ସବୁଠି ଶୁଭିଲା ଓଁ ନମଃ ଶିବାୟ

ଏକାମ୍ର କ୍ଷେତ୍ରରେ ମହାଶିବରାତ୍ରି

‘ଓଁ ନମଃ ଶିବାୟ’ ଉଚ୍ଚାରଣରେ କମ୍ପୁଥିଲା ଏକାମ୍ର କ୍ଷେତ୍ର। ମନ ଭଜୁଥିଲା ଶିବ ନାମ। ସଳିତା ଓ ଘିଅ ପୋଡ଼ାର ମହ ମହ ବାସ୍ନାରେ ମହକୁଥିଲା ଗଗନ ପବନ। କେଉଁଠି ଶିବ ପଞ୍ଚାକ୍ଷରୀର ଭାବାତ୍ମକ ଗୁଞ୍ଜରଣ ତ କେଉଁଠି ଗୀତିମାଳାରେ ମହାଦେବଙ୍କ ଆରାଧନା। ପବିତ୍ର ମହାଶିବରାତ୍ରିରେ ଶିବ ଭକ୍ତିରେ ତଲ୍ଲୀନ ହୋଇ ଯାଉଥିଲେ ଶ୍ରଦ୍ଧାଳୁ। ପଞ୍ଚେନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେହି ଉପବାସ ରହି ପ୍ରଭୁଙ୍କୁ ଜପୁଥିଲା ତ ଆଉ କେହି କେହି ପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଥିଲା। ଖରା ଯେତେ ବଢ଼ୁଥିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ବଢ଼ି ବଢ଼ି ଚାଲିଥିଲା। ଏକାମ୍ର କ୍ଷେତ୍ର ହୋଇ ଉଠିଥିଲା ଉତ୍ସବମୁଖର। ନିର୍ଧାରିତ ନୀତି ମୁତାବକ ମଙ୍ଗଳ ଆଳତି ଓ ଅବକାଶ ପରେ ଭୋର ୪ଟାରୁ ଆରମ୍ଭ ହୋଇଯାଇଥିଲା ଶ୍ରୀଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ। ତେଣୁ ବ୍ରାହ୍ମ ମୁହୂର୍ତରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଗତକାଲି ରାତି ୩ଟାରୁ ଲାଗିଥିଲା ଲମ୍ବା ଧାଡ଼ି। ଦିନତମାମ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ସମାଗମ। ମାତ୍ର ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁଁ ମହାଦୀପ ଦର୍ଶନର ମହାର୍ଘ୍ୟ ସୁଯୋଗ ଲଭିବା ପାଇଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତେ ସତୃଷ୍ଣ ନୟନରେ ଚାହିଁ ରହିଥିଲେ ମନ୍ଦିର ଚୂଡ଼ାକୁ। ଶେଷରେ ନିର୍ଧାରିତ ସମୟର ପ୍ରାୟ …… ସମୟ ବିଳମ୍ବରେ ହରିବୋଲ, ହୁଳହୁଳି ଓ ହରହର ମହାଦେବ ନିନାଦ ମଧ୍ୟରେ ରାତି ……..ଟାରେ ଉଠିଥିଲା ମହାଦୀପ।

ମହାପ୍ରଭୁଙ୍କୁ ଦର୍ଶନ କଲେ, ଦୀପ ଜାଳିଲେ

ଦୂରାଦୂରାନ୍ତରରୁ ଏକାମ୍ର କ୍ଷେତ୍ରକୁ ଛୁଟି ଆସିଥିଲେ ଭକ୍ତଗଣ। ପ୍ରଶାସନ ପକ୍ଷରୁ ନିର୍ମିତ ଜାଲି ବ୍ୟାରିକେଡ୍‌ ଦେଇ ମନ୍ଦିର ବେଢ଼ାକୁ ପ୍ରବେଶ ପାଇଁ ଧାଡ଼ି ଲଗାଇବା ଆରମ୍ଭ କରିଥିଲେ। ୪ଟାରେ ସାହାଣମେଲା ଦର୍ଶନ ପରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଧାଡ଼ିବାନ୍ଧି ଶ୍ରୀଜୀଉଙ୍କୁ ଗମ୍ଭୀରାରେ ଦର୍ଶନ କରିବାର ସୁଯୋଗ ନେଇଥିଲେ। ସକାଳ ୭ଟା ବେଳକୁ ଧାଡ଼ି କ୍ରମଶଃ ବଢ଼ିବାରେ ଲାଗିଥିଲା। ପୂର୍ବାହ୍ଣ ୧୧ଟାରେ ସାହାଣମେଲା ଦର୍ଶନ ବନ୍ଦ ହେବା ପରେ ମଧ୍ୟ ବେଢ଼ାକୁ ପ୍ରବେଶ ପାଇଁ ଧାଡ଼ି ଲାଗିଥିଲା। ପରେ ମହାପ୍ରଭୁଙ୍କ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ନୀତି ଅନୁଷ୍ଠିତ ହେଉଥିବାରୁ ଦର୍ଶନ ବନ୍ଦ ରହିଥିଲା। ବ୍ୟାରିକେଡ୍‌ ଉପରେ ବନ୍ଧା ଯାଇଥିବା ଧଳା କପଡ଼ା ପ୍ରଖର ଖରାରୁ କିଛିଟା ଉପଶମ ଦେଇଥିଲା। ମନ୍ଦିରରେ ପହୁଡ଼ ପଡ଼ିବାରୁ ମଧ୍ୟାହ୍ଣରେ ଗହଳି ସାମାନ୍ୟ କମିଥିଲା। ତେବେ ଅପରାହ୍‌ଣରେ ସାହାଣମେଲା ଦର୍ଶନ ଆରମ୍ଭ ହେବା ପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହଜାର ହଜାର ଭକ୍ତ ଧାଡ଼ିବାନ୍ଧି ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଅପରାହ୍‌ଣ ୪ଟାରେ ଛାଇ ଛାଇଆ ହେବାରୁ ଶ୍ରଦ୍ଧାଳୁ ରାସ୍ତା ଉପରେ ଦୀପ କିଣି ଆସ୍ଥାନ ଜମାଇବା ଆରମ୍ଭ କରିଦେଇଥିଲେ।

ମହାଦୀପ ଦର୍ଶନ ଲାଗି ମଧ୍ୟାହ୍ନରୁ ସ୍ଥାନ ସଂରକ୍ଷଣ

ମହାଦୀପ ଦର୍ଶନ ଲାଗି ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ତଥା ବାହାରୁ ବହୁ ଭକ୍ତ ଧାଇଁ ଆସିଥିଲେ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ। ଏହି ଅପୂର୍ବ ସୁଯୋଗକୁ ହାତ ଛଡ଼ା ନ କରିବା ପାଇଁ ଖରା ସତ୍ତ୍ୱେ ଦିନ ଦ୍ୱିପହରୁ ଶ୍ରଦ୍ଧାଳୁମାନେ ସ୍ଥାନ ସଂରକ୍ଷଣ ଆରମ୍ଭ କରିଦେଇଥିଲେ। ମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରି ନିକଟରେ ଦରି, ଗାମୁଛା, ପାଲ ପକାଇ ଚାତକ ନୟନରେ ଚାହିଁ ରହିଥିଲେ ଭକ୍ତମାନେ। ସେହିପରି ଲିଙ୍ଗରାଜ ହାଟ, ଲିଙ୍ଗରାଜ ମାର୍କେଟ୍‌, ବିଏମ୍‌ସି ଡାକ୍ତରଖାନା ଛାତ, ବଡ଼ ମଠ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଘରର ଛାତ ଉପରେ ଭକ୍ତମାନେ ଦୀପ ଜାଳି ମହାଦୀପ ଉଠିବାକୁ ଚାହିଁ ରହିଥିଲେ। ଶେଷରେ ରାତି …….ରେ ସମର୍ଥା ସେବାୟତଗଣ ମହାଦୀପ ନେଇ ମନ୍ଦିର ଉପରକୁ ଚଢ଼ିଥିଲେ।

ଦୁଦୁରା ୨ଟାକୁ ୧୦, ଅରଟ ମାଳ ୧୦
ବର୍ଷ ସାରା ଚାହିଦାରେ ନଥିବା ଦୁର୍ଦୁରା ଓ ଅରଟ ଫୁଲର ଆଜି ଭକ୍ତଙ୍କ ପ୍ରଥମ ଚାହିଦା ପାଲଟିଥିଲା। ମହାଦେବଙ୍କ ପ୍ରିୟ ହୋଇଥିବାରୁ ଏହୁ ଦୁଇ ଫୁଲ କିଣିବାକୁ ଭକ୍ତ କିଛି ବି ଦର ଦେବାକୁ ରାଜି ଥିଲେ। ସକାଳ ସମୟରେ ଦୁର୍ଦୁରା ଫୁଲ ଦୁଇଟାକୁ ୧୦ଟଙ୍କା ଓ ଅରଟ ମାଳ ୧୦ଟଙ୍କା ଥିବା ବେଳେ ସମୟ ବଢ଼ିବା ସହ ବେପାରୀମାନେ ମନ ଇଚ୍ଛା ଦର ଲଗାଇଥିଲେ। ପ୍ରତ୍ୟେକରେ ପ୍ରାୟ ୫ଟଙ୍କା ଲେଖାଏଁ ବଢ଼ାଇଥିବା ଦେଖିବାକୁ ମିଳିଥିଲା। ପୁଣି ମନ୍ଦିର ବାହାରେ ନଡ଼ିଆ ଗୋଟା ୨୦ ଟଙ୍କା ଥିବା ବେଳେ ମନ୍ଦିର ଭିତରେ ସେହି ନଡ଼ିଆ ପ୍ରାୟ ୩୦ ଟଙ୍କାରେ ବିକ୍ରି ହେଉଥିଲା।

ମାଳ ମାଳ ପାସ୍‌ଧାରୀ, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ରାତି ୩ଟାରୁ ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ବେଳେ ପାସ୍‌ ଦେଖାଇ କିଛି ଲୋକଙ୍କ ମନ୍ଦିର ପସନ୍ଦକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ହଜାର ହଜାର ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଧାଡ଼ି ବାନ୍ଧିଥିବା ବେଳେ ମାଳ ମାଳ ଭିଆଇପି ପାସ୍‌ କାହିଁକି ବଣ୍ଟା ଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଥିଲା। ମନ୍ଦିରର ଦକ୍ଷିଣ ଦ୍ଵାର ଓ ଉତ୍ତର ଦ୍ଵାରରେ ଏହି ପାସ୍‌ ଦେଖାଇ ଲୋକେ ଯାଉଥିିବା ଦେଖିବାକୁ ମିଳିଥିଲା। ପ୍ରାୟ ୩ ହଜାରରୁ ଊର୍ଧ୍ୱ ପାସ୍‌ଧାରୀ ମନ୍ଦିରରେ ପ୍ରବେଶ କରିଥିଲେ। ଏପରିକି କେତେଜଣ ଏହି ଭିଆଇପି ପାସ୍‌ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ବ୍ୟବସ୍ଥାକୁ ଭକ୍ତମାନେ ନାପସନ୍ଦ କରିବା ସହିତ ଏହି ପାସ୍‌ ବ୍ୟବସ୍ଥା ଉଠାଇଦେବାକୁ ଦାବି କରିଥିଲେ।

ଶୃଙ୍ଖଳା ରକ୍ଷା ପାଇଁ ୨୧ ପ୍ଲାଟୁନ୍‌ ପୁଲିସ
ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିସନରେଟ୍‌ ପୁଲିିସ ପକ୍ଷରୁ ପ୍ରାୟ ୨୧ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଏଥିସହିତ ସ୍ଥାନୀୟ ଲୋକ ପ୍ରତିନିଧି, ମନ୍ଦିର ଟ୍ରଷ୍ଟି, ସେବାୟତଙ୍କ ସହଯୋଗ ଏବଂ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ମନ୍ଦିର କାର୍ଯ୍ୟନିର୍ବାହୀ ଏବଂ ବିଭିନ୍ନ ବିଭାଗର ଅଧିକାରୀଗଣ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।

ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ବ୍ୟବସ୍ଥା

ଶ୍ରଦ୍ଧାଳୁମାନଙ୍କ ସେବା ପାଇଁ ଲିଙ୍ଗରାଜ ମନ୍ଦିର ପରିସର ଓ ବାହାରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପାନୀୟ , ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ବଜରଙ୍ଗ ଦଳ, ପ୍ରଦୀପ ସେବା ଟ୍ରଷ୍ଟ, ଶ୍ରୀ ଜଗନ୍ନାଥ ସେବା ସଂଘ ପକ୍ଷରୁ ଲୋକଙ୍କୁ ମାଗଣାରେ ଜଳ, ସରବତ, ଲେମ୍ବୁ ପାଣି, ଟଙ୍କ ତୋରାଣୀ ଆଦି ବଣ୍ଟନ କରାଯାଇଥିଲା। ମାରଓ୍ଵାଡି ଯୁବ ମୋର୍ଚା, କଟକ ପକ୍ଷରୁ ଲୋକଙ୍କୁ ଦହି ସରବତ ସହ କଦଳୀ, ସେଓ, କମଳା ଆଦି ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର