ସ୍ମାର୍ଟ ସିଟି ଭୁବନେଶ୍ୱରକୁ ବୈଷୟିକ ସହାୟତା ଯୋଗାଇବ କୁପରଟିନୋ

ଦୁଇ ସହର ମଧ୍ୟରେ ହେବ ଛାତ୍ର ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ବୈଷୟିକ ଜ୍ଞାନକୌଶଳର ସହର ହେବାକୁ ଯାଉଥିବାବେଳେ ଏଥିରେ ଆମେରିକାର କୁପରଟିନୋ ସହର ସହଯୋଗ କରିବ। ବୈଷୟିକ କ୍ଷେତ୍ରରେ ଭୁବନେଶ୍ୱରରେ ବ୍ୟାପକ ସୁଯୋଗ ଥିବାରୁ ଏଠାରେ କୁପରଟିନୋର ବ୍ୟବସାୟୀମାନେ ପୁଞ୍ଜିନିବେଶ କରିବାକୁ ପ୍ରବର୍ତ୍ତାଇବେ ବୋଲି କୁପରଟିନୋର ମେୟର ସବିତା ବୈଦ୍ୟନାଥନ କହିଛନ୍ତି।
କୁପରଟିନୋ ମେୟରଙ୍କ ଓଡ଼ିଶା ଗସ୍ତରେ ଆଜି ଦୁଇ ସହରର ମେୟରଙ୍କ ଉପସ୍ଥିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। କୁପରଟିନୋ ଭୁବନେଶ୍ୱରକୁ ସିଷ୍ଟର ସିଟିର ମାନ୍ୟତା ଦେଇଥିବାରୁ ଭୁବନେଶ୍ୱରର ବିକାଶରେ ସହଯୋଗର ହାତ ବଢ଼ାଇବ ବୋଲି ଶ୍ରୀମତୀ ବୈଦ୍ୟନାଥନ କହିଛନ୍ତି।

ଏହି ଆଲୋଚନାରେ ବିଏମ୍‌ସି କମିସନର କ୍ରିଷନ କୁମାର ସ୍ମାର୍ଟ ସିଟି ଭୁବନେଶ୍ୱରରେ ଥିବା ଭିତ୍ତିଭୂମି ବିଷୟରେ କହିବା ସହ ପୁଞ୍ଜିନିବେଶ କଲେ କିପରି ସୁବିଧା ସୁଯୋଗ ମିଳିବ କହିଥିଲେ। ଭୁବନେଶ୍ୱରର ଆଇଟି ହବ୍‌ ଇନ୍‌ଫୋଭ୍ୟାଲିରେ ବୈଷୟିକ ଜ୍ଞାନ କୌଶଳ ପାଇଁ କୁପରଟିନୋର ସୁଯୋଗ ବିଷୟରେ କହିଥିଲେ। ସ୍ମାର୍ଟ ସିଟି ଭୁବନେଶ୍ୱର ଯୋଜନାରେ ଭୁବନେଶ୍ୱରକୁ ଆଇଟି ସହରରେ ପରିଣତ କରିବାକୁ ହୋଇଥିବା ଯୋଜନାକୁ କୁପରଟିନୋ ମେୟର ପ୍ରଶଂସା କରିଥିଲେ। ସାଇକେଲ୍‌ ଚାଳନା, ଜଳବାୟୁ ପରିବର୍ତନ ନିୟନ୍ତ୍ରଣ ପାଇଁ ଅଙ୍ଗାରକାମ୍ଳ ନିର୍ଗତ ବିହୀନ ଜାଳେଣିର ବ୍ୟବହାର, ଅକ୍ଷୟ ଉର୍ଜାଶକ୍ତିର ବ୍ୟବହାର ନେଇ କୁପର୍‌ଟିନୋ ସହରରେ ହୋଇଥିବା ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସେହିପରି ଭୁବନେଶ୍ୱର ସ୍ମାର୍ଟ ସିଟିର ସ୍ମାର୍ଟ ସଲ୍ୟୁସନ୍‌, ଟ୍ରାନ୍‌ଜିଟ୍‌ ଓରିଏଣ୍ଟେଡ୍‌ ଡେଭଲପ୍‌ମେଣ୍ଟ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସଂକ୍ରାନ୍ତରେ କୁପର୍‌ଟିନୋ ମେୟରଙ୍କୁ ସୂଚିତ କରାଯାଇଥିଲା। ଏ ଦିଗରେ କୁପରଟିନୋ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଥିଲେ।

ଏହାସହ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜିର ବିକାଶ ପାଇଁ କୁପରଟିନୋ ସହଯୋଗ କରିବ। ଭୁବନେଶ୍ୱର ଓ କୁପର୍‌ଟିନୋର ଦ୍ୱି-ପାକ୍ଷିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ଏକ ଅଭିନବ ପଦକ୍ଷେପ ସ୍ୱରୂପ ଆମେରିକାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ବିଭିନ୍ନ ପରିବାରବର୍ଗଙ୍କ ସହ କିଛି ଦିନ ରହି ଓଡ଼ିଆ ସଂସ୍କୃତି ସହ ପରିଚିତ କରିବା ସହ ଆତିଥ୍ୟ ଦିଆଯିବ। ସେହିପରି ଓଡ଼ିଶାର ଛାତ୍ର ପ୍ରତିନିଧି କୁପର୍‌ଟିନୋର ବିଭିନ୍ନ ଆମେରିକୀୟ ପରିବାରରେ ରହି ସେଠାକାର ପରିବେଶ ଏବଂ ବନ୍ଧୁତ୍ୱର ଅନୁଭବ ନେଇପାରିବେ ସେଥିପାଇଁ ଦୁଇ ମେୟରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି।

ଆଜିର ଏହି ଆଲୋଚନାରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଡେପୁଟି ମେୟର କେ.ଶାନ୍ତି ଏବଂ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ସିଷ୍ଟର୍‌ ସିଟି ପରିକଳ୍ପନା କରିଥିବା କୁପର୍‌ଟିନୋରେ ବସବାସ କରୁଥିବା ଓଡ଼ିଆ ନାଗରିକ ମହେଶ ପକାଲା ଏବଂ ତାଙ୍କ ପତ୍ନୀ ରିନା ରାଓ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କୁପର୍‌ଟିନୋ ମେୟରଙ୍କୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଏକ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା

ସମ୍ବନ୍ଧିତ ଖବର