ଭୁବନେଶ୍ବର: ଯେବେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ମର୍ଦଳ ବିଭାଗ ଖୋଲିଲା, ବିଶିଷ୍ଟ ମର୍ଦଳ ଗୁରୁ ବନମାଳୀ ମହାରଣା ଶିକ୍ଷକ ଭାବେ ଯୋଗଦେଲେ। ମର୍ଦଳ ଭଳି ଆନଦ୍ଧ ବାଦ୍ୟ ଉପରେ ତାଙ୍କ ତୀକ୍ଷ୍ଣ ଆଙ୍ଗୁଳି ଚାଳନା ଦେଖି ପ୍ରଶିକ୍ଷାର୍ଥୀଙ୍କ ଆଖି ଲାଖି ରହୁଥିଲା। ତେବେ ଶିକ୍ଷାନୁଷ୍ଠାନରେ ଗୁରୁ ବଦଳରେ ସେ ପିଲାମାନଙ୍କର ଭଲ ବନ୍ଧୁଟେ ପାଲଟି ଯାଇଥିଲେ। ୮୦ ଦଶକର ଆରମ୍ଭ। ତେଣୁ ସେତେବେଳେ ବନମାଳୀ ସାର୍ଙ୍କୁ ଦରମା ବାବଦରେ ୪ଶହ କି ୫ଶହ ଟଙ୍କା ଦରମା ମିଳୁଥିଲା। ଏଥିରେ ବି ସେ ଏତେ ସ୍ନେହାଳୁ ଥିଲେ ଯେ ଆମ ଭଳି ଗରିବ ପିଲାମାନଙ୍କୁ ୧୦/୧୫ ଟଙ୍କା ଲେଖାଏଁ ଦେଉଥିଲେ। ଆମେ ଗାଁ’କୁ ସେ ଟଙ୍କା ନେଇ ଫେରୁଥିଲୁ। ପରେ ତାହା ଆମ ଅଭ୍ୟାସରେ ପରିଣତ ହୋଇଗଲା। ଯେବେ ମାସ ଶେଷ ହେଉଥିଲା ସାର୍ଙ୍କ ଅପେକ୍ଷା ସାର୍ଙ୍କ ଦରମାକୁ ଆମେ ଚାହିଁ ବସୁଥିଲୁ। ସାର୍ ବି ମନକଥା ବୁଝିପାରି ଆମକୁ ଯେତେବେଳେ ଯାହା ସାଧ୍ୟ ମୁତାବକ ଦେଉଥିଲେ ଆମେ ତାକୁ ନେଇ ଛୁଟି ଦିନରେ ଗାଁ’କୁ ଫେରୁଥିଲୁ ବୋଲି କୁହନ୍ତି ବନମାଳୀ ମହାରଣାଙ୍କ ଶିଷ୍ୟ ତଥା ଜଣାଶୁଣା ମର୍ଦଳ ବାଦକ ଧନେଶ୍ବର ସ୍ବାଇଁ।
Sambad is now on WhatsApp
Join and get latest news updates delivered to you via WhatsApp
ଯେବେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ମର୍ଦଳ ବିଭାଗର ମୁଖ୍ୟ ଭାବେ ୧୯୯୯ ମସିହାରେ ଅବସର ନେଲେ ତା ପରେ ମର୍ଦଳ ଏକାଡେମି ଗଢ଼ି ଶିକ୍ଷା ଦେଲେ। ଯେବେ ବି ତାଙ୍କ ‘ସୁନ୍ଦରବନ’ ବାସଭବନକୁ କେହି ଯାଇ ପହଞ୍ଚିଯାଏ ସେବେ ସେଠୁ କେହି ନଖାଇ ଫେରେନାହିଁ ବୋଲି ଅଧିକାଂଶ ଛାତ୍ର ସ୍ବୀକାର କରନ୍ତି। ମର୍ଦଳ ଦୁନିଆରୁ ବାହାରି ବନମାଳୀଙ୍କ ବ୍ୟକ୍ତିତ୍ବକୁ ସ୍ମରଣ ବେଳେ ସେମାନଙ୍କ ଆଖି ଛଳଛଳ ହୋଇଯାଉଥିଲା। ଆଜି ମୃତ୍ୟୁ ପରେ ବହୁ ଛାତ୍ର ତାଙ୍କର ଅଭୁଲା ଦିନକୁ ସ୍ମରଣ କରିବା ସହ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ର, ମେୟର ଅନନ୍ତ ନାରାୟଣ ଜେନା, ଅଭିନେତା ଅଜିତ ଦାସ, ବିଶିଷ୍ଟ ସଂଗୀତଜ୍ଞ ଗୋପାଳ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀକାନ୍ତ ପାଲିତ୍, ଧନେଶ୍ବର ସ୍ବାଇଁ, ଇଲିଆନା ସିତାରିଷ୍ଟ୍, ବିଜେପି ନେତା ଅମିୟ ଦାଶ, ବିଜୟ ଜେନା, ରତିକାନ୍ତ ମହାପାତ୍ର, ଜଗନ୍ନାଥ କୁଅଁର, ସଚ୍ଚିଦାନନ୍ଦ ଦାସ, ନିରଂଜନ ପାତ୍ର, ନିମାକାନ୍ତ ରାଉତରାୟ, ଧୀରଜ ମହାପାତ୍ର ଏବଂ ଆଶିଷ ମହାପାତ୍ରଙ୍କ ସମେତ ବହୁ ବଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ ପାଇଁ ‘ସୁନ୍ଦରବନ’ରେ ଭିଡ଼ ଜମେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ସୁନ୍ଦରମଣି ମହାରଣା, ପୁତ୍ର ସୁରେନ୍ଦ୍ର ମହାରଣା, ଝିଅ ପଦ୍ମାବତୀ ମହାରଣାଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ନିଆଯିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ସୁରେନ୍ଦ୍ର ମହାରଣା ମୁଖାଗ୍ନି ଦେଇଥିଲେ।