ଶେଷ କ୍ବାର୍ଟର ଆରମ୍ଭ ହେବା ପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଚାଲିଥିଲା। ଇଣ୍ଡିଆ..ଇଣ୍ଡିଆ..ଧ୍ବନିରେ ପୂରା ଷ୍ଟାଡିୟମ ଉଚ୍ଛୁଳୁଥିଲା। ଭାରତ ନେଦରଲାଣ୍ଡ୍କୁ ପ୍ରଥମ ଗୋଲ୍ ଦେବା ପରେ ଶୀତୁଆ ସଂଜରେ ଉଷ୍ମତା ଖେଳିଯାଇଥିଲା। ଗୋଲ୍ ପୋଷ୍ଟ୍ ଆଡ଼କୁ ବଲ୍ ଗଡ଼ିବା କ୍ଷଣି ବସିବା ଜାଗାରୁ ଉଠିପଡ଼ି ଚିଲାଉଥିଲେ ପ୍ରଶଂସକ। ହକି ଏମିତି ମାୟା ଲଗାଇଥିଲା ଯେ ଆଜି ଷ୍ଟାଡିୟମରେ ସିଟ୍ ଅଣ୍ଟି ନଥିଲା। ମାତ୍ର ଶେଷ ଆଡ଼କୁ ପୂରା ଷ୍ଟାଡିୟମ ପରିପୂର୍ଣ୍ଣ ଥାଇ ବି ଏକ ଅଜବ ନିରବତା ଖେଳିଯାଇଥିଲା। ଇଣ୍ଡିଆ ଇଣ୍ଡିଆ…ଚିଲେଇ ତଣ୍ଟି ପଡ଼ିଯାଇଥିଲା। କିନ୍ତୁ ଭାରତ ଜିତିପାରି ନଥିଲା। ଅବଶ୍ୟ ଭାରତର ଲଢ଼ୁଆ ଖେଳ ଆରମ୍ଭରୁ ଶେଷଯାଏଁ କ୍ରୀଡ଼ାପ୍ରେମୀଙ୍କୁ ବାନ୍ଧି ରଖିଥିଲା। ଫେରିବା ବେଳେ କିନ୍ତୁ ମନ ମାନି ନଥିଲା। ଷ୍ଟାଡିୟମରୁ ଲେଉଟିବା ବେଳେ ଯେମିତି ସଭିଏଁ ଭାଙ୍ଗି ପଡ଼ିଥିଲେ। କେହିକେହି ତ ଷ୍ଟାଡିୟମ୍ ଭିତରେ କାନ୍ଦି ପକାଇଥିଲେ। ଫେରୁଥିଲେ ସିନା, କିନ୍ତୁ କାହା ମୁହଁରେ ଭାଷା ନଥିଲା। ଏତେ ଲୋକ ଭିଡ଼ କାଟି ଆସୁଥିଲେ ବି କାହା ମୁହଁରୁ ଶବ୍ଦଟିଏ ବାହାରୁ ନଥିଲା। ଷ୍ଟାଡିୟମ୍ରୁ ବାହାରି ଗାଡ଼ି ଷ୍ଟାଣ୍ଡ୍ରେ ପହଞ୍ଚିବା ପର୍ଯ୍ୟନ୍ତ ନିରବତା ଛାଇଯାଇଥିଲା। ଯେମିତି ଭାରତ ହାରି ଯାଇନି ଯେ ବରଂ ସେମାନେ ହାରି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୨ଶହ ନିଅ, ସେ ଟିକେଟ୍ଟା ଦିଅ
ଭାଇ ୧୨ଶହ ଟଙ୍କା ନିଅ, ସେ ଦେଢ଼ଶ ଟଙ୍କିଆ ଟିକେଟ୍ଟା ଦିଅ। ନହେଲେ ଆଉ ନିଅ..। ପ୍ଲିଜ୍ ଦିଅ, ମୋ ପୁଅ ଟିକେ ଦେଖିବାକୁ ଯିବ। ଆଜି ଷ୍ଟାଡିୟମର ୪ ନମ୍ବର ଗେଟ୍ ନିକଟରେ ଅନ୍ଲାଇନ୍ ଟିକେଟ୍ କାଉଣ୍ଟର ବନ୍ଦ ଥିଲେ ହେଁ କିଛି ବ୍ୟକ୍ତି ସେଇ କାଉଣ୍ଟର୍ ନିକଟରେ ଆସି ଭିଡ଼ ଜମେଇଥିଲେ। ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ କିଛି ବ୍ଲାକର୍। କିଛି ସମୟ ପାଇଁ ସେଠାରେ ଟିକେଟ୍ କଳାବଜାରୀ ଚାଲୁଥିବା ବେଳେ ପୁଲିସ୍ ପହଞ୍ଚି ଜଣେ ଯୁବକଙ୍କୁ କାବୁ କରିଥିଲା। ଏହା ପରେ ଏଫ୍ଆଇଏଚ୍ର ପରିଚୟ ପତ୍ର ଝୁଲେଇଥିବା ଜଣେ ବ୍ୟକ୍ତି ଆସି କାକୁତି ମିନତି ହେଉଥିବା ଲୋକଙ୍କୁ ଟିକେଟ୍ ଦେବା ପାଇଁ ଡାକି ନେଇଥିଲେ। ତେଣୁ ତାଙ୍କ ପଛରେ ଆହୁରି ଅନେକ ଟିକେଟ୍ ଖଣ୍ଡେ ପାଇଁ ଧାଇଁ ଯାଇଥିଲେ। ଏହା ଦେଖି ସେ ବ୍ୟକ୍ତି ଜଣକ ତୁରନ୍ତ ସେଠାରୁ ଦୌଡ଼ି ଚାଲି ଯାଇଥିଲେ।
ଉତ୍ସାହିତ କରିବାକୁ ଦେଶାତ୍ମବୋଧ ସଂଗୀତ
ଭାରତୀୟ ହକି ଦଳକୁ ଉତ୍ସାହିତ କରିବା ପାଇଁ ଆଜି ଷ୍ଟାଡିୟମ ପରିସରରେ ବଲିଉଡ୍ର କିଛି ଲୋକପ୍ରିୟ ଦେଶାତ୍ମବୋଧ ସଂଗୀତ ଶୁଣିବାକୁ ମିଳିଥିଲା। ଭାରତୀୟ ଦଳ ୱାର୍ମ-ଅପ୍ କରୁଥିବା ବେଳେ ଚକ୍ ଦେ ଇଣ୍ଡିଆ.., ୟେ ଦେଶ୍ କି ଧର୍ତି.., ଜୟ ହିନ୍ଦ୍ହିନ୍ଦ୍ ଜୟ ଇଣ୍ଡିଆ.., ୟେ ଦେଶ୍ ହୈ ବୀର୍ ଯବାନୋ କା.., ମା ତୁଝେ ସଲାମ୍… ଭଳି ଗୀତ ବାଜିଥିଲା। ଏହି ଗୀତଗୁଡ଼ିକ କେବଳ ଖେଳାଳି ନୁହେଁ ବରଂ ବସିଥିବା ଦର୍ଶକଙ୍କୁ ବି ଉତ୍ସାହିତ କରିଥିଲା।
ଭାଇ ଏକ୍ସଟ୍ରା ଟିକେଟ୍ ଅଛି କି..
ଭାଇ ଯୋଡ଼େ ଧରିଛ, ଗୋଟେ ଦଉନ। ଯଦି ଏକ୍ସ୍ଟ୍ରା ଅଛି ଦଉନ। ଯେତେ କହିବ ଦେବି। ଭାରତ-ନେଦରଲାଣ୍ଡ୍ ମ୍ୟାଚ୍ ଦେଖିବା ପାଇଁ କ୍ରୀଡ଼ାପ୍ରେମୀ ଏତେ ଉତ୍ସାହିତ ହୋଇପଡ଼ିଥିଲେ ଯେ, ଟିକେଟ୍ ନଥାଇ ବି ଷ୍ଟାଡିୟମ ନିକଟକୁ ଚାଲି ଆସିଥିଲେ। ୩ ନମ୍ବର ଗେଟ୍ ପାଖ ଦେଇ ଯେଉଁ କ୍ରୀଡ଼ାପ୍ରେମୀ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଯାଉଥିଲେ ସେଇ ପାଖରେ ଛିଡ଼ା ହୋଇଥିବା ଜଣେ ମଧ୍ୟ ବୟସ୍କ ଯୁବକ ସମସ୍ତଙ୍କୁ ଏଇ ଟିକେଟ୍ ବାବଦରେ ଅନୁରୋଧ କରୁଥିଲେ। ମାତ୍ର କିଏ ବା କାହିଁକି ଦବ ?
ଭାରତ ଦଳ ପ୍ରବେଶ ମାତ୍ରେ ବଢ଼ିଗଲା ଜୋସ୍
ସବୁ ମ୍ୟାଚ୍ ଅପେକ୍ଷା ଆଜିର ମ୍ୟାଚ୍କୁ ବହୁ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ପ୍ରଥମାର୍ଧରେ ବେଲ୍ଜିୟମ ଓ ଜର୍ମାନି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ସନ୍ଧ୍ୟା ୫ଟା ୪୦ ମିନିଟ୍ରେ ଷ୍ଟାଡିୟମ କଡ଼ରେ ପ୍ରବେଶ କରିଥିଲେ ଭାରତୀୟ ଦଳର ଖେଳାଳି। ନିଜ ଦେଶର ଖେଳାଳିମାନଙ୍କୁ ଦେଖିବା ପରେ ଉତ୍ସାହରେ ସ୍ବାଗତ କରିଥିଲେ। ପରେ ଯେବେ ୬ଟା ୧୫ରେ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ୱାର୍ମଅପ୍ ପାଇଁ ପହଞ୍ଚିଲେ ସେତେବେଳେ ଅନେକ ଛିଡ଼ା ହୋଇ ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିଥିଲେ।
ଜାତୀୟ ସଂଗୀତ ସମସ୍ତେ ଗାଇବା: ବୀରେନ୍ଦ୍ର ସେହବାଗ
ଆଜି ବୀରେନ୍ଦ୍ର ସେହବାଗ ହକି ବିଶ୍ବକପ୍ର ଦ୍ବିତୀୟ କ୍ବାର୍ଟର ଫାଇନାଲ୍ରେ ଯୋଗ ଦେଇଥିଲେ। ସେ ଟର୍ଫ ଉପରକୁ ପ୍ରବେଶ କରିବା କ୍ଷଣି ହୋ ହଲାରେ ଫାଟି ପଡ଼ିଥିଲା ପରିବେଶ। ନିଜର ପ୍ରଶଂସକଙ୍କଠୁ ଏଭଳି ସମର୍ଥନ ପାଇବା ପରେ ସେହବାଗ କିଛି ନକହି ଲେଉଟି ପାରି ନଥିଲେ। ଭିତରୁ ଯାଇ ମାଇକ୍ରୋଫୋନ୍ ଆଣି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ ଏହି ଅବସରରେ ଯୋଗ ଦେବାକୁ ସୁଯୋଗ ଦେଇଥିବାରୁ ମଧ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଭାରତର ଜାତୀୟ ସଂଗୀତ ଗାନ କରାଯିବା ସମୟରେ ଷ୍ଟାଡିୟମରେ ବସିଥିବା ସମସ୍ତ କ୍ରୀଡ଼ାପ୍ରେମୀ ଏକ ସ୍ବରରେ ଗାଇବା ପାଇଁ କହିଥିଲେ। କ୍ରୀଡ଼ାପ୍ରେମୀ ମଧ୍ୟ ସମସ୍ତେ ଦଣ୍ଡାୟମାନ ଅବସ୍ଥାରେ ଜାତୀୟ ସଂଗୀତ ଗାଇଥିଲେ।
ଉତ୍ତର ଷ୍ଟାଣ୍ଡ୍ରେ ନେଦରଲାଣ୍ଡ୍ ପ୍ରଶଂସକ
ଷ୍ଟାଡିୟମ୍ର ଉତ୍ତର ଷ୍ଟାଣ୍ଡ୍ରେ ଆଜି ନେଦରଲାଣ୍ଡ୍ର ୨୫ରୁ ଅଧିକ ପ୍ରଶଂସକ ମ୍ୟାଚ୍ ଉପଭୋଗ କରିଥିଲେ। ଭାରତୀୟଙ୍କ ଭିଡ଼ ଭିତରେ ଭିତରେ ସେମାନେ ନିଜ ଦେଶର ପତାକା ଓ ଜର୍ସି ପିନ୍ଧି ଖେଳାଳିଙ୍କୁ ସମର୍ଥନ କରିଥିଲେ। ଏଥିସହ ବେଲ୍ଜିୟମ୍ର କିଛି ପ୍ରଶଂସକ ବେଲ୍ଜିୟମ ସହ ଭାରତର ପତାକା ମୁହଁରେ ଆଙ୍କି ଶେଷ ମ୍ୟାଚ୍ରେ ଭାରତକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା।
ଫ୍ୟାନ୍ ଭିଲେଜ୍ରେ ମସ୍ତି
ପଡ଼ିଆ ଭିତରେ ହକି। ବାହାରେ ମନୋରଞ୍ଜନ। ହକି ଫ୍ୟାନ୍ଙ୍କ ପାଇଁ ତିଆରି ହୋଇଛି ଫ୍ୟାନ୍ ଭିଲେଜ୍। ଯେଉଁଠି ଖେଳ ଦେଖିବାକୁ ଯିବା ପୂର୍ବରୁ ଦର୍ଶକଙ୍କର ଜମୁଛି ଭିଡ଼। ଆତ୍ମ ସମର୍ପଣ କରିଥିବା ମାଓବାଦୀ ହୁଅନ୍ତୁ ବା ସାଧାରଣ ଦର୍ଶକ, ପଡ଼ିଆ ପ୍ରବେଶ ପୂର୍ବରୁ ଏହି ଫ୍ୟାନ୍ ଭିଲେଜ୍ରେ ମସ୍ତି କରିବାକୁ ଭୁଲୁନାହାନ୍ତି। ପ୍ରିନ୍ସ ସହ ସେଲ୍ଫି: କଟକ ସିଆଇଡି କ୍ରାଇମ୍ବ୍ରାଞ୍ଚର ବୋମା ଖୋଜିବାରେ ମୁଖ୍ୟ ଭୂମିକା ନେଉଥିବା ତାଲିମ୍ପ୍ରାପ୍ତ କୁକୁର ପ୍ରିନ୍ସ୍ ସହ ହତ୍ୟାକାଣ୍ଡ, ଚୋରି, ଡକାୟତି ପ୍ରଭୃତି ବଡ଼ ବଡ଼ ଅପରାଧ ତଦନ୍ତରେ ସହାୟତା କରୁଥିବା କୁକୁର ‘ଷ୍ଟାର’ ଏହି ଫ୍ୟାନ୍ ଭିଲେଜ୍ରେ ଦେଖାଯାଇଛନ୍ତି। ପ୍ରିନ୍ସ୍ ସହ ସେଲ୍ଫି ଉଠାଇବାରେ ଦର୍ଶକଙ୍କର ବେଶ ଆଗ୍ରହ ଥିବା ଦେଖାଯାଇଛି। ତେବେ ଏହି କ୍ୟାମ୍ପରେ ଏସ୍ଓଜି ବ୍ୟବହାର କରୁଥିବା ରକେଟ୍ ଲଞ୍ଚର, ମୋଟର, ମେସିନ୍ ଗନ୍, କାରବାଇନ୍, ସ୍ନିପର, ହ୍ୟାଣ୍ଡ ଗ୍ରେନେଡ୍ ଓ ଏକେ-୪୭ ଭଳି ହତିଆର ରଖାଯାଇଛି। ଏହାକୁ ଧରି ଫଟୋ ଉଠାଇବା ପାଇଁ ପ୍ରବଳ ଆଗ୍ରହ ଥିବା ଦେଖାଯାଇଛି।
୩୬୦ ଡିଗ୍ରି ଫଟୋ: ଦର୍ଶକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ୩୬୦ ଡିଗ୍ରି ଫଟୋ ଉଠାଯିବା ସହ ଇମେଲ୍ ଜରିଆରେ ଦର୍ଶକ ପାଖରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି। ଏଥଇପାଇଁ ଏକ ଫ୍ରେମ୍ ତିଆରି ହୋଇଛି। ଏଠାରେ ୧୨ଟି ଉତ୍ତମ ଗୁଣବତ୍ତାର କ୍ୟାମେରା ଥିବା ମୋବାଇଲ ହାଣ୍ଡସେଟ୍ ଲାଗିଛି। ଏକ ସମୟରେ ଏହି ମୋବାଇଲ ଫଟୋ ଉଠାଇବା ପରେ ସବୁ ଦିଗରୁ ଫଟୋକୁ ଏକାଠି କରାଯାଇ ଗୋଟିଏ ଫଟୋ ପ୍ରସ୍ତୁତ କରାଯାଇ ଦର୍ଶକଙ୍କ ପାଖକୁ ପଠାଇ ଦିଆଯାଉଛି।
ହକି ଖେଳ: ଦର୍ଶକ ହକି ଖେଳିବା ପାଇଁ ଏଠାରେ ସୁଯୋଗ ରହିଛି। ଅନୁରୂପ ପଡ଼ିଆ ଭଳି ଏଠାରେ ନକଲି ପଡ଼ିଆ ତିଆରି ହୋଇଥିବା ବେଳେ ହକି ଷ୍ଟିକ୍ ଓ ବଲ୍ ରଖାଯାଇଛି। ଦର୍ଶକ ଖେଳ ଦେଖିବାକୁ ଯିବା ପୂର୍ବରୁ ଏଠାରେ ପରିବାର କିମ୍ବା ବନ୍ଧୁଙ୍କ ସହ ହକି ଖେଳିପାରିବେ। ତେବେ ସପରିବାର ଏଠାରେ ହକି ଖେଳିବା ପାଇଁ ଦର୍ଶକ ଅପେକ୍ଷା କରିରହୁଥିବା ପରିଲକ୍ଷିତ ହୋଇଛି।
ଖେଳାଳିଙ୍କଠୁ ଅଭିନେତା ଯାଏଁ: ପଶ୍ଚିମ ପଟ ଷ୍ଟାଣ୍ଡ୍ରେ କିଛି ବିଧାୟକଙ୍କ ସମେତ ସେଲେବ୍ରିଟି ଓ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ଫୁଟ୍ବଲ୍ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ଆସିଥିବା କହିଥିଲେ। ସିନେ ଅଭିନେତା ଅରିନ୍ଦମ କହିଥିଲେ ଯେ, ମୁଁ ଏହାକୁ ମିଶାଇ ୩ ଥର ବିଶ୍ବକପ୍ ଦେଖିବାକୁ ଆସିଲିଣି। ବିଦ୍ୟାଳୟ ସ୍ତରରୁ ମୁଁ କ୍ରୀଡ଼ା ସହ ସମ୍ପୃକ୍ତ ଥିଲି, ତେଣୁ ମୋ’ର କ୍ରୀଡ଼ା ପ୍ରତି ଆଗରୁ ଉତ୍ସାହ ଅଛି। ଏଥିସହ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ବ୍ୟୋମକେଶ ରାୟଙ୍କ ସମେତ ବହୁ ପ୍ରଶାସକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ଶଙ୍ଖ ଫ୍ୟାନ୍: ଶଙ୍ଖ ଚିହ୍ନ ବ୍ୟାନର୍ରେ ନିର୍ମିତ ସ୍ବତନ୍ତ୍ର ପୋଷାକ ପିନ୍ଧି ଦର୍ଶକଙ୍କ ମନ ଜିଣିଥିଲେ ଶଙ୍ଖ ଫ୍ୟାନ୍। ହାତରେ ପତାକା ଏବଂ ଦେହରେ ଶଙ୍ଖ ପୋଷାକ ପିନ୍ଧି ପଶ୍ଚିମ ଷ୍ଟାଣ୍ଡ୍ରେ ସେ କ୍ରୀଡ଼ାପ୍ରେମୀଙ୍କ ଭିତରେ ଜୋସ୍ ଭରିଥିଲେ। ଏଥିସହ ଜଣେ ମହିଳାଙ୍କୁ ମଧ୍ୟ ଜାତୀୟ ପତାକାରେ ସଜ୍ଜିତ ହୋ ଇ ପଶ୍ଚିମ ଷ୍ଟାଣ୍ଡ୍ରେ ବସିଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଷ୍ଟାଣ୍ଡ୍ ଗୁଡ଼ିକରେ ମଧ୍ୟ ଆଜି ବହୁ ଭାରତୀୟ ପ୍ରଶଂସକ ନିଜକୁ ସଜେଇ ହୋଇ ଭାରତକୁ ସମର୍ଥନ ଦେଉଥିବା ଦେଖାଯାଇଥିଲା।