ଅନ୍‌ଲାଇନ୍‌ରେ ବନ୍ୟଜନ୍ତୁ ଶିକାରକୁ ପ୍ରୋତ୍ସାହନ

କାର୍ଯ୍ୟାନୁଷ୍ଠାନ ପାଇଁ ଡବ୍ଲ୍ୟୁସିସିବିକୁ ଚିଠି

ଭୁବନେଶ୍ୱର : ଏଠି ବନ୍ୟଜନ୍ତୁ ଶିକାର ଏକ ଅପରାଧ। ମାତ୍ର ବନ୍ୟଜନ୍ତୁ ଶିକାର ପାଇଁ ପ୍ରୋତ୍ସାହନ ଦେଉଥିବା ସଂସ୍ଥା ଅପରାଧୀ ନୁହଁନ୍ତି। ଗୋଧିର ଯୌନାଙ୍ଗକୁ ଅନ୍‌ଲାଇନ୍‌ରେ ବିକ୍ରି କରିବା ବେଆଇନ। ହେଲେ ଗୋଧିକୁ ଶିକାର କରିବାର ପ୍ରକ୍ରିୟା ଶିଖାଉଥିବା ୟୁ-ଟ୍ୟୁବ୍‌ ସଂସ୍ଥା ଅପରାଧର ତାଲିକାଭୁକ୍ତ ନୁହେଁ। ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବୋର୍ଡ (ଡବ୍ଲ୍ୟୁସିସିବି)ର ଚଢ଼ଉ ପରେ ଆମଜନ ଓ ଫ୍ଲିପ୍‌କାର୍ଟ ଭଳି ସଂସ୍ଥା ତା’ର ବନ୍ୟଜନ୍ତୁ ସମ୍ପର୍କିତ ସମସ୍ତ ବିଜ୍ଞାପନକୁ ହଟାଇ ନେଇଥିଲେ ହେଁ ୟୁ ଟ୍ୟୁବ୍‌ରେ ଖୁଲାମଖୁଲା ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ବାଟ ବତାଇ ଦିଆଯାଉଛି। ଠେକୁଆ ଶିକାର ହେଉ କି ସାପକୁ ଧରିବାର କୌଶଳ। ପକ୍ଷୀ ଶିକାର ହେଉ କି ଗୋଧିକୁ ଜନ୍ତା ବସେଇ ଧରିବାର ସମସ୍ତ କୌଶଳ ଏବେ ୟୁ-ଟ୍ୟୁବ୍‌ରେ ଉପଲବ୍ଧ। ମାତ୍ର ବନ୍ୟଜନ୍ତୁ ଶିକାର କରିବା ଅପରାଧ ହୋଇଥିଲେ ହେଁ ବନ୍ୟଜନ୍ତୁ ଶିକାର କୌଶଳ ସମ୍ବନ୍ଧୀୟ ଭିଡିଓକୁ ଅନ୍‌ଲାଇନ୍‌ରେ ପ୍ରୋତ୍ସାହନ ଦିଆଯାଉଛି। ଏମିତି ଏକ ବିଡ଼ମ୍ବନାର ପର୍ଦାଫାସ କରିଛନ୍ତି ଖୋର୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ।

୧୯୭୨ ଭାରତୀୟ ବନ୍ୟଜନ୍ତୁ (ସଂରକ୍ଷଣ) ଆଇନ୍‌ ସେକ୍ସନ୍‌ ୯ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଏକ ଅପରାଧ। ଏଥିପାଇଁ ୭ବର୍ଷ ଜେଲ୍‌ ହେବାର ନଜିର ମଧ୍ୟ ରହିଛି। ସେହିପରି ସେକ୍ସନ ୫୨ ଅନୁଯାୟୀ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ପ୍ରୋତ୍ସାହନ ଦେବା ମଧ୍ୟ ଏକ ଅପରାଧ। ତେଣୁ ୟୁ-ଟ୍ୟୁବ୍‌ ଏ କ୍ଷେତ୍ରରେ ଆଇନ୍‌କୁ ଅଣଦେଖା କରୁଥିବାରୁ ଏନେଇ ଡବ୍ଲ୍ୟୁସିସିବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ମଲ୍ଲିକ ଡବ୍ଲ୍ୟୁସିସିବି, ନୂଆଦିଲ୍ଲୀର ଅତିରିକ୍ତ ନିର୍ଦେଶକ ତିଳୋତ୍ତମା ବର୍ମାଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମଲ୍ଲିକଙ୍କ ଯୁକ୍ତି ହେଲା, ଅନ୍‌ଲାଇନ୍‌ରେ ହାତଯୋଡ଼ି ତଥା ଗୋଧିର ଯୌନାଙ୍ଗ ବିକ୍ରି ହେଉଥିବାରୁ ନିକଟରେ ଭୁବନେଶ୍ୱରରେ ଡବ୍ଲ୍ୟୁସିସିବି, କ୍ରାଇମ୍‌ବ୍ରାଞ୍ଚ୍‌ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଯଦି ଏହା ଅପରାଧ ତେବେ ଗୋଧି ଶିକାର ପାଇଁ ଛୋଟ ଫିଲ୍ମ ପ୍ରସ୍ତୁତ କରାଯାଇ ତାକୁ ୟୁ-ଟ୍ୟୁବ୍‌ରେ ପ୍ରସାରଣ କରାଯିବା ତା’ଠୁ ବଡ଼ ଅପରାଧ ବୋଲି ସେ କହିଛନ୍ତି।

ଆଗରୁ ଆପ୍‌ରେ ଶାରୀ ବିକ୍ରି ପାଇଁ ମଧ୍ୟ ଯୋଜନା କରାଯାଉଥିବା ବେଳେ ନୟାଗଡ଼ରେ ଚଢ଼ଉ କରି ପଦକ୍ଷେପ ନିଆଯାଇଛି। ସେହିଭଳି ହାତୀ ଦାନ୍ତ ବିକ୍ରି ବେଳେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ମୁତାବକ, ପ୍ରସାରିତ ହେଉଥିବା ବନ୍ୟଜନ୍ତୁ ଶିକାର କୌଶଳ ସମ୍ବନ୍ଧୀୟ ଭିଡିଓଗୁଡ଼ିକ ଓଡ଼ିଶା ବାହାରର ହୋଇଥିବାରୁ ଏନେଇ ରାଜ୍ୟ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବା ସହଜ ନୁହେଁ। ତେଣୁ ଡବ୍ଲ୍ୟୁସିସି ଏ ବାବଦରେ ତୁରନ୍ତ ପଦକ୍ଷେପ ନେବ ବୋଲି ଶ୍ରୀ ମଲ୍ଲିକ ଦୃଢ଼ତାର ସହ କହିଛନ୍ତି।

ସବୁଠୁ ବଡ଼ କଥା ହେଉଛି, ଏହି ବନ୍ୟଜନ୍ତୁ ଶିକାର ଓ ଶିକାର ହୋଇଥିବା ବନ୍ୟଜନ୍ତୁଙ୍କୁ କାଟି ରୋଷେଇ କରିବା କାର୍ଯ୍ୟରେ ଛୋଟଛୋଟ ପିଲାମାନେ ମଧ୍ୟ ନିୟୋଜିତ ହୋଇଥିବା ଭିଡିଓରୁ ସ୍ପଷ୍ଟ ହେଉଛି। ସେଥିରେ ଏପରି ବି ଲେଖା ଯାଉଛି ଯେ ‘ଆପଣ ବି ଏପରି ଚେଷ୍ଟା କରନ୍ତୁ’। ଭାରତରେ ଏସବୁ ବ୍ୟାନ୍‌ କରାଯାଇଥିବାରୁ ଏହି ବନ୍ୟଜନ୍ତୁ ଶିକାର ସମ୍ବନ୍ଧୀୟ ପ୍ରୋତ୍ସାହନ ଭିଡିଓକୁ ବ୍ୟାନ୍‌ କରିବା ନିମନ୍ତେ ଡବ୍ଲ୍ୟୁସିସିବି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ଜବଲପୁରରେ ଅବସ୍ଥାପିତ ଡବ୍ଲ୍ୟୁସିସିବିର ଅଭିଜିତ ରୟଚୌଧୁରୀ ବି ୟୁ-ଟ୍ୟୁବ୍‌ର ଏହି ସମ୍ବନ୍ଧିତ ଭିଡିଓଗୁଡ଼ିକୁ ଦେଖି ତର୍ଜମା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସଂପ୍ରତି ଜଙ୍ଗଲ ହ୍ରାସ ଓ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଜୀବଜଗତରେ ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ଅନେକ ବନ୍ୟଜନ୍ତୁ ଲୁପ୍ତ ପ୍ରାୟ ହେବାକୁ ବସିଥିବା ବେଳେ ଭିଡିଓରେ ବନ୍ୟଜନ୍ତୁଙ୍କୁ ଶିକାର ପାଇଁ ପ୍ରୋତ୍ସାହନ ଦେବା ନିଶ୍ଚିତ ଏକ ଅପରାଧ। ନିକଟ ଭବିଷ୍ୟତରେ ଏନେଇ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ ବେଶ୍‌ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର