ଭୁବନେଶ୍ୱର : ଶୀତୁଆ ସଂଧ୍ୟାରେ ମେଳାର ଆସର, ରାଜଧାନୀବାସୀଙ୍କୁ ଟାଣିଥିଲା ନିଜ ଆଡ଼କୁ। ପାରମ୍ପରିକ ବଡ଼ି, ପାମ୍ପଡ଼ଠାରୁ ଅତ୍ୟାଧୁନିକ ଅଳଙ୍କାର, ଘରସଜ୍ଜା ସାମଗ୍ରୀଠାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ପୋଷାକଠାରୁ ଚପଲ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ଭଳିକି ଭଳି ଜିନିଷ ସବୁ ବୁଲି ଦେଖିବାକୁ ଲୋକମାନେ ଆଜି ପହଞ୍ଚିଥିଲେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ। ଖାଲି ସେତିକି ନୁହେଁ ରବିବାର ଥିବାରୁ ସପରିବାର ଆସିଥିବା ଗ୍ରାହକ ସବୁ ଫୁଡ୍ କୋର୍ଟରେ ଜମାଇଥିଲେ ଅସମ୍ଭାଳ ଭିଡ଼। ମେଳା ପରିସରରେ ସୋରିଷ ପଡ଼ିବାକୁ ଜାଗା ଥିଲା ନା ମେଳା ବାହାରେ ଗାଡ଼ି ପାର୍କିଂ କରିବାକୁ ସ୍ଥାନ। ସାରା ଦେଶର ନିଆରା ଜିନିଷ ସବୁକୁ ଗୋଟିଏ ଜାଗାରେ ସାଉଁଟିଥିବା ରାଜ୍ୟର ସର୍ବବୃହତ୍ ପ୍ରଦର୍ଶନୀ ‘ଶିଶିର ସରସ’ର ଆଜି ଏଭଳି ଥିଲା ପରିବେଶ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ କରି ଆସିଛି ପାଇନ୍ କାଠ ଚାବି ଓ ଚାଉଳ ଦାନାରେ ନାମ ଲେଖା ରିଙ୍ଗ୍
ପ୍ରଦର୍ଶନୀକୁ ପ୍ରଥମ କରି ଆସିଛି ବିହାରର ପାଇନ୍ କାଠରେ ତିଆରି ଚାବି ରିଙ୍ଗ୍। ବିଭିନ୍ନ ପ୍ରକାର କାର୍ଟୁନ୍, ଡୋରେମନ୍, ଗଣପତି, ବେଷ୍ଟ୍ ଫ୍ରେଣ୍ଡ୍ ଓ ଲଭ୍ ସ୍ମାଇଲ୍ ଆଦି ଭିନ୍ନ ଭିନ୍ନ ଡିଜାଇନ୍ର ଚାବି ରିଙ୍ଗ୍। ପୁଣି ରହିଛି ଆଲ୍ଫାବେଟ୍, ଥ୍ରି-ଡି ଓ ବିଭିନ୍ନ ପ୍ରକାର ନାମ ଫଳକ। ସବୁଠାରୁ ନିଆରା ହେଉଛି ଚାଉଳରେ ନାମ ଲେଖାଥିବା ଚାବି ରିଙ୍ଗ୍। ଏହି ଷ୍ଟଲ୍ର ମାଲିକ ସୁରେନ୍ଦର୍ ସିଂହ କୁହନ୍ତି, ଗ୍ରାହକଙ୍କ କହିବା ଅନୁଯାୟୀ ଚାଉଳରେ ନାମ ବହୁ କ୍ଷୁଦ୍ର ଅକ୍ଷରରେ ଲେଖି ଏକ କାଚ ନଳୀ ଭଳି ଚାବି ରଙ୍ଗ୍ରେ ଏହାକୁ ରଖାଯାଏ। ଫଳରେ ଏହା ବାହାରକୁ ଟିକେ ବଡ଼ ଦେଖାଯାଏ। ଏହାକୁ ଲକେଟ୍ କରି ମଧ୍ୟ ଯୁବପିଢ଼ି ବେକରେ ଓ ହାତରେ ପିନ୍ଧିବାକୁ ପସନ୍ଦ କରନ୍ତି। ଏହାର ଦାମ୍ ୪୦-୫୦ ଟଙ୍କା ରହିଛି। ସେହିପରି ନାମଫଳକ ୩୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ଫେବ୍ରିକ୍ ରଙ୍ଗରେ ବିଭିନ୍ନ ଲେଖା ଓ ଚିତ୍ର କରି ସେ ବିକ୍ରି କରିଥା’ନ୍ତି। ପୁଣି ପାଇନ୍ କାଠ ବହୁ ବର୍ଷ ଧରି ରହିବା ସହ ପୋକ କିମ୍ବା ନଷ୍ଟ ହେବାର ଭୟ ନଥାଏ। ଏହା ପାଣିରେ ମଧ୍ୟ ଖରାପ ହୁଏନି ବୋଲି ସେ କହିଛନ୍ତି।
ଗାଡ଼ି ପାର୍କିଂ ପାଇଁ ସମସ୍ୟା
ଆଜି ରବିବାର ଥିବାରୁ ଶିଶିର ସରସ ମେଳାରେ ପ୍ରବଳ ଜନସମାଗମ ଦେଖାଦେଇଥିଲା। ହଜାର ହଜାର ସଂଖ୍ୟାର ଗାଡ଼ି ରଖିବା ପାଇଁ ପ୍ରଦର୍ଶନୀ ପଡ଼ିଆ ବାହାରେ ଥିବା ପାର୍କିଂ ସ୍ଥାନ ସହ ଏକାମ୍ର ହାଟର ପାର୍କିଂ ସ୍ଥାନ ମଧ୍ୟ ନିଅଣ୍ଟ ପଡ଼ିଥିଲା। ରାସ୍ତାଉପରେ ଅନେକ ଉଠାଦୋକାନୀ ଜାଗା ମାଡ଼ି ବସିଥିବାରୁ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଥିଲା। କିଛି ଲୋକ ପାର୍କିଂ ପାଇଁ ଜାଗା ନପାଇ ଘରକୁ ଫେରି ଯାଇଥିଲେ। ପ୍ରଦର୍ଶନୀ ପଡ଼ିଆରେ ଅନେକ ସ୍ଥାନ ଖାଲିଥିଲେ ମଧ୍ୟ ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ଗାଡ଼ି ପାର୍କିଂ ପାଇଁ ଅନୁମତି ଦିଆଯାଉନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।