ଶିଳ୍ପୀ ମହାସଂଘର ବାର୍ଷିକ ଉତ୍ସବ : ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଙ୍ଘର ୫ମ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହା ପୂର୍ବରୁ କାରିଗରଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାର ‘ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦ ଗଠନ’ କରିଥିବାରୁ ମହାସଂଘର ପ୍ରାୟ ଏକ ହଜାରରୁ ଊର୍ଧ୍ୱ ସଦସ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଶିଳ୍ପୀ ମହାସଂଘର ମୁଖପତ୍ର ‘କାରିଗର ପତ୍ରିକା’ର ଅକ୍ଟୋବର ସଂଖ୍ୟାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ, ରାଜ୍ୟ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ, ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସଂଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ଅବସରରେ ‘କାରିଗରଙ୍କ ଉପରେ ଜିଏସ୍‌ଟି ବୋଝ’ ସଂପର୍କିତ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଉତ୍ସବରେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଧୃବଚରଣ ସ୍ୱାଇଁଙ୍କୁ ‘ଶିଳ୍ପୀଶ୍ରୀ ସମ୍ମାନ’, ପ୍ରଶାନ୍ତ ନନ୍ଦଙ୍କୁ ‘ଶିଳ୍ପୀ ସଖା ସମ୍ମାନ’ ଓ ହସ୍ତଶିଳ୍ପୀଙ୍କ ପାଇଁ କାର୍ଯ୍ୟରତର ସ୍ୱେଚ୍ଛାସେବୀ ସଂଗଠନ ଶିକ୍ଷା ଟ୍ରଷ୍ଟ ଓ ଭୁବନେଶ୍ୱର ଅପରୂପା ଶିଳ୍ପୀ ସମବାୟ ସମିତିକୁ ‘ଶିଳ୍ପୀ ସହଯୋଗୀ ସମ୍ମାନ’ ପ୍ରଦାନ କରାଯାଇଛି। ଏହାଛଡ଼ା ବିଜୟ ମେହେର, ପ୍ରଫୁଲ୍ଲ ସାହୁ, ଶରତ ପ୍ରଧାନ ଓ ପ୍ରଦୀପ ମେହେରଙ୍କୁ ‘ଶିଳ୍ପୀ ସଂଗଠକ’ ଭାବେ ସମ୍ମାନିତ କରାଯାଇଥିଲା।

ମହାସଂଘର ଏହି କାର୍ଯ୍ୟକ୍ରମର ଅତିଥି ଭାବେ ଉତ୍କଳିକା ସଭାପତି ଯତୀନ ସାହୁ, ଭାସ୍କଯ୍ୟର୍ ଶିଳ୍ପୀ ସୁଦର୍ଶନ ସାହୁ , ସମାଜସେବୀ ମଂଜୁର ଅଲ୍ଲୀ, ଶିଳ୍ପୀ ମହାସଂଘ ସଭାପତି ଉଦୟ ମହାନ୍ତି, ସଂପାଦକ ବିଶେଶ୍ୱର ବସୁ ମଲ୍ଲିକ ଓ ଉପସଭାପତି ଶ୍ରୀଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶିଳ୍ପୀ ମହାସଂଘର ସଂଗଠନ ସଂପାଦକ ପ୍ରିୟରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ବିଜୟ ମେହେର ଧନ୍ୟବାଦ ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ଶହରୁ ଊର୍ଧ୍ୱ କାରିଗର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର