କିଟ୍‌ ଫେଷ୍ଟ୍‍ରେ ସୋନୁ ନିଗମ

ପୁଚୁକି ଗାଲି...ଫେସନ ବାଲି.... ମୋ’ପାଇଁ ଚିର ସ୍ମରଣୀୟ

ଚନ୍ଦ୍ରଶେଖରପୁର : ଓଡ଼ିଶାକୁ ଯେତେବେଳେ ଆସିବା କଥା ଆଲୋଚନା ହୁଏ ସେତେ ବେଳେ ମୋର ‘ପୁଚୁକି ଗାଲି ଫେସନ୍‌ବାଲି …’ ଗୀତ ମନେପଡ଼େ। ଏହି ଗୀତ ମୋ’ପାଇଁ ଚିର ସ୍ମରଣୀୟ। ଯେଉଁ ଗୀତ ପାଇଁ ମୁଁ ଆଜି ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଘର କରିପାରିଛି। ଏମିତି ସୁଯୋଗ ମୋତେ ଓଡ଼ିଆ ଲୋକଙ୍କ କଳା ଓ ସଂସ୍କୃତିକୁ ଚିହ୍ନିବା ପାଇଁ ସହାୟ ହୋଇଛି। ସେଥିପାଇଁ ମୁଁ ଓଡ଼ିଶା ଆସିବାକୁ ବାରମ୍ବାର ମନ ବଳାଉଛି। ଏମିତି କହି ଆଜିର ସଂଗୀତ ପରିବେଷଣ କରିଥିଲେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ। କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ କିଟ୍‌ ଫେଷ୍ଟ୍‍ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଶତାଧିକ ଛାତ୍ରଛାତ୍ରୀଙ୍କ ଭରପୂର ମନୋରଂଜନର ଖୋରାକ୍‌ ଯୋଗାଇଥିଲେ। ଛାତ୍ରଛାତ୍ରୀମାନେ ମଞ୍ଚତଳେ ଝୁମିଥିଲେ। ସୋନୁ ନିଜର ଅନେକ ହିଟ୍‌ ହିନ୍ଦୀ ଗୀତ ବୋଲି ସମସ୍ତ ଦର୍ଶକଙ୍କ ମନୋରଂଜନ କରିଥିବା ବେଳେ ବଙ୍ଗାଳା ଓ ଓଡ଼ିଆ ଚଳଚ୍ଚିତ୍ରର ଗୀତ ମଧ୍ୟ ବୋଲିଥିଲେ। ନିଜ ସଂଗୀତ ଟ୍ରୁପ୍‌ ସହ ସୋନୁ ଓଡ଼ିଶା ଅନେକଥର ଆସିଥିଲେ ମଧ୍ୟ କିଟ୍‌ ଫେଷ୍ଟରେ ହଜାର ହଜାର ଶିକ୍ଷାର୍ଥର୍ୀଙ୍କ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ନିଜକୁ ଧନ୍ୟ ମନେକରିଥିଲେ। ଉକ୍ତ ସଂସ୍କୃତିକ ମଞ୍ଚରେ କିଟ୍‌ର ରେଜିଷ୍ଟ୍ରର ସସ୍ମିତା ସାମନ୍ତ ସୋନୁଙ୍କୁ ସମ୍ମାନିତ କରିଥିଲେ। ଏପରି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସୋନୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର