ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ପାଇଛନ୍ତି ୩୯୨କୋଟି, ଖର୍ଚ୍ଚ କରିଛନ୍ତି ୭୯କୋଟି

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ୪୫୩୭କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ଭୁବନେଶ୍ୱରକୁ ସ୍ମାର୍ଟ ସହରରେ ପରିଣତ କରିବା ପାଇଁ ୨୯ଟି ପ୍ରମୁଖ ପ୍ରକଳ୍ପ ହେବାକୁ ଥିବାବେଳେ ୨୧ଟି ପ୍ରକଳ୍ପର ଟେଣ୍ଡର ସରିଲାଣି। କେତୋଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦୁଇ ତିନିଟି ପ୍ରକଳ୍ପ ଶେଷ ହୋଇଛି। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ୭୮.୮୫କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ମାର୍ଟ ସିଟି ଯୋଜନାରେ ଭାଗିଦାର ହେବାକୁ ଥିବାବେଳେ ସମାନ ଭାଗ ଦେଇ ହଜାରେ କୋଟି ଦେବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଗତ ଆର୍ଥିକ ବର୍ଷରେ ନା କେନ୍ଦ୍ର ନା ରାଜ୍ୟ ସରକାର କେହି ଟଙ୍କାଟେ ବି ଦେଇନାହାନ୍ତି। ୨୦୧୫-୧୬ ଓ ୨୦୧୬-୧୭ ଦୁଇ ଆର୍ଥିକ ବର୍ଷରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡକୁ ୩୯୨କୋଟି ଟଙ୍କା ମିଳିଛି। ଏଥିରେ କେନ୍ଦ୍ର ସରକାର ୧୯୬କୋଟି ଦେଇଥିବାବେଳେ ରାଜ୍ୟ ସରକାର ବି ୧୯୬କୋଟି ଦେଇଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏଥିରୁ ମାତ୍ର ୭୮.୮୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏଥିରେ ସୋସିଆଲି ସ୍ମାର୍ଟ ଭୁବନେଶ୍ୱର ପାଇଁ ୦.୩୨କୋଟି, ଲେକ୍‌ ନିଉଟ୍ରାଲ ଓ ସୌର ପ୍ରକଳ୍ପ ପାଇଁ ୦.୦୨କୋଟି, ସୋସିଆଲି ଇକ୍ୟୁଟି ସେଣ୍ଟର (ନିର୍ମାଣ ଶ୍ରମିକଙ୍କ ପାଇଁ ଭଡ଼ା ଘର) ପାଇଁ ୪.୩୦କୋଟି, ସମନ୍ଵିତ ଜନସେବା କେନ୍ଦ୍ର ପାଇଁ ୦.୫୮କୋଟି, ଆବର୍ଜନା ପୁନଃପ୍ରକ୍ରିୟାକରଣରେ ୨୫କୋଟି, ସ୍ମାର୍ଟ ସଲ୍ୟୁସନ୍‌ରେ ୨୩.୩୦କୋଟି, ଅର୍ବାନ୍‌ ନଲେଜ୍‌ ସେଣ୍ଟର ପାଇଁ ୫.୫୦କୋଟି, ଟ୍ରାଫିକ ପରିଚାଳନା ପ୍ରକଳ୍ପରେ ୬.୬୭କୋଟି, ସ୍ମାର୍ଟ ପାର୍କରେ ୧.୭୪କୋଟି, ଭୁବନେଶ୍ୱର ଓ୍ଵାନ୍‌ରେ ୩କୋଟି, ସ୍ମାର୍ଟ ଜନପଥ ଓ ଭୂତଳ କେବୁଲ୍‌ ବ୍ୟବସ୍ଥାରେ ୭.୮୪କୋଟି, ରାଜମହଲ ବହୁତଳ କାର୍‌ ପାର୍କିଂରେ ୦.୩୫କୋଟି, ସହିଦନଗର ଭୂତଳ କାର୍‌ ପାର୍କିଂରେ ୦.୨୩କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଜୁଲାଇ ୩୧ତାରିଖ ସୁଦ୍ଧା ଏତିକି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର