ସଙ୍ଗୀତ ସନ୍ଧ୍ୟା ‘ଜୁଏଲ୍‌ସ୍‌ ଅଫ୍‌ ଓଡ଼ିଶା’

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କାର’ ପକ୍ଷରୁ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ‘ଜୁଏଲ୍‌ସ୍‌ ଅଫ୍‌ ଓଡ଼ିଶା’ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍‌ ତଥା ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଚାନ୍ଦ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଜାତୀୟସ୍ତରରେ ଖ୍ୟାତି ସାଉଁଟିଥିବା କିଛି କଣ୍ଠଶିଳ୍ପୀଙ୍କୁ ନେଇ ଏପରି କାର୍ଯ୍ୟକ୍ରମ ଆୟୋଜନକୁ ସେ ପ୍ରଶଂସା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ଓ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଉପସ୍ଥିତ ରହି କଣ୍ଠଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହ ଅଧିକରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ‘ସଂସ୍କାର’ର ସାଧାରଣ ସମ୍ପାଦକ ମହାଦୀପ କର ଓ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଉପସ୍ଥିତ ଥିଲେ। ଏହି ଅବସରରେ ଭଏସ୍‌ ଅଫ୍‌ ଇଣ୍ଡିଆ ଫେମ୍‌ ପ୍ରଗ୍ୟା ପାତ୍ର, ଇଣ୍ଡିଆନ୍‌ ଆଇଡଲ୍‌ ଅନନ୍ୟା ଶ୍ରୀତ୍ତମ ନନ୍ଦ ଓ ଜଣାଶୁଣା କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ସଙ୍ଗୀତ ଆସର ଆରମ୍ଭ ହୋଇଥିଲା ମହାପ୍ରସାଦ କରଙ୍କ କଣ୍ଠରୁ ‘ନୀଳଚକ୍ରେ ହୋ…’। ତାଙ୍କର ଚମତ୍କାର ପରିବେଷଣ ଶ୍ରୋତାଙ୍କୁ ଏକ ଆଧ୍ୟାତ୍ମିକ ପରିବେଶକୁ ନେଇ ଯାଇଥିଲେ। ତାହା ପରେ ମହାପ୍ରସାଦଙ୍କ ସମେତ ପ୍ରଗ୍ୟା, ଅନନ୍ୟା ଓ ଅନ୍ତରା ଲୋକପ୍ରିୟ ଓଡ଼ିଆ ଓ ହିନ୍ଦୀ ଗୀତଗୁଡ଼ିକ ପରିବେଷଣ କରି ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ। ଏହି ଗୀତଗୁଡ଼ିକ ମଧ୍ୟରେ ଥିଲା ‘ତେରେ ବିନା ଜିନ୍ଦେଗୀ…’, ‘ପ୍ୟାର୍‌ କର୍‌ନେ ଓ୍ଵାଲେ…’, ‘ହେ ରାମା…’, ‘ପାଦରେ ପାଦ ଛନ୍ଦା…’, ‘କମଳ ଦେଶ ରାଜକୁମାର…’ ଇତ୍ୟାଦି। ମହାପ୍ରସାଦ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଙ୍ଗୀତ ଆସର ପରିଚାଳନା କରାଯାଇଥିଲା।

ସମ୍ବନ୍ଧିତ ଖବର