ଇଚ୍ଛା ହେଉଥିଲା ସ୍ମାର୍ଟ ଫୋନ୍‌କୁ କଚାଡ଼ି ‌ଦେବି

ମହମ୍ମଦ ହିଫ୍‌ଜୁର ରହେମାନ୍

0

ଭୁବନେଶ୍ବର : ମେ ୩ ୨୦୧୯। ଏହି ତାରିଖକୁ କେବେ ବି ଭୁଲିପାରିବେ ନାହିଁ ଭୁବନେଶ୍ବରିଆ। କାରଣ ଏହା ସ୍ମାର୍ଟ ବ‌ାସିନ୍ଦାଙ୍କ ଜୀବନରେ ଯେଉଁ ପ୍ରଳୟ ଆଣିଥିଲା ତାହା ୧୯୯୯ ମହାବାତ୍ୟାରୁ ବି ଭୟଙ୍କର ଥିଲା। କାରଣ ଯେଉଁସବୁ ‌ଅତ୍ୟାଧୁନିକ ଟେକ୍ନୋଲୋଜି ସେମାନଙ୍କ ଜୀବନର ଅଭିନ୍ନ ଅଙ୍ଗ ପାଲଟିଯାଇଥିଲା ଏବଂ ସବୁ ପ୍ରକାର ବିଳାସର ସୂତ୍ର ହୋଇଥିଲା ତାହା ହଠାତ୍ ଠପ୍ ‌େହାଇଗଲା। ଏମିତି ଲାଗୁଥିଲା ‌େଯମିତି ଜୀବନ ବି ଅଚଳ ହୋଇପଡ଼ିଛି। ଚାରିଆଡ଼େ ଅନ୍ଧାର। ବିଦ୍ୟୁତ ସେବା ଅଚଳ। ‌ଗାଧୋଇବା ତ ଦୂରର କଥା, ଟୋପାଏ ପିଇବା ପାଣି ପାଇଁ ବି ସମସ୍ତେ କଲବଲ। ଧନୀ ହେଉ କି ଗରିବ କେହି ଏହି ଯନ୍ତ୍ରଣାରୁ ‌ବର୍ତି ପାରିଲେ ନାହିଁ। ମୋବାଇଲ ସେବା ବି ଅଚଳ। ଇଣ୍ଟରନେଟ୍ ନାହିଁ, ଟିଭି ନାହିଁ। ଏଟିଏମ୍ ବନ୍ଦ, ହାତରେ ଟଙ୍କା ନାହିଁ। ଲିଙ୍କ ନାହିଁ, ବ୍ୟାଙ୍କ ଠପ୍। ଡିଜିଟାଲ କାରବାର ବି ଅଚଳ, କାର୍ଡ ସ୍ବାପିଂ ହୋଇପାରୁନି। ପେଟ୍ରୋଲ ପମ୍ପ ବନ୍ଦ। ଯେଉଁଠି ଖୋଲା ଅଛି ସେଠି ଲମ୍ବା ଧାଡ଼ି। ଟାଇଁ ଟାଇଁ ଖରା, ବାହାରି ହେଉନି। ଘରେ ରହିବା ବି କଷ୍ଟକର। କାରଣ ବିଜୁଳି ନାହିଁ। ଯେଉଁମ‌ାନେ ବିନା ଏସିରେ‌ ରହିପାରୁ ନଥିଲେ ସେମାନେ ଆଜି ଫ୍ୟାନ୍‌ ପାଇଁ ବ୍ୟାକୁଳ ହେଉଥିଲେ। ଘରେ ରହି ହେଉନଥିଲା କି ବାହାରକୁ ଯାଇ ହେଉ ନଥିଲା। ଜୀବନ ଦୁର୍ବିସହ ହୋଇପଡ଼ିଥିଲା। ମନ ଓ ଶରୀରକୁ ଥଣ୍ଡା କରିବା ଲାଗି ଯେଉଁମାନେ ସପିଂ ମଲରେ ଯାଇ ଖଟି କରୁଥିଲେ ସେମାନଙ୍କୁ ବେସାହାରା କରିଦେଇଥିଲା ‘ଫନି’। ଉଜୁଡ଼ି ଯାଇଥିଲା ଅନେକ ମଲ୍। ମୁଣ୍ଡ ଗୁଞ୍ଜିବାକୁ ଜାଗାଟି ମିଳୁନଥିଲା। ଟାଣ ଖରାରେ ସାହାରା ଦେଉଥିବା ଗଛ ବି ନଥିଲା। ଉତ୍ତାପରୁ ରକ୍ଷା କରୁଥିବା ଗଛଗୁଡ଼ିକ ପ୍ରକୃତିର ପ୍ରକୋପରୁ ବର୍ତି ପାରିନଥିଲେ। ସମସ୍ତେ ମୁହଁମାଡ଼ି ପଡ଼ିଥିଲେ।

କିଛି କ୍ଷଣ ପାଇଁ ମନେ ପଡ଼ିଯାଉଥିଲା ସେହି ୨୦୧୬ର ବିମୁଦ୍ରୀକରଣ ଯନ୍ତ୍ରଣା। ହାତରେ ଟଙ୍କା ଥିଲା, କିନ୍ତୁ ଅଚଳ। ବ୍ୟାଙ୍କରେ ପଇସା ଥିଲା, କିନ୍ତୁ ଉଠାଇ ହୋଇ ପାରୁନଥିଲା। ଠିକ୍ ସେହିଭଳି ଆଜିର ଯୁଗରେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବା ମୋବାଇଲ ଫୋନ୍ ଫନି ଯୋଗୁଁ ଅଚଳ ହୋଇପଡ଼ିଲା। ହାତରେ ମାଳ ମାଳ ସ୍ମାର୍ଟ ଫୋନ୍, କିନ୍ତୁ କାମ ଦେଉ ନଥିଲା। ନା କଥା ହୋଇ ପାରୁଥିଲେ, ନା ଇଣ୍ଟରନେଟ୍ ଦେଖି ପାରୁଥିଲେ। ଏହିସବୁ ଘଟଣା ଯେମିତି ଭୁବନେଶ୍ବରିଆଙ୍କ ମୁଣ୍ଡ‌କୁ ବିଗାଡ଼ି ଦେଇଥିଲା। ଇଚ୍ଛା ହେଉଥିଲା ମୋବାଇଲ ଫୋନକୁ ଅଳିଆ ଗଦାରେ ଫୋପାଡ଼ି ଦେବାକୁ। ସମସ୍ତେ ଚିଡ଼ିଚିଡ଼ି ହେଉଥିଲେ। ମୁହଁରେ ସ୍ପଷ୍ଟ ରୂପେ ବାରି ହୋଇ ପଡ଼ୁଥିଲା ବିରକ୍ତି ଭାବ। ବିଜୁଳି ନାହିଁ, ପାଣି ନାହିଁ, ମୋବାଇଲ ଫୋନ୍ ନାହିଁ ଚଳିବେ କେମିତି। ଭ‌ାଙ୍ଗିଯାଇ ତଳେ ଲୋଟୁଥିବା ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାରର ସ୍ତୂପ ଭିତରେ ବିତୁଥିଲା ଜୀବନ। ସବୁ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଛାରଖାର କରିଦେଇଥିଲା ପ୍ରକୃତିର ପ୍ରକୋପ। ତେବେ ଏଥିରେ ଗୋଟିଏ ବ୍ୟତିକ୍ରମ ଥିଲା। ତାହାହେଲା କେବଳ କେତେକ ଯୁବକ ସେଲଫିର ମଜା ନେଉଥିଲେ।

ସ୍ମାର୍ଟ ଲେ‌ାକେ ବୁଝିଯାଇଥିଲେ ଯେ ଏଭଳି ବିପର୍ଯ୍ୟୟ କେବେ ଓ କେତେବେଳେ ଆସିବ କହିହେବ ନାହିଁ। ଏହା ସାମନାରେ ସବୁ ତୁଚ୍ଛ। ବିକଳ୍ପ ଖୋଜିବାକୁ ପ୍ରୟାସ କରିଦେଲେ। ଅନେକ ଲୋକ ଗାଁ ମୁହାଁ ହେଲେ। ସେଠାରେ ବିଜୁଳି ଥାଇନପାରେ। କିନ୍ତୁ ପାଣିର ତ ଅଭାବ ନାହିଁ। ଗାଧୋଇବାକୁ ପୋଖରୀ ଅଛି ଏବଂ ପିଇବା ପାଣି ପାଇଁ କୂ୍ଅ ତ ଅଛି। ମୋବାଇଲ ଫୋନ୍ ନହେଲେ କଣ ହେଲା, ଦୁଃଖସୁଖ ହେବାକୁ ଏବଂ ଗପସପ ପାଇଁ ଗାଁ ଲୋକ ଅଛନ୍ତି। ବ୍ୟସ୍ତବହୁଳ ସହରୀ ଜୀବନ ଭିତରେ ହଜିଯାଇଥିବା ଗାଁଟି ଅସଲ ସମୟରେ ସାହାରା ହେଲା। ବିନା ଆଲୁଅରେ କେମିତି ରାତି ବିତିବ, ବିନା ଏସିରେ କେମିତି ଶୋଇହେବ, ବିନା ଫୋନ ଓ ଇଣ୍ଟରନେଟରେ କେମିତି ଚଳି ହେବ? ୧୦ ଦିନର ଅନୁଭୂତିରୁ ଏଭଳି କିଛି ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟା କରିଛନ୍ତି ସ୍ମାର୍ଟ ଲୋକେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.