ନନ୍ଦନକାନନକୁ ଗୋଆଲିୟରୁ ଆସୁଛନ୍ତି ୬ ହଳ ଶାଗୁଣା

ବାରଙ୍ଗ : ଗୋଆଲିୟର ଚିଡ଼ିଆଖାନାରୁ ନନ୍ଦନକାନନକୁ ଚଳିତ ନଭେମ୍ବର ମାସରେ ଛଅ ହଳ ଶାଗୁଣା ଆସିବେ ବୋଲି ସୂଚନା ମିଳିଛି। ଏନେଇ ନନ୍ଦନକାନନ କର୍ତୃପକ୍ଷଙ୍କ ତରଫରୁ ପ୍ରସ୍ତୁତି ଚାଲିଛି। ୧୯୯୯ ମହାବାତ୍ୟାରେ ରାଜ୍ୟରୁ ଏହି ପକ୍ଷୀଙ୍କ ବଂଶ ଲୋପ ପାଇଯାଇଥିଲା। ତେବେ ସେମାନଙ୍କ ବଂଶ ବୃଦ୍ଧି ଲାଗି ୨୦୦୬ ମସିହାରେ ତତ୍କାଳୀନ ନନ୍ଦନକାନନର ଉପନିର୍ଦ୍ଦେଶକ ଅଜିତ୍ ପଟ୍ଟନାୟକଙ୍କ ସମୟରେ ଯୋଜନା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ନନ୍ଦନକାନନର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ ସଂପର୍କରେ ଘୋଷଣା ମଧ୍ୟ କରିଥିଲେ। ଯୋଜନା ମୁତାବକ୍‌ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରରେ ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସ୍ଥିର କରାଯାଇଥିଲା। ମାତ୍ର କାର୍ଯ୍ୟ ଆରମ୍ଭ ହେବାକୁ ୪ ବର୍ଷ ଲାଗି ଯାଇଥିଲା। ଗତ ୨୦୧୦ ମସିହାରେ ରାଜ୍ୟ ଉଦ୍ଭିଦ ଉଦ୍ୟାନର ପଛ ପାଖ ପାଚେରିକୁ ଲାଗି ପ୍ରଜନନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୨ରେ କାମ ସରିଥିଲା। କିନ୍ତୁ ଠିକ୍‌ ସମୟ ବେଳକୁ ଶାଗୁଣା ଯୋଗାଡ଼ ହୋଇପାରି ନଥିଲା। ପଞ୍ଜାବରୁ ଶାଗୁଣା ଆଣିବାକୁ ଯୋଗାଯୋଗ କରି ବିଫଳ ହୋଇଥିଲେ ନନ୍ଦନକାନନ କର୍ତୃପକ୍ଷ। ତେବେ ବର୍ତ୍ତମାନ ଗୋଆଲିୟରରୁ ଶାଗୁଣା ଆଣିବା ପାଇଁ ଯୋଜନା ସରିଛି। ପୁରୁଣା ପ୍ରଜନନ କେନ୍ଦ୍ରଟିକୁ ସଜଡ଼ା ଯାଉଛି। ତେବେ ଏଥିରେ ପ୍ରାୟ ୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ଜଣାପଡ଼ିଛି। ପ୍ରାୟ ଏକ ହଜାର ବର୍ଗ ମିଟର ପରିମିତ ଜାଗାରେ ଏହାକୁ ନିର୍ମାଣ କରାଯାଇଛି। ସେହିପରି ୩୦ ଫୁଟ୍ ଉଚ୍ଚର ଏହି ପ୍ରଜନନ କେନ୍ଦ୍ର ଉପରକୁ ତାର ଜାଲିରେ ଆବଦ୍ଧ କରାଯାଇଛି। ଶାଗୁଣାମାନଙ୍କର ପ୍ରଜନନ ଲାଗି ଗୋଟିଏ କଲୋନି ଓ ଦୁଇଟି ଅବ୍‌ଜରଭେସନ୍‌ ଖୁଆଡ଼, ପରୀକ୍ଷାଗାର, ଜନ୍ତୁ ରକ୍ଷକ ଗୃହ ନିର୍ମିତ ହୋଇଛି। ଭିତରେ ଶାଗୁଣାମାନେ ବସିବା ପାଇଁ ଡାଳ ସଦୃଶ ନିର୍ମିତ ହୋଇଛି। ପାଣି କୁଣ୍ଡ ସାଙ୍ଗକୁ ଶାଗୁଣାମାନଙ୍କୁ ମାଂସ ଦେବା ଲାଗି ସ୍ୱୟଂଚାଳିତ ଟ୍ରେ’ର ବ୍ୟବସ୍ଥା ହୋଇଛି। ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏହି ଶାଗୁଣାମାନଙ୍କର ଆସିବାକୁ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର