ବିଗାଡ଼ିଦେଲେ ସୌନ୍ଦର୍ଯ୍ୟ, ବାହାବା ନେଲେ ଯତ୍ନ ନେଲେନି

ଗଛଲତାରେ ଗୁଡ଼େଇ ହୋଇ ଅଣନିଶ୍ବାସୀ ହୋଇଗଲାଣି ମତ୍ସ୍ୟକନ୍ୟା। ନିଉଟନଙ୍କ ମୁଣ୍ଡକାଟ୍‌ ପରେ ଉଭାନ ହୋଇଯାଇଛି ସେଉ ଓ ମାଧ୍ୟାକର୍ଷଣ ଶକ୍ତି ଉପାଖ୍ୟାନ। ମୁହଁ ମାଡ଼ି ତଳେ ପଡ଼ିଯିବା ପରେ ଆଦିବାସୀ ମହିଳାଙ୍କୁ ଉଠାଇବାକୁ ବି କାହାର ଦରଦ ନିଗିଡ଼ି ପଡ଼ିନି। ଅଧଭଙ୍ଗା ଡିଭାଇଡର ମଝିରେ ଛିଡ଼ା ହୋଇଥିବା ରାଶିମାନେ ନିଜେ ନିଜକୁ ଚିହ୍ନିପାରୁନାହାନ୍ତି। ଏ ସମସ୍ତ ଚିତ୍ର ଆମ ରାଜଧାନୀର। ଦିନେ ଯେଉଁମାନେ ସୌନ୍ଦର୍ଯ୍ୟର ମୁକସାକ୍ଷୀ ସାଜିଥିଲେ ଆଜି ସେମାନେ ସାତପର। ବିଏମ୍‌ସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଘରୋଇ ସଂସ୍ଥାର ସହଯୋଗରେ ସ୍ଥାପତ୍ୟ ଶୋଭା ପାଇଲା। ବାବୁମାନେ ସାବାସୀ ନେଲେ। ହେଲେ ଏସବୁର ତଦାରଖ କେମିତି ହେବ ସେ ବିଷୟରେ ଚିନ୍ତା କଲେନାହିଁ। ସହରର ସୌନ୍ଦର୍ଯ୍ୟ ପ୍ରତି ଆମ ପ୍ରଶାସନ କେତେ ଯତ୍ନବାନ ତାହା ଏଥିରୁ ବୁଝା ପଡ଼ୁଛି। ସ୍ଥାପତ୍ୟର ଏ ଋଗ୍‌ଣ ଚିତ୍ର ଯେ ପ୍ରଶାସନିକ ଦୁସ୍ଥ ମାନସିକତାକୁ ପଦାରେ ପକାଇଛି ତାହା ବି ଜଳଜଳ ବାରି ହୋଇପଡ଼ୁଛି।
ରିପୋର୍ଟ: ସତ୍ୟ, ଫଟୋ: ବିଭୂତି

ମୁଣ୍ଡବିହୀନ ନିଉଟନ୍‌, ସେଓ ଗାୟବ
ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫିଜିକ୍ସ ନିକଟରେ ଗୋଡ଼ ଉପରେ ଗୋଡ଼ ଭାଙ୍ଗି ବସିଥିବା ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କର ମୁଣ୍ଡ ବିହୀନ ଶରୀର ବସିରହିଛି। ସେଇ ସ୍ଥାନରେ ଝୁଲନ୍ତା ସେଓ ବି ଆଉ ଦେଖିବାକୁ ମିଳୁନାହିଁ। ସେଓ ଗାୟବ ହୋଇଯାଇଛି। ସ୍ଥିତି ଏମିତି ଯେ ନିଉଟନ୍‌ଙ୍କ ଅଧ ଖଣ୍ଡିଆ ଗୋଡ଼ ଉପରେ ଜଣେ ବ୍ୟକ୍ତି ଗୋଡ଼ ଥୋଇ ପେପର ପଢ଼ୁଥିବା ଦେଖିବାକୁ ମିଳିଥିଲା। ୨୦୧୩ ଜାନୁଆରିରେ ନିଉଟନ୍‌ ବସି ସେଓର ପଡ଼ିବା ପ୍ରକ୍ରିୟାକୁ ଲକ୍ଷ୍ୟ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଏହାର ୫ ମାସ ପରେ କିଏ ମୁଣ୍ଡ କାଟି ଉଡ଼ାଇଦେଲା। ତେବେ ସେଓ ରହିଥିଲା। ଏବେ ସେତକ ବି ନାହିଁ। ଖାଲି ସେତିକି ନୁହେଁ, ପାତ୍ରରୁ ଝରଣା ସଦୃଶ ନିଗିଡ଼ି ଆସୁଥିବା ପାଣିର ସ୍ଥାପତ୍ୟ ଯେମିତି ମୁକ୍ତି ଦିଅ ବୋଲି ଡାକ ଛାଡ଼ୁଛି। ଡିଭାଇଡର ମଝିରେ ଗଢ଼ା ହୋଇଥିବା ରାଶିମାନେ ବି ଆଉ ନିଜ କର୍ତୃତ୍ବରେ ନାହାନ୍ତି। ତାଙ୍କ ଉପରେ ଗଛମାନେ ସବାର ହୋଇଛନ୍ତି। ଆଖପାଖ ଏବେ ଗୋଚର ଭୂଇଁ ପାଲଟିଛି।

ମୁହଁ ମାଡ଼ି ପଡ଼ିଛନ୍ତି ଆଦିବାସୀ ମହିଳା
ଆଦିବାସୀ ବହୁଳ ରାଜ୍ୟର ପ୍ରତୀକ ସ୍ବରୂପ ଜୟଦେବ ବିହାରରେ ସ୍ବାଗତ କରୁଥିଲେ ଜନଜାତି ବ୍ୟକ୍ତିଙ୍କ ସ୍ଥାପତ୍ୟ। ମାତ୍ର ବାତ୍ୟା ସେମାନଙ୍କୁ ଏମିତି ଧକ୍କା ଦେଇଛି ଯେ ସେମାନେ ଆଉ ଉଠିବା ଅବସ୍ଥାରେ ନାହାନ୍ତି। କାହାର ହାତ ଭାଙ୍ଗି ଯାଇଛି ତ କିଏ ମୁହଁ ମାଡ଼ି ତଳେ ପଡ଼ିଛି। ଆଉ କାହା ଉପରେ ବାତ୍ୟା ଦିନଠୁ ଗଛ ସବାର ହୋଇ ରହିଛି। ପରିସରରେ ଅନାବନା ଗଛ ସୌନ୍ଦର୍ଯ୍ୟକରଣକୁ ଧୂଳିସାତ କରିଦେଇଛି। ଏଭଳି ସ୍ଥିତି ସତ୍ତ୍ବେ ଏହାକୁ ସଜାଡ଼ିବା ପାଇଁ ଏଯାଏଁ ଆନ୍ତରିକତା ପ୍ରକାଶ ପାଉନାହିଁ। ୨୦୧୫ ମସିହା ବେଳକୁ ଜନଜାତିଙ୍କ ବିଭିନ୍ନ ଭଙ୍ଗୀର ସ୍ଥାପତ୍ୟ ଜୟଦେବ ବିହାରର ଶୋଭାକୁ ଦ୍ବିଗୁଣିତ କରିଥିଲା। ମାତ୍ର ଏବେ ସବୁକିଛି ଖିନ୍‌ଭିନ୍‌ ହୋଇ ପଡ଼ିଥିଲେ ହେଁ ଏହାକୁ ସଜାଡ଼ିବାକୁ ବିଏମ୍‌ସିର ସମୟ ନାହିଁ।

କହିପାରୁନି ବୋଲି..
୬ ବର୍ଷ ତଳେ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ୍‌ ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ବ ପାଲଟିଥିଲା ଅଘୋଷିତ ପର୍ଯ୍ୟଟନ କ୍ଷେତ୍ର। ମତ୍ସ୍ୟ କନ୍ୟାର ସ୍ଥାପତ୍ୟ ଥିଲା ସବୁଠୁ ଆକର୍ଷଣୀୟ। ହସ ହସ ମୁହଁରେ ସୁନ୍ଦରୀ ମତ୍ସ୍ୟ କନ୍ୟା ସେଇ ବାଟ ଦେଇ ଯାଉଥିବା ନୂଆ ପଥଚାରୀଙ୍କୁ କ୍ଷଣେ ଅଟକି ଯିବାକୁ ବାଧ୍ୟ କରୁଥିଲା। ହେଲେ ଏହାକୁ ଗଢ଼ି ଦେବା ପରେ ପ୍ରାରମ୍ଭରୁ ଯେତିକି ଯତ୍ନ ନିଆଯାଉଥିଲା ପରବର୍ତୀ ସମୟରେ ତାହା କରାଗଲା ନାହିଁ। ୨୦୧୪‌ ମସିହାରେ ମତ୍ସ୍ୟକନ୍ୟାକୁ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ଘାସରେ ସ୍ଥାପତ୍ୟର କାରିଗରୀ ସୃଷ୍ଟି ହୋଇଥିଲା। ମାତ୍ର କାଳକ୍ରମେ ଏହାର ଯତ୍ନ ନିଆନଯିବାରୁ ଏହି ଘାସ ବଡ଼ ହୋଇ ଏହା କଦାକାର ଦେଖାଗଲା। ତେଣୁ ୨୦୧୫ରେ ଘାସ ଜାଗାରେ ସିମେଣ୍ଟ୍‌ର ଆସ୍ତରଣ ବୋଳାଗଲା। ହେଲେ ଆଜିର ଦିନରେ ଏହାର ସ୍ଥିତି ଆହୁରି ଦୟନୀୟ। ମତ୍ସ୍ୟକନ୍ୟା ଉପରେ ଗଛଲତା ଚରିଗଲେଣି। ଦେହ ସାରା ଫାଟିଗଲାଣି। ମତ୍ସ୍ୟ କନ୍ୟା ହସୁଛି ସିନା, ହେଲେ ଆଉ ସେ କାହାକୁ ଅଟକାଇବାକୁ ସକ୍ଷମ ହେଉନାହିଁ। ଯେମିତି ସେ ଗୋଟେ ଅଘୋଷିତ ଡମ୍ପିଂ ପାଲଟିଯାଇଛି।

ସମ୍ବନ୍ଧିତ ଖବର