ସ୍ମାର୍ଟ ଓଡ଼ିଶା ହେକାଥୋନ୍‌-୨୦୧୮, ରିମ୍‌ସ ଛାତ୍ରଛାତ୍ରୀଙ୍କ ଉ‌େଲ୍ଲଖନୀୟ ସଫଳତା

ଭୁବନେଶ୍ୱର/ରାଉରକେଲା: ନଭେମ୍ବର ୧୩ ଓ ୧୪ ତାରିଖରେ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍‌ନଲୋଜି (ବିପିୟୁଟି) ଆନୁକୂଲ୍ୟରେ ସ୍ମାର୍ଟ ଓଡ଼ିଶା ହେକାଥୋନ୍‌-୨୦୧୮ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ କଲେଜ ଅଫ୍‌ ଇଂଜିନିୟରିଂ ଆଣ୍ଡ୍ ଟେକ୍‌ନଲୋଜି (ସିଇଟି)ରେ ଅନୁଷ୍ଠିତ ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ରାଉର‌େକଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍ ଆଣ୍ଡ୍ ଷ୍ଟଡିଜ୍ (ରିମ୍‌ସ)ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏଥିରେ ରିମ୍‌ସର ଛାତ୍ରଛାତ୍ରୀମାନେ ‘ଇକୋଲୋଜି ଆଣ୍ଡ୍ ଏନ୍‌ଭର୍ନମେଣ୍ଟ୍’ ବିଭାଗରେ ବିଜୟୀ ହୋଇ ୯୫,୭୫୦ ଟଙ୍କା ପୁରସ୍କାର ରାଶି ଲାଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଆୟୋଜିତ ଏକ ଉତ୍ସବରେ ବିପିୟୁଟି କୁଳସଚିବ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିପିୟୁଟିର ସମସ୍ତ ଅଧିକାରୀଙ୍କ ସମେତ ରିମ୍‌ସର ନିର୍ଦ୍ଦେଶକ ଡକ୍ଟର କରୁଣାକର ପାତ୍ର ଓ ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ବିପିୟୁଟି ଆୟୋଜିତ ସ୍ମାର୍ଟ ଓଡ଼ିଶା ହେକାଥୋନ୍‌-୨୦୧୮ରେ ଅଂଶ ଗ୍ରହଣ କରିବା ଲାଗି ଓଡ଼ିଶା ଏବଂ ଓଡ଼ିଶା ବାହାରର ୪,୦୭୩ଟି ଦଳ ଆବେଦନ କରିଥିଲେ। ସେମାନେ ପଠାଇଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ୮୪ଟି ଦଳକୁ ମନୋନୀତ କରା ଯାଇଥିଲା। ସେମାନେ ନିଜ ନିଜର ପ୍ରୋଜେକ୍ଟକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଏହି ପର୍ଯ୍ୟାୟକୁ ‘ସ୍କିଲ୍ ଡେଭେଲପ୍‌ମେଣ୍ଟ୍ ଆଣ୍ଡ୍ ଏଣ୍ଟର୍‌ପ୍ରିନର୍‌ସିପ୍’ ଏବଂ ‘ଇକୋଲୋଜି ଆଣ୍ଡ୍ ଏନ୍‌ଭର୍ନମେଣ୍ଟ୍’ ବିଭାଗରେ ରିମ୍‌ସର ଦୁଇଟି ଦଳ ଯାଇଥିଲେ। ପ୍ରଥମ ଦଳରେ ସୁବାଶିଷ ସ୍ବାଇଁ, ରାଜକୁମାର ସ୍ବାଇଁ, ସାଏକ୍ ମଜୁମ୍‌ଦାର ଓ ସଂଜୀବ ପ୍ରଧାନ ଥିବା ବେଳେ ଦ୍ବିତୀୟଟିର ସଦସ୍ୟ ଥିଲେ ଦୀପକ କୁମାର ସାହୁ, ବିଦ୍ୟାଭାଷିନୀ ଦାସ, ଦର୍‌କ୍ଷା ପର୍‌ୱିନ୍ ଓ ପୂଜା ସିଂହ। ଦ୍ବିତୀୟ ଦଳଟି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଏ ଦଳର ଦିଗ୍‌ଦର୍ଶକ ଥିଲେ ଡକ୍ଟର ଶ୍ରୀକୁମାର, ପ୍ରଫେସର ଜଗଦୀଶ ସାହୁ ଓ ଡକ୍ଟର ରଂଜିତା ସ୍ବାଇଁ। ମୋଟ୍ ୨୪ଟି ଦଳକୁ ପୁରସ୍କାର ପ୍ରଦାନ କରା ଯାଇଛି। ଛାତ୍ରଛାତ୍ରୀଙ୍କର ଏହି ସଫଳତା ରିମ୍‌ସରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ପରିଚାଳନା ପରିଷଦର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ଓ ସଂପାଦକ ଡକ୍ଟର ଆର୍ଯ୍ୟ ପଟ୍ଟନାୟକ ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିପିୟୁଟିକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର