ସୋଆରେ ପ୍ରତିଷ୍ଠା ହେବ ‘ଐତିହ୍ୟ ଓ ସଂସ୍କୃତି ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର’

ଭୁବନେଶ୍ୱର : ସୋଆରେ ପ୍ରତିଷ୍ଠା ହେବ ‘ଐତିହ୍ୟ ଏବଂ ସଂସ୍କୃତି ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର’। ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର ନିମନ୍ତେ ‘ଶିକ୍ଷା ଓ ଅନୁସନ୍ଧାନ’ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଏହି କେନ୍ଦ୍ର ଖୋଲାଯିବ। ବିଶ୍ୱବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୋଆ କୁଳପତି ପ୍ରଫେସର୍‌ ଅମିତ ବାନାର୍ଜୀ ଏହି ଘୋଷଣା କରିଛନ୍ତି। ରାଜ୍ୟର ପରମ୍ପରା ଓ ସଂସ୍କୃତିକୁ ସଂରକ୍ଷଣ କରାଯିବା ସହ ଏହାର ଐତିହ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ସେହିପରି ପ୍ରାଚୀନ ଭାଷା ଓ ସାହିତ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ଏହି ନୂଆ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି କୁଳପତି ଶ୍ରୀ ବାନାର୍ଜୀ କହିଛନ୍ତି। ଏଥିପାଇଁ ରାଜ୍ୟର ପ୍ରଖ୍ୟାତ ଶିକ୍ଷାବିତ୍‌ ଏବଂ ବିଶେଷଜ୍ଞମାନଙ୍କର ସହଯୋଗ ନିଆଯିବ ବୋଲି ସେ କହିଛନ୍ତି।

ଆଜି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ସୋଆର ସମସ୍ତ କର୍ମକର୍ତ୍ତା ବିଶ୍ବବିଦ୍ୟାଳୟ ପରିସର ସମେତ ଆଖପାଖ ଅଞ୍ଚଳରେ ବୃକ୍ଷ‌ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଡିନ୍, ବରିଷ୍ଠ ଅଧିକାରୀ ଏବଂ କର୍ମକର୍ତାମାନେ ଯୋଗ ଦେଇଥିଲେ। ବାତ୍ୟା ‘ଫନି’ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ଭୁବନେଶ୍ବରର ସବୁଜିମାକୁ ପୁଣିଥରେ ଫେରାଇ ଆଣିବା ଉଦ୍ଦେଶ୍ୟରେ ଏହି କା‌ର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର