‘ହେଲ୍ପମେଟ୍‌’ ପକ୍ଷରୁ ଦିବ୍ୟାଙ୍ଗ ଶିଶୁ ‌ମହୋତ୍ସବ

ଭୁବନେଶ୍ବର: ସ୍ବେଚ୍ଛସେବୀ ଅନୁଷ୍ଠାନ ହେଲ୍ପମେଟ୍‌ ପକ୍ଷରୁ ‘ଦିବ୍ୟାଙ୍ଗ ଶିଶୁ ‌ମହୋତ୍ସବ’ ଆଜି ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ପ୍ରଥମ ଅଧିବେଶନରେ ଦିବ୍ୟାଙ୍ଗ ଶିଶୁଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଚେତା ରାଉତ, କାନନବାଳା ପଟ୍ଟନାୟକ ଓ ଆରତି ମହାନ୍ତି ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହାପରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିବା ବେଳେ ବିଧାୟକ ଅନନ୍ତ ନାରାୟଣ ଜେନା ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଚଳଚ୍ଚିତ୍ର ଅଭିନେତା ଜିତେନ୍ଦ୍ର ବିଶ୍ବାଳ ଓ ‘ଆଶ୍ରୟ’ର ପ୍ରତିଷ୍ଠାତା ଲୋକନାଥ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୧୩୩ ଜଣ ଦୃଷ୍ଟିବାଧିତ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଇପ୍ୟାଡ୍‌ ଓ ପେନ୍‌ଡ୍ରାଇଭ୍‌ ଦ୍ବାରା ତାଙ୍କର ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରି ପ୍ରଦାନ କରାଯାଇଥିଲା। ଏହି ଅବସରରେ ନିରୋଜାଲକ୍ଷ୍ମୀ ମହାପାତ୍ର, ପ୍ରଫୁଲ୍ଲ ପଣ୍ଡା, ଯଜ୍ଞାଶିଷ ମହାପାତ୍ର, ଅରୁଣ ସାହୁ ଓ ସୁଶାନ୍ତ ପଟ୍ଟନାୟକଙ୍କୁ ‘ଆଦର୍ଶ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଅଞ୍ଜଳି ତ୍ରିପାଠୀ ଓ ସମ୍ପାଦିକା ନିବେଦିତା ଭଞ୍ଜ ଉପସ୍ଥିତ ଥିଲେ। ରାଜେଶ୍ବରୀ ପାଇକରାୟ ମଞ୍ଚ ସଂଯୋଜନା ଓ ସରୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର