ବାହୁଡ଼ିଲେ ଦେବ ଦମ୍ପତି

ପୁରୁଣା ଭୁବନେଶ୍ୱର : ବିବାହ ନୀତି ସଂପନ୍ନ ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି ଦେବ ଦମ୍ପତି। ବିରାଟ ପଟୁଆର, ବାଣ ଓ ବାଜାର ଶୋଭାଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ନୀଳାଦ୍ରି ବିଜେ କରିଛନ୍ତି। ଏହି ଅବସରରେ ଆଜି ଦେବଦମ୍ପତିଙ୍କୁ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ରାସ୍ତା ସାରା ଝୋଟି ଚିତା ଅଙ୍କାଯିବା ସହିତ ସ୍ଥାନୀୟ ଅଞ୍ଚଳକୁ ରଂଗିନ ଆଲୋକମାଳାରେ ସଜାଇ ଦିଆଯାଇଥିଲା।

ନବ ଦମ୍ପତିଙ୍କ ଦର୍ଶନ ପାଇଁ ଭିଡ଼
ରବିବାର ମଧ୍ୟରାତି୍ରରେ ମହାପ୍ରଭୁଙ୍କ ବିବାହ ସମ୍ପନ୍ନପରେ ଆଜି ପୂର୍ବାହ୍ନରୁ ନବ ଦମ୍ପତିଙ୍କୁ ଦର୍ଶନ ପାଇଁ କେଦାର ଗୌରୀ ମନ୍ଦିରରେ ପ୍ରବଳ ଭିଡ଼ ଲାଗିଥିଲା। ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ଦେବଦେବୀଙ୍କ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ।

ବାଦ୍ୟରେ କମ୍ପିଲା ବଡ଼ ଦାଣ୍ଡ
ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଗୋଟିଏ ବିମାନରେ ଆସୁଥିବା ବେଳେ ଅନ୍ୟ ଏକ ପାଲିଙ୍କିରେ ଶ୍ରୀଅନନ୍ତବାସୁଦେବ ଆସିଥିଲେ। ଶୀତଳଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ଘଣ୍ଟ, ସମ୍ବଲପୁରୀ, ଦୁଲ୍‌ଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୁରି, ବନ୍ୟ ଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢୋଲ ମର୍ଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଖେଳରେ ବଡ଼ଦାଣ୍ଡ କମ୍ପି ଉଠିଥିଲା।

ଭୋରୁ କଉଡ଼ି ଖେଳ
ଦେବଦେବୀ ମନ୍ଦିରରେ ପ୍ରବେଶ ପରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ସେବାୟତମାନେ ନବଦମ୍ପତିଙ୍କୁ ମନ୍ଦିରକୁ ପାଛୋଟି ନେଇଥିଲେ।

ଭଜନ ମଣ୍ଡପରେ ନୃତ୍ୟ, ସଂଗୀତ
ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ବିଭିନ୍ନ ନୃତ୍ୟ ଦଳ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ କଳାହାଣ୍ଡି ଘୁମୁରା, ଗଞ୍ଜାମ ଯୋଡ଼ି ଶଙ୍ଖ, ମୟୂରଭଞ୍ଜ ଛଉ, ବଲାଙ୍ଗୀର ଦୁଲ୍‌ଦୁଲି, ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ ଓ ଶେଷରେ ଭଜନ ସମାରୋହ ଅନୁଷ୍ଠିତ ହାଇଥିଲା। ଏହାକୁ କମିଟିର ସଭାପତି ସୁରେଶ କୁମାର ରାଉତରାୟ, ସନତ ମିଶ୍ର, ପୃଥିବୀକାନ୍ତ ମହାପାତ୍ର ପରିଚାଳନା କରିଥିଲେ।

କେଦାର ଗୌରୀରେ ଭଜନ
ମହାପ୍ରଭୁଙ୍କ ଶୀତଳଷଷ୍ଠୀ ପାଇଁ କେଦାରଗୌରୀ ଡେଭଲ୍‌ପମେଣ୍ଟ କମିଟି ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଅଷ୍ଟପ୍ରହରୀ ନାମ ଯଜ୍ଞ ସହ ଆଜି କେଦାର ଗୌରୀ ମନ୍ଦିର ପରିସରରେ ୧୦ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

ମହାପ୍ରଭୁଙ୍କୁ ପାଛୋଟି ଆଣିଲେ ଭକ୍ତ
କେଦାର ଗୌରୀ ମନ୍ଦିରରୁ ରାତି ୧୦ଟା ୩୦ରେ ନବଦମ୍ପତି ବହାରିଥିଲେ। ଶାନ୍ତି ଶଙ୍ଖଳା ପାଇଁ ୬ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ଯାତ୍ରାରେ ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ସଭାପତି ସୁରେଶ କୁମାର ରାଉତରାୟ, ଉପସଭାପତି ତଥା ଅମିୟ ଦାଶ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ସନତ ମିଶ୍ର, ମାନସ ରଞ୍ଜନ ଚୌଧୁରୀ, ରଶ୍ମି ମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ସଭାପତି ମନୋଜ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ରମେଶ ମହାପାତ୍ର, ନବଘନ ସାହୁ, ପୃଥିବୀରାଜ ମହାପାତ୍ର, ବିଷ୍ଣୁ ପ୍ରସାଦ ମୁଦୁଲି, ଓ ବହୁ କର୍ପୋରେଟର୍‌ ସାମିଲ ହୋଇଥିଲେ।

ଭୀମଟାଙ୍ଗୀରେ ଶୀତଳଷଷ୍ଠୀ
ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଭୀମକୁଣ୍ଡଠାରେ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କନ୍ୟା ପିତା ଭାବେ ନାରାୟଣ ମହାପାତ୍ର, ବର ପତା ଭାବେ ନିରଞ୍ଜନ ଦାଶ ଦାୟିତ୍ଵ ତୁଲାଇଥିଲେ। ସମିତିର ସଭାପତି ପୁରୁଷୋତ୍ତମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସଂପାଦକ ପଦ୍ମନାଭ ଷଡ଼ଙ୍ଗୀ ଓ ବହୁ ମାନ୍ୟଗଣ ବ୍ୟକ୍ତି ଭାଗ ନେଇଥିଲେ।

ବ୍ରହ୍ମେଶ୍ୱରରେ ଶିବ ବିବାହ
ବ୍ରହ୍ମେଶ୍ୱର ମନ୍ଦିରରେ ଚଳିତ ବର୍ଷ କନ୍ୟା ପିତା ଭାବେ ବିଚିତ୍ର କୁମାର ରାଉତ, ବର ପତା ଭାବେ ଶରତ କୁମାର ଧୀର ଦାୟିତ୍ଵ ତୁଲାଇଥିଲେ। ବ୍ରହ୍ମେଶ୍ୱର ଦେବ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ମଳୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମେଘେଶ୍ୱରରେ ଦେବ ଦମ୍ପତିଙ୍କ ବିବାହ
ଟଙ୍କପାଣି ରୋଡ୍‌ସ୍ଥିତ ମେଘେଶ୍ୱର ମନ୍ଦିରରେ ଚଳିତ ବର୍ଷ କନ୍ୟା ପିତା ଭାବେ ସୁରେଶ ଚନ୍ଦ୍ର ପାଢ଼ୀ, ବର ପତା ଭାବେ ବାବାଜି ସାହୁ ଦାୟିତ୍ଵ ତୁଲାଇଥିଲେ। କମିଟିର ସଭାପତି ଅଶୋକ ସିଂ, ସଂଗ୍ରାମ ନାୟକ, ନିହାର ପ୍ରହରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନୀଳକଣ୍ଠେଶ୍ୱରଙ୍କ ମନ୍ଦିରରେ ଶୀତଳଷଷ୍ଠୀ
ବଡ଼ଗଡ଼ ଗ୍ରାମରେ ନୀଳକଣ୍ଠେଶ୍ୱରଙ୍କ ବିବାହ ଉତ୍ସବରେ କନ୍ୟା ପିତା ଭାବେ ଅଭୟ ଚରଣ ଅନୁ ସିଂ, ବରପିତା ଭାବେ ଅଶୋକ କୁମାର ମହାନ୍ତି ଦାୟିତ୍ଵ ତୁଲାଇଥିଲେ। ବଡ଼ଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ପ୍ରତାପ ଜେନା, ସମ୍ପାଦକ ଅଶୋକ କୁମାର ପାତ୍ର ଓ ମୁରବିମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର