା ବେଳେ ସହରର ଗଳିକନ୍ଦି ଓ ଉପକଣ୍ଠ ଗାଁମାନଙ୍କରେ ପଚା ପରିବା କେଜି ୫୦ ଟଙ୍କା ହୋଇଗଲା। ସକାଳେ ଗାଁ ଦୋକାନରେ କିଲୋକୁ ୧୬ଟଙ୍କାରେ ବିକ୍ରି ହେଉଥିବା ଆଳୁ କିଲୋ ସନ୍ଧ୍ୟାରେ ୩୦ଟଙ୍କା ହୋଇଗଲା। ତଥାପି ଏଭଳି ବର୍ଦ୍ଧିତ ଦରରେ ବି ଲୋକେ ଏମିତି ‌ବୋହିଲେ ଯେ ଗାଁ ବଜାରର ପରିବା ପାଛିଆ ସବୁ ଖାଲି ହୋଇଗଲା। ରାତି ୮ଟାରୁ ସଟ୍‌ଡାଉନ୍‌ ଲାଗୁ ହେବ ବୋଲି ପ୍ରଚାର ହେବା ପରେ ପରେ ଭୁବନେଶ୍ବର ବାପୁଜୀନଗର ହାଟକୁ ଆସିଥିବା ବେପାରୀମାନେ ତୁରନ୍ତ ମାଲ୍ ଖାଲି କରିବାକୁ ଲାଗି ପଡ଼ିଲେ। ତେଣୁ ସକାଳେ ଯେଉଁ ପରିବ‌ା ୩୦ଟଙ୍କା ଥିଲା, ତାହା ୧୦ ଟଙ୍କାକୁ ଖସି ଆସିଲା। କିଲୋକୁ ୮୦ ଟଙ୍କା ଦରରେ ବିକ୍ରି ହେଉଥିବା ଦେଶୀ ପୋଟଳ ୨୫ଟଙ୍କାକୁ ଖସିଗଲା। ମୋଟାମୋଟି ଭାବେ ବାଇଗଣ, ଝୁଡ଼ଙ୍ଗ, ବିନ୍‌ସ, କଲରା ଭଳି ସବୁଜ ପରିବା ସବୁ କ‌ିଲୋକୁ ୧୦ଟଙ୍କା ହୋଇଗଲା। ସକାଳେ କିଲୋ ୩୦ଟଙ୍କା ଥିବା ଆଠଗଡ଼ କାକୁଡ଼ି ମଧ୍ୟ ୧୦ଟଙ୍କାରେ ବିକ୍ରି ହେଲା। ସନ୍ଧ୍ୟା ୬ ପୂର୍ବରୁ ମାଲ୍ ଖାଲି କରିବାକୁ ବେପାରୀମାନେ ଏଭଳି ଶସ୍ତା କରିଦେଲେ। ମାତ୍ର ଏହାର ପୂରା ଓଲଟା ଚିତ୍ର ଦେଖିବାକୁ ମିଳିଥିଲା ସହରର ଗଳିକନ୍ଦିରେ ଥିବା ଦୋକାନ ବଜାରରେ ଓ ରାଜଧାନୀ ଉପକଣ୍ଠ ଗାଁ ବଜାର‌ରେ। ଏଭଳି ସ୍ଥାନରେ ପଚା ପରିବା ଅମୂଲମୂଲ ହୋଇଗଲା। ସକାଳେ ୧୬ଟଙ୍କା ଥିବା ଆଳୁ ଦର ସନ୍ଧ୍ୟା‌ରେ ୩୦ଟଙ୍କା ହୋଇଗଲା। ପାଚିକି ହଳଦିଆ ପଡ଼ି ଯାଇଥିବା କଲରା, ଝୁଡ଼ଙ୍ଗ ବିନ୍‌ସ ଭଳି ପରିବା ସବୁ କିଲୋ ୫୦ଟଙ୍କାକୁ ଲାଗିଗଲା। ସେଥିରେ ପୁଣି ଦୋକାନଗୁଡ଼ିକରେ ମେଳା ଭଳି ଭିଡ଼ ହେଲା। ନାଲି ପଡ଼ି ଯାଇଥିବା କାକୁଡ଼ି କିଲୋ ୮୦ଟଙ୍କା ହୋଇଗଲା।

ଅଣ୍ଡା ବଜାରରେ ଭିଡ଼
ରବିବାର ଆମିଷ ବାର। ମାତ୍ର ସଟ୍‌ଡାଉନ୍ ଚାଲିଥିବ। ଅର୍ଥାତ ସେଦିନକୁ ମାଛ, ମାଂସ ଓ ଚିକେନ୍‌ ଭଳି ଆମିଷ ଦ୍ରବ୍ୟ ମିଳିବ ନାହିଁ। ତେଣୁ ଆଜି ଅଣ୍ଡା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଟ୍ରେ’ ପିଛା (୩୦ଟି) ୧୪୦ ଟଙ୍କା ଥିବା ଅଣ୍ଡା ହଠାତ୍ ୧୭୦ଟଙ୍କା ହୋଇଗଲା। ଅଣ୍ଡା ଗୋଟା ପିଛା ୧ଟଙ୍କା ବଢ଼ିଗଲା। କିନ୍ତୁ ଲୋକେ ଖାତିର୍ କରିନଥିଲେ। ଘର ପିଛା ଟ୍ରେ’ ଟ୍ରେ’ କରି ଅଣ୍ଡା ବୋହି ନେଇଥିଲେ।

ସମ୍ବନ୍ଧିତ ଖବର