ରାଜ୍ୟ ସରକାର ଓ ଜିଆଇଜେଡ୍‌ ମଧ୍ୟରେ ଚୁକ୍ତି

ସ୍ମାର୍ଟ ସିଟିର ଗମନାଗମନ ବ୍ୟବସ୍ଥା ପାଇଁ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ, ଅନ୍ତର୍ଜାତୀୟ ମାନର ଡିଜାଇନ୍‌ ପ୍ରସ୍ତୁତ ଓ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବାରେ ଜର୍ମାନ ସହଯୋଗ କରିବ। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେବ। ଆଜି ଏନେଇ ରାଜ୍ୟ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏଥିରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶାସନ ସଚିବ ପ୍ରେମ୍‌ କୁମାର ଝା, ବିଡିଏ ଉପାଧ୍ୟକ୍ଷ କ୍ରିଷନ୍‌ କୁମାର ଏବଂ ଜିଆଇଜେଡ୍‌ ସ୍ମାର୍ଟ-ଏସ୍‌ୟୁଟିର ପ୍ରକଳ୍ପ ମ୍ୟାନେଜର ସାର୍‌ହା ହାବର୍ସେକ୍‌ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଫେଡେରାଲ ରିପବ୍ଲିକ୍‌ ଅଫ୍‌ ଜର୍ମାନି ସରକାରଙ୍କ ତରଫରୁ ଜିଆଇଜେଡ୍‌ ଦେଶର ତିନିଟି ସ୍ମାର୍ଟ ସିଟି ଭୁବନେଶ୍ୱର, କୋଏମ୍ବାଟୁର ଏବଂ କୋଚିକୁ ସହାୟତାର ବଢ଼ାଇଥିବା ବେଳେ ଏହି ବାବଦକୁ ୪ ନିୟୁତ ୟୁରୋ ବା ୩୧ କୋଟି ୪୩ ଲକ୍ଷ ୬୪ ହଜାର ୨୩୪ ଟଙ୍କା ଅନୁଦାନ ଦେବେ। ଏଥିରୁ ଭୁବନେଶ୍ୱର ଭାଗରେ ପ୍ରାୟ ୧୦କୋଟି ଟଙ୍କା ପଡ଼ିବ। ଏହି ଯୋଜନାର ଲକ୍ଷ୍ୟ ହେଉଛି ସ୍ମାର୍ଟ ସିଟି ପକ୍ଷରୁ ଗମନାଗମନ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାର ଉନ୍ନତି କରିବା, ଦୀର୍ଘସ୍ଥାୟୀ ସମନ୍ଵିତ ନଗର ପରିବହନ ପଦ୍ଧତି ଓ ସମସ୍ୟାର ସମାଧାନ କରିବା। ଏହା ଜନସାଧାରଣଙ୍କ ଦୀର୍ଘସ୍ଥାୟୀ ଚଳପ୍ରଚଳ ବ୍ୟବସ୍ଥାର ସମାଧାନ କରିବ। ଏହି ପ୍ରକଳ୍ପର ପ୍ରଥମ କାର୍ଯ୍ୟ ଭାବେ ‘ଲୋ-କାର୍ବନ ମୋବିଲିଟି ପ୍ଲାନ୍‌’ ପ୍ରସ୍ତୁତ କରାଯିବ। ଏହା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ବୋଲି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର କହିଛନ୍ତି।
ଆଜିର ଏମ୍‌ଓୟୁ ସ୍ୱାକ୍ଷର ସମୟରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେଡେରାଲ ରିପବ୍ଲିକ୍‌ ଅଫ୍‌ ଜର୍ମାନିର ଡେଫୁଟି କନସୁଲ୍‌ ଜେନେରାଲ ଜୁର୍ଗେନ୍‌ ଥୋମାସ୍‌ ସ୍ରୋତ୍‌, ଜିଆଇଜେଡ୍‌ ଇଣ୍ଡିଆ ମୁଖ୍ୟ ତାଞ୍ଜା ଫେଲ୍‌ଡମ୍ୟାନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର