୧୩ ଦୁର୍ଘଟଣା ଓ ଆନ୍ଦୋଳନ ପରେ ସମତୁଲ ହେଲା ରାଜମହଲ-ଶିଶୁଭବନ ରାସ୍ତା

ଭୁବନେଶ୍ୱର : ଶେଷରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ନିଦ ଭାଙ୍ଗିଛି। ୧୫ ଦିନ ଭିତରେ ୧୩ ଦୁର୍ଘଟଣା ଓ ଦୁଇଥର ଆନ୍ଦୋଳନ ପରେ ଆଜି ଶିଶୁଭବନ-ରାଜମହଲ ରାସ୍ତାର ଥିବା ଢିପ ଜାଗାକୁ ସମତୁଲ କରାଯାଇଛି। ଏକ ଜେସିବି ସହାୟତାରେ ଏଠାରେ ପଡ଼ିଥିବା ପେଭର ବ୍ଲକଗୁଡ଼ିକୁ ଉଠାଯିବା ସହ ବାଲି ଖୋଳି ପୁଣି ଥରେ ବ୍ଲକଗୁଡ଼ିକୁ ପକାଯାଇଛି। ଏହାକୁ ପିଚୁ ରାସ୍ତା ସହ ସମତୁଲ କରାଯାଇଛି। ପୂର୍ବରୁ ଏହା ପିଚୁ ରାସ୍ତାଠାରୁ ୬ ଇଞ୍ଚରୁ ଅଧିକ ଉଚ୍ଚାରେ ଦୀର୍ଘ ୧୦ ଫୁଟରୁ ଅଧିକ ଦୂରତା ପର୍ଯ୍ୟନ୍ତ ରହିଥିବାରୁ ଦ୍ରୁତଗତିରେ ଆସୁଥିବା ବା ଏହି ରାସ୍ତା ସମ୍ବନ୍ଧରେ ଅବଗତ ନଥିବା ଚାଳକ ପଡ଼ି ଆହତ ହେଉଥିଲେ। ଏହା ତିଆରି ହେବାର ୧୫ ଦିନ ଭିତରେ ୧୩ଜଣ ବାଇକ୍‌ ଆରୋହୀ ପଡ଼ି ଆହତ ହୋଇଥିବା ବେଳେ ଦୁଇଥର ଆାନ୍ଦୋଳନ ହୋଇଥିଲା। ତିନିଦିନ ତଳେ ତିନିଜଣ ବାଇକ୍‌ ଆରୋହୀ ପଡ଼ି ଗୁରୁତର ଆହତ ହେବାରୁ ଏଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଏକ ଜେସିବି ଧରି ଏଠାରେ ପହଞ୍ଚିବା ସହ ତାଡ଼ି ଦେବାକୁ ଉଦ୍ୟମ କରିବା ସହ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଏ ନେଇ କିଛି ଲୋକ ଯାଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହାକୁ ତୁରନ୍ତ ନ ହଟାଇଲେ ରାସ୍ତାକୁ ଖୋଳି ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏଣୁ ଆଜି ଏହାକୁ ତାଡ଼ି ସମତୁଲ କରାଯାଇଛି।

ସମ୍ବନ୍ଧିତ ଖବର