ସ୍ମାର୍ଟ ସିଟି ଯୋଜନାକୁ ୪ବର୍ଷ ପୂରିଲା, ୧୧ ପ୍ରକଳ୍ପ ସରିଛି, ଅଧାରେ ୬

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରିତାକୁ ଆଜି ୪ବର୍ଷ ପୂରିଛି। ଏହି ୪ବର୍ଷରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଯେମିତି ଆଗେଇ କଥା ସେମିତି ଆଗେଇ ପାରିନାହାନ୍ତି। ପ୍ରଥମ ୫ବର୍ଷରେ ସମସ୍ତ ପ୍ରକଳ୍ପ ଶେଷ କରିବାକୁ ଯୋଜନା ଥିଲେ ହେଁ ୪ବର୍ଷ ପରେ ବି ବହୁ ଯୋଜନା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ଅପରପକ୍ଷେ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଦେଶର ଏକ ନମ୍ବର ସହର ହୋଇଥିବା ଭୁବନେଶ୍ବର କେବେ ସ୍ମାର୍ଟ ସିଟି ହେବ ତାହା ଦେଖିବାକୁ ରାଜଧାନୀବାସୀଙ୍କ ଅପେକ୍ଷା।

ଭୁବନେଶ୍ବରକୁ ସ୍ମାର୍ଟ ସିଟି ଭାବେ ଗଢ଼ି ତୋଳିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) ନାମକ ସ୍ପେଶାଲ ପରପୋଜ୍ ଭେଇକିଲ୍ (ଏସ୍‌ପିଭି) ଗଠନ ହୋଇଛି। ଏହି ଏସ୍‌ପିଭି ମାଧ୍ୟମରେ ସମସ୍ତ ପ୍ରକଳ୍ପର କାର୍ଯ୍ୟ ହେଉଛି। ଶିଶୁ ଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ନେଇ ଭୁବନେଶ୍ବର ଟାଉନ୍ ଡିଷ୍ଟ୍ରିକ୍ଟ ସେଣ୍ଟର ଅଞ୍ଚଳ ଗଠନ ହୋଇଛି। ଏହି ଅଞ୍ଚଳ ପାଇଁ ବିଭିନ୍ନ ପ୍ରକଳ୍ପ ହେଉଥିବାବେଳେ ପୂରା ଭୁବନେଶ୍ବର ପାଇଁ ବି ଅନେକ ପ୍ରକଳ୍ପ ହେଉଛି। ହେଲେ ୪ବର୍ଷରେ ମାତ୍ର ୧୧ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୬ଟି ପ୍ରକଳ୍ପ ଏବେବି ଅଧପନ୍ତ ହୋଇ ପଡ଼ିଛି। ଆଉ ବହୁ ପ୍ରକଳ୍ପର ଭାଗ୍ୟ ଏପର୍ଯ୍ୟନ୍ତ ଫିଟିନି। ଆଉ ବର୍ଷକ ମଧ୍ୟରେ ଏହି ସବୁ ଅଧା ପ୍ରକଳ୍ପ ସାରିବା, କାମ ଆରମ୍ଭ ହୋଇନଥିବା ପ୍ରକଳ୍ପ ଗୁଡ଼ିକୁ ଆରମ୍ଭ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚାଲେଞ୍ଜ୍ ହୋଇଛି।

ବହୁ ପ୍ରକଳ୍ପ ଆରମ୍ଭ ହୋଇପାରିନି, ପିପିପି ପ୍ରକଳ୍ପ ନେଇ ଅନିଶ୍ଚିତତା ସରିଥିବା ପ୍ରକଳ୍ପ
୧୧ଟି ସଂପୂର୍ଣ୍ଣ ପ୍ରକଳ୍ପରେ ସାରା ଭୁବନେଶ୍ବରରେ ସ୍ବୟଂଚାଳିତ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାବାଦ୍ ସହିଦନଗରରେ ସ୍ମାର୍ଟ ପାର୍କ, ବିଏମ୍‌ସି-ଭବାନୀ ମଲ୍‌ରେ ନିର୍ମାଣ ହୋଇଥିବା ଭୁବନେଶ୍ବର ଅପରେସନ୍ ସେଣ୍ଟର ମାଧ୍ୟମରେ ପୂରା ଭୁବନେଶ୍ବର ଉପରେ ନଜର ରଖିବା, ଖାରବେଳ ନଗରରେ ନିର୍ମାଣ ଶ୍ରମିକଙ୍କ ପାଇଁ ଭଡ଼ା ଘର (ସୋସିଆଲ ଇକ୍ୟୁଟି ସେଣ୍ଟର), ଭୁବନେଶ୍ବରର ପ୍ରଚାର ପ୍ରସାର କରିବା, ପୂରା ଭୁବନେଶ୍ବରର ତଥ୍ୟ ଗୋଟିଏ ୱେବସାଇଟ୍‌ରେ ଉପଲବ୍ଧ କରିବା ପାଇଁ ଭୁବନେଶ୍ବର.ମି ୱେବସାଇଟ୍, ସବୁ ପ୍ରକାରର ଦେୟ ଗୋଟିଏ କାର୍ଡରେ କରିବା ପାଇଁ ଓଡିଶୀ ସିଟି କାର୍ଡ/କମନ୍ ପେମେଣ୍ଟ କାର୍ଡ ବ୍ୟବସ୍ଥା କରିବା, ପୂରା ଭୁବନେଶ୍ବରରେ ୱାଇଫାଇ ସେବା ଯୋଗାଇବା ପାଇଁ ଭୁବନେଶ୍ବର ମି ୱାଇଫାଇ, ସମସ୍ତ ସରକାରୀ ଓ ଘରୋଇ ସଂସ୍ଥା, ବିଭିନ୍ନ ଅଞ୍ଚଳକୁ ଜିଓ ଟ୍ୟାଗିଂ କରି ଜିପିଏସ୍‌ ମାଧ୍ୟମରେ ସହଜରେ ସେବା ପହଞ୍ଚାଇବା ପାଇଁ ଭୁବନେଶ୍ବର ୱାନ ୱେବସାଇଟ୍‌, ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟ କରିବାକୁ ଭୁବନେଶ୍ବର ଅର୍ବାନ୍ ନଲେଜ୍ ସେଣ୍ଟର ଗଠନ ହୋଇଛି। ପୂରା ରାଜଧାନୀରେ ମୋ ବସ୍‌ ଯୋଜନାରେ ୧୯୦ଟି ଅତ୍ୟାଧୁନିକ ସିଟି ବସ୍‌ ଗଡ଼ୁଥିବାବେଳେ ପ୍ରାୟ ୨୦୦୦ଟି ଅତ୍ୟାଧୁନିକ ସାଇକେଲ୍‌ ‘ମୋ ସାଇକେଲ୍‌’ ଯୋଜନାରେ ଏବେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦିଆଯାଉଛି।

ଅଧାପନ୍ତରିଆ ପ୍ରକଳ୍ପ
ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାକୁ ନୂଆ ରୂପ ଦେବା ପାଇଁ ସ୍ମାର୍ଟ ଜନପଥ ହେଉଛି। ଭୁବନେଶ୍ବରର ରୂପ ବଦଳାଇ ଦେବା ପାଇଁ ଏହି ସ୍ମାର୍ଟ ଜନପଥ ହେଉଥିବାବେଳେ ଏହା ଏବେ ବି ଅଧପନ୍ତରିଆ ହୋଇପଡ଼ିଛି। ଏବେ ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ କାମ ସରିଥିବାବେଳେ ବାକି ଅଞ୍ଚଳରେ କାମ ପୂରା ଧିମେଇ ଯାଇଛି। ଏହାବାଦ୍ ଗୋଟିଏ ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ସବୁ ପ୍ରକାରର ସେବା, ସୁବିଧା ଯୋଗାଇ ଦେବା ପାଇଁ ସହିଦ ନଗର ଓ ବାପୁଜୀ ନଗରରେ ସମନ୍ବିତ ଜନ ସେବା କେନ୍ଦ୍ର ହେଉଛି। ରାଜଧାନୀର ପାର୍କିଂ ସମସ୍ୟା ଦୂର କରିବା ପାଇଁ ସହିଦନଗରରେ ୨୫୦ଟି ଏବଂ ରାଜମହଲରେ ୪୫୦ଟି କାର୍ ପାର୍କିଂ ପାଇଁ ବହୁତଳ କାର୍ ପାର୍କିଂ ପ୍ରକଳ୍ପ ଏବେବି ନିର୍ମଣାଧୀନ ଅଛି। ଭିନ୍ନକ୍ଷମ ପିଲାଙ୍କ ପାଇଁ ବିଏସ୍‌ସିଏଲ୍‌ ଏବଂ ବିଏମ୍‌ସି ପକ୍ଷରୁ ସେନସୋରି ପାର୍କ ଏବେ ସହିଦନଗରରେ ନିର୍ମଣାଧୀନ ଅଛି। ୟୁନିଟ-୯ରେ ବିଏମ୍‌ସି ମୁଖ୍ୟାଳୟ ଏବଂ ଆଇସିଓଏମ୍‌ସି ବିଲଡିଂ ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି। ୭୩କୋଟି ଟଙ୍କା ବ୍ୟୟରେ ନିର୍ମା‌ଣ ହେଉଥିବା ଏହି ବିଲଡିଂ କାର୍ଯ୍ୟ ଆସନ୍ତା ଦୁଇ ବର୍ଷରେ ସାରିବାକୁ ଯୋଜନା ଅଛି। ସେହିପରି ବିଭିନ୍ନ ବସ୍ତି ଅଞ୍ଚଳରେ ସାମାଜିକ ସ୍ମାର୍ଟ ପ୍ରକଳ୍ପ କାର୍ଯ୍ୟ ଏବେ ବି ଚାଲିଛି।

ଆରମ୍ଭ ହୋଇ ନଥିବା ପ୍ରକଳ୍ପ
ପିପିପି ମୋଡରେ ହେବାକୁ ଥିବା ବହୁ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି। ଏଥିରେ ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣ ହେବାକୁ ଥିବା ୧୦ହଜାର ଘର, ସତ୍ୟ ନଗର ବିଜିନେସ୍ ହବ୍, ମାଷ୍ଟରକ୍ୟାଣ୍ଟିନରେ ନିର୍ମା‌ଣ ହେବାକୁ ଥିବା ଭୁବ‌େନଶ୍ବର ଟାଉନ୍ ସେଣ୍ଟର ପ୍ରକଳ୍ପ, ଇ-ରିକ୍ସା, କୁଆଖାଇ ନଦୀ କୂଳର ସୌନ୍ଦର୍ଯ୍ୟ କରଣ, ପୂରା ଭୁବନେଶ୍ବରରେ ୟୁଟିଲିଟି କରିଡର (ଥ୍ରିଆଇ) ଭଳି ବହୁ ପ୍ରକଳ୍ପ ଏବେ ବି ଅନିଶ୍ଚିତତା ଭିତରେ ରହିଛି। କେବେ ଏହି ସବୁ ପ୍ରକଳ୍ପର ଭାଗ୍ୟ ଫିଟିବ ତାହାକୁ ଅପେକ୍ଷା।

ସମ୍ବନ୍ଧିତ ଖବର