ଗଣମାଧ୍ୟମ କର୍ପୋରେଟ୍‌ ହାଉସ୍‌ ଦ୍ୱାରା ପ୍ରଭାବିତ ନହେଉ

ସାଉଥ୍‌ ଏସିଆ ମିଡିଆ ଟକ୍‌ ଓ ଓଡ଼ିଶା ମିଡିଆ ଆଓ୍ଵାର୍ଡ ୨୦୧୭

ଭୁବନେଶ୍ୱର: ଆଜିର ଗଣମାଧ୍ୟମ ସମ୍ପାଦକୀୟ ନୀତିର ନୈତିକତା ନୁହେଁ କର୍ପୋରେଟ୍‌ ହାଉସର ପଲିସି ଦ୍ୱାରା ପରିଚାଳିତ। ଯାହା ଗଣମାଧ୍ୟମର ପ୍ରକୃତ ଉଦ୍ଦେଶ୍ୟକୁ ଜଳାଞ୍ଜଳି ଦେଇ ସାରିଲାଣି। ଏହା ଗଣ ସ୍ୱାର୍ଥ ନେଇ ସଂକଟ ସୃଷ୍ଟି କରୁଛି। ଗଣମାଧ୍ୟମ କର୍ପୋରେଟ୍‌ ହାଉସ ଦ୍ୱାରା ପ୍ରଭାବିତ ନହୋଇ ସାଧାରଣ ଲୋକଙ୍କ ସମସ୍ୟାର ଖବର ପରିବେଷଣ କରୁ। ନମସ୍କାର କମ୍ୟୁନିଟି ରେଡିଓ ନେଟଓ୍ଵାର୍କ ପକ୍ଷରୁ ପାନ୍ଥ ନିବାସଠାରେ ଅନୁଷ୍ଠିତ ସାଉଥ୍‌ ଏସିଆ ମିଡିଆ ଟକ୍‌ ଓ ଓଡ଼ିଶା ମିଡିଆ ଆଓ୍ଵାର୍ଡ ପ୍ରଦାନ ଉତ୍ସବରେ ‘ଗଣମାଧ୍ୟମ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଉଛି କି?’ ଆଲୋଚନା ପ୍ରସଙ୍ଗରେ ଏପରି ମତପ୍ରକାଶ ପାଇଛି। ଆଲୋଚକ ଭାବେ ସିଇଏମ୍‌ସିଏ, ଏସିଆର ନିର୍ଦେଶକ ସହିଦ ରସୁଲ, ବାଂଲାଦେଶ ଏନ୍‌ଜିଓ ନେଟ୍‌ଓ୍ଵାର୍କ ଫର୍‌ ରେଡିଓର ସିଇଓ ଏଏଚ୍‌ଏମ୍‌ ବାଜୁଲର ରହମାନ, ଫ୍ରିଡମ ଫୋରମ ନେପାଳର ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ଝା, ଶ୍ରୀଲଙ୍କା ଡେଭଲପମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍‌ସ ଫୋରମର ନିର୍ଦେଶକ ଏମ୍‌ସି ରସ୍ମିନ, ‘ସମଦୃଷ୍ଟି’ର ସମ୍ପାଦକ ସୁଧୀର ପଟ୍ଟନାୟକ , ଆକ୍ସନଏଡର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଆଲୋଚନାଚକ୍ର ସଞ୍ଚାଳନ କରିଥିଲେ।

୨୦ ଗଣମାଧ୍ୟମ ବ୍ୟକ୍ତିତ୍ୱ ସମ୍ମାନିତ

ଏହି ଅବସରରେ ସମାଜର ସମ୍ପାଦକ ବାମାପାଦ ତ୍ରିପାଠୀ(ଅନୁପସ୍ଥିତ), ସ୍ତମ୍ବକାର ସନ୍ତୋଷ କୁମାର ମହାପାତ୍ର, ବଡ଼ଖବର (ନ୍ୟୁଜ ସେଭେନ), ଟିଭି ଉପସ୍ଥାପିକା ରାଜଶ୍ରୀ ସାହୁ, ରେଡିଓ ପ୍ରସାରକ ଅନିତ୍ୟ ମହାନ୍ତି(ଅନୁପସ୍ଥିତ), ବିଜେବି କଲେଜର ସାମ୍ବାଦିକତା ବିଭାଗ(ପ୍ରଫେସର ଡ. ନଳିନୀ ପାତ୍ର), କାର୍ଟୁିନିଷ୍ଟ ଜ୍ଞାନେନ୍ଦ୍ର ରଥ, ‘ସମ୍ବାଦ’ର ଫଟୋ ସାମ୍ବାଦିକ ଅସିତ କୁମାର ଶତପଥୀ, ଘର୍‌ ଜାନା ହେ(ପ୍ରାମାଣିକ ଚଳଚ୍ଚିତ୍ର), ଓମ୍‌କମ୍‌ ନ୍ୟୁଜ, ଓଡ଼ିଶା ଡାଏରି(ପ୍ରତିଷ୍ଠାତା ରଶ୍ମିରଞ୍ଜନ ପରିଡ଼ା), ବ୍ଲଗ୍‌ ସାମାନ୍ୟକଥନ.କମ୍‌, ସାମ୍ବାଦିକ ଅନୁଜ କୁମାର ଦାସ, ବିଭୂତି ପତି, ସାମ୍ବାଦିକା ଐଶ୍ୱର୍ଯ୍ୟା ପରିଜା(ନିତିଦିନ), ଗୋଷ୍ଠୀ ବେତାର ସେବା ପାଇଁ ଜିତେନ୍ଦ୍ର ବେଉରା, ଶିଶିର ପାଣିଗ୍ରାହୀ, ବିଜୟ ଦ୍ୱିବେଦୀ, ସ୍ୱାଧୀନ ମେହେର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ନମସ୍କାର କମ୍ୟୁନିଟି ରେଡିଓ ନେଟଓ୍ଵାର୍କର ଅଧ୍ୟକ୍ଷ ଏନ.ଏ ଶାହା ଅନସାରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏସ.ଏ ସଫିକ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଖ୍‌ ନିଓ୍ଵାଜ, ଅନ୍ଦାଜ ଆରୋନ, ବିଏନ୍‌ ଦୁର୍ଗା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର