ଶିରିଡ଼ିର ପ୍ରତି-ଦ୍ବାରକାମାୟୀ ଉଦ୍‌ଘାଟିତ

କଟକ,: ପବିତ୍ର ଧାମ ଶିରିଡ଼ିସ୍ଥିତ ଦ୍ବାରକାମାୟୀର ଅବିକଳ ଆକୃତିର ଏକ ପ୍ରତି-ଦ୍ବାରକାମାୟୀ କଟକ ସିଡିଏ ନିକଟବର୍ତ୍ତୀ ନରାଜ-ମାର୍ଥାପୁର ରେଳ ଷ୍ଟେସନ ନିକଟରେ ମନୋରମ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି। ଶିରିଡ଼ି ସାଇବାବାଙ୍କ ମହାସମାଧିର ଶତବାର୍ଷିକ ପାଳନ ଅବସରରେ ଏହି ଅନୁପମ ଦ୍ବାରକାମାୟୀକୁ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଉଦ୍‌ଘାଟନ କରିଛନ୍ତି। ଶିରିଡ଼ିର ଯେଉଁ ଦ୍ବାରକାମାୟୀରେ ଶ୍ରୀସାଇବାବା ତାଙ୍କ ଜୀବନକାଳର ଦୀର୍ଘ ଷାଠିଏ ବର୍ଷ କଟାଇଥିଲେ, ଏହା ଠିକ୍ ତା’ର ଅନୁରୂପ ଶୈଳୀରେ ନିର୍ମିତ ହୋଇଛି। ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଏହି ପୀଠକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ଦ୍ବାରକାମାୟୀ ହେଉଛି ଏକ ଐତିହାସିକ ସ୍ମୃତିଜଡ଼ିତ ପାବନ ପୀଠ। ଶ୍ରୀସାଇବାବାଙ୍କ ଜୀବନକାଳରେ ଏହି ପୀଠରେ ଅନେକ ଅଲୌକିକତା ଓ ଚମତ୍କାରିତା ଘଟିଥିଲା, ସେସବୁର ବର୍ଣ୍ଣନା ସାଇ ସତ୍‌ଚରିତରେ ଉଲ୍ଲେଖ ହୋଇଛି। ବିଭିନ୍ନ ପ୍ରାନ୍ତରୁ ବହୁ ସ˚ଖ୍ୟକ ଲୋକ ଏଠାକୁ ଆସୁଥିଲେ ଓ ସମସ୍ତେ ଉପକୃତ ହେଉଥିଲେ। ଆଜି ପର୍ଯ୍ୟନ୍ତ ସେହି ଧାରା ଅବ୍ୟାହତ ରହିଛି। ତେବେ ସବୁବେଳେ ସବୁ ଭକ୍ତଙ୍କ ପକ୍ଷରେ ଶିରିଡ଼ି ଯିବା ସମ୍ଭବ ହୋଇପାରୁନଥିବାରୁ ନିଜ ଘର ପାଖରେ ନିଜର ଆରାଧ୍ୟଙ୍କର ଏହିପରି ଏକ ପୀଠର ପରିକଳ୍ପନା ସଦ୍‌ଗୁରୁଙ୍କ ପ୍ରତି ଅପାର ପ୍ରେମ ଓ ଶ୍ରଦ୍ଧାର ନିଦର୍ଶନ। ଆଗାମୀ ଦିନରେ ଏହା ଏକ ଦର୍ଶନୀୟ ସ୍ଥଳରେ ପରିଣତ ହେବ ବୋଲି ସେ କହିଥିଲେ।

ଶିରିଡ଼ି ସାଇ ସର୍ଭାଣ୍ଟସ ସୋସାଇଟିର ଅଧ୍ୟକ୍ଷ ଶ୍ରୀ ସତ୍ୟ ଖଡ୍ଗରାୟ ଗୁରୁଜୀ ଶ୍ରୀଶତପଥୀଙ୍କୁ ପୁଷ୍ପହାର ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ନିତ୍ୟାନନ୍ଦ ପୃଷ୍ଟି, ସ୍ଥାନୀୟ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଆଇପିଏସ ବିଦ୍ୟାଭୂଷଣ ମହାନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ଡି.ଏନ. ପାଢ଼ୀ, ପ୍ରଫେସର ରାଜକିଶୋର ମିଶ୍ର, ବରିଷ୍ଠ ଆଇନଜୀବୀ ଅଶ୍ବିନୀ ମିଶ୍ର, ଧରଣୀଧର ନାୟକ, ସାଇକୁଟୀର ଫାଉଣ୍ତେସନ ଟ୍ରଷ୍ଟର ସଭାପତି ବିଜୟ ଦାସ, ବରିଷ୍ଠ ସାମ୍ବାଦିକ କିଶୋର ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଏବ˚ ସାଇଭକ୍ତମାନେ ବହୁସ˚ଖାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର